କନେଷ୍ଟବଳ, ହାବିଲଦାରଙ୍କୁ ଦିଆଯିବ ତଦନ୍ତ ଦାୟିତ୍ୱ: ଡିଜିପି

ସମ୍ବଲପୁର : ଓଡ଼ିଶାରେ ଦଣ୍ଡବିଧାନ ହାର ଏବେ ଚିନ୍ତାଜନକ ସ୍ତରରେ ରହିଛି। ମାତ୍ର ୧୦ ପ୍ରତିଶତ ଅପରାଧିକ ମାମଲାରେ ଦଣ୍ଡବିଧାନ ହୋଇପାରୁଛି। ଦଣ୍ଡବିଧାନ ହାର ବୃଦ୍ଧି ପାଇଁ ଉତ୍ତମ ମାନର ତଦନ୍ତର ଆବଶ୍ୟକତା ରହିଛି। ଅପରାଧ ତୁଳନାରେ ରାଜ୍ୟରେ ତଦନ୍ତକାରୀ ଅଧିକାରୀଙ୍କ ସଂଖ୍ୟା ବହୁତ କମ୍‌ ରହିଛି। ପୁଲିସ୍‌ ଅଧିକାରୀମାନଙ୍କ ଉପରେ କାର୍ଯ୍ୟବୋଝ ଅଧିକ ରହୁଛି। ଏଣୁ ଅନ୍ୟୂନ ୭ବର୍ଷ ଚାକିରି କରିସାରିଥିବା ସ୍ନାତକ ଶିକ୍ଷାପ୍ରାପ୍ତ କନେଷ୍ଟବଳ ଓ ହାବିଲଦାରଙ୍କୁ ଛୋଟ ଛୋଟ ମାମଲାର ତଦନ୍ତ ଦାୟିତ୍ୱ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହା କାର୍ଯ୍ୟକାରୀ ହେଲେ ପୁଲିସ ଅଧିକାରୀମାନଙ୍କ ଉପରେ କାର୍ଯ୍ୟବୋଝ ହ୍ରାସ ପାଇବା ସାଂଗକୁ ଅପରାଧିକ ମାମଲାର ତଦନ୍ତର ମାନରେ ବି ଉନ୍ନତି ପରିଲକ୍ଷିତ ହେବ ବୋଲି ରାଜ୍ୟ ପୁଲିସ ମହାନିର୍ଦେଶକ(ଡିଜିପି) ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ବୁଧବାର ଏଠାରେ କହିଛନ୍ତି।

ଦୁଇଦିନିଆ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଥିବା ପୁଲିସ୍‌ ମହାନିର୍ଦେଶକ ଶ୍ରୀ ଶର୍ମା ଉତ୍ତରାଂଚଳ ଡିଆଇଜି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସାମ୍ବାଦିକମାନଙ୍କୁ ପ୍ରଶ୍ନର ଉତ୍ତର କହିଲେ ଯେ, ମାଓବାଦୀମାନଙ୍କ ଗତିବିଧି ଏବେ ନିୟନ୍ତ୍ରଣରେ ରହିଛି। ତଥାପି ପୁଲିସ ପକ୍ଷରୁ ମାଓବାଦୀଙ୍କ ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଉତ୍ତରାଂଚଳ ପୁଲିସ୍‌ ରେଂଜ ଅନ୍ତର୍ଗତ ଏସ୍‌ପିମାନଙ୍କ ସହିତ ମାଓବାଦୀ ସମସ୍ୟା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଛି। ବର୍ତ୍ତମାନ ମାଓବାଦୀ ନିୟନ୍ତ୍ରଣ ପାଇଁ ଏହି ଅଂଚଳକୁ ଅଧିକ ଫୋର୍ସ ପଠାଇବାର ଯୋଜନା ନାହିଁ। ସମ୍ବଲପୁର ଜିଲ୍ଲାରେ ପୁଲିସ୍‌ର ଭିତ୍ତିଭୂମି ବିକାଶ ଓ ଜନସଧାରଣଙ୍କ ସେବା ଉଦ୍ଦେଶ୍ୟରେ ଅଇଁଠାପାଲିରେ ନୂଆ ସାଇବର ଅପରାଧ ଥାନା, ସମ୍ବଲପୁର ପୁଲିିସ୍‌ ଆପ୍‌, ପୁଲିସ୍‌ ପେଟ୍ରୋଲ ପମ୍ପ, ସମ୍ବଲପୁର ଟାଉନର ଥାନାରେ ନୂଆ କୋଠା, ରେଢ଼ାଖୋଲ ଏସ୍‌ଡିପିଓଙ୍କ ନୂଆ ଅଫିସ ତଥା ବାସଭବନ, ରେଂଗାଲି ଥାନା କୋଠା ଆଦିର ଲୋକାର୍ପଣ କରାଯାଇଛି। ଅଇଁଠାପାଲି ହାଜତ ମୃତ୍ୟୁ ମାମଲାରେ ଯେଉଁ ଅଧିକାରୀମାନଙ୍କ ତ୍ରୁଟି ରହିଥିବା ପ୍ରମାଣିତ ହେବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ଏହି ଅବସରରେ ଉତ୍ତରାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ, ସମ୍ବଲପୁର ଏସପି ସଂଜୀବ ଅରୋରାଙ୍କ ସମେତ ଅନ୍ୟ ଜିଲ୍ଲାର ଏସ୍‌ପିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର