ରାଜ୍ୟରେ ଗତ୨୪ଘଣ୍ଟାରେ ୯୬ ସଂକ୍ରମିତ ଚିହ୍ନଟ, ଜିଲ୍ଲାସ୍ତରରେ ଘୋଷଣା ହେଉଛି, ବିଭାଗ ଲୁଚାଉଛି

ନୂଆପଡ଼ା, ସୁନ୍ଦରଗଡ଼ର ଦିଆଗଲା ଅଧା ରୋଗୀଙ୍କ ତଥ୍ୟ

ଭୁବନେଶ୍ବର : ରାଜ୍ୟରେ ଗତ ୨୪ଘଣ୍ଟାରେ ୯୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲ୍ଲାରୁ ଏମାନଙ୍କୁ ଚିହ୍ନଟ କରାଯାଇଛି। ତେବେ ଯେତିକି ସଂଖ୍ୟା ଘୋଷଣା ହୋଇଛି ତାହା ପ୍ରକୃତ ତଥ୍ୟ ନୁହେଁ। ବିଶେଷକରି ଗତକାଲି ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଯେତିକି ସଂଖ୍ୟାକ ରୋଗୀଙ୍କ ତଥ୍ୟ ଦେଇଥିଲା ତାହାର ଅଧାରୁ କମ୍‌ ତଥ୍ୟ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଛି। ଅନ୍ୟ ରୋଗୀଙ୍କ ତଥ୍ୟ କାହିଁକି ଦିଆଗଲା ନାହିଁ ବୋଲି ସେ ନେଇ ଚର୍ଚା ହେଉଛି।

ପ୍ରତିଦିନ ସ୍ବାସ୍ଥ୍ୟ ବିଭାଗର ୱେବସାଇଟରେ ଗତ ୨୪ଘଣ୍ଟାରେ କେତେ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି ଓ କେତେ ନମୁନା ପରୀକ୍ଷା ହୋଇଛି ସେ ସଂପର୍କରେ ସୂଚନା ଦିଆଯାଉଛି। ପରବର୍ତୀ ସମୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ ଜରିଆରେ ଚିହ୍ନଟ ରୋଗୀ କେଉଁଠାରୁ ଫେରିଛନ୍ତି, ସେମାନେ ସଙ୍ଗରୋଧ କେନ୍ଦ୍ର ନା ସ୍ଥାନୀୟ ସଂକ୍ରମିତ ତାହାର ସୂଚନା ଦିଆଯାଉଛି। ତେବେ ଗତକାଲି ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଯେତିକି ରୋଗୀ ଚିହ୍ନଟ ହୋଇଥିଲେ ତାହାର ଅଧାରୁ କମ୍‌ ତଥ୍ୟ ଦିଆଯାଇଛି। ଏପରିକି ଝାରସୁଗୁଡ଼ାରେ ଚିହ୍ନଟ ରୋଗୀଙ୍କ ତଥ୍ୟ ମଧ୍ୟ ଆଜି ୱେବସାଇଟ୍‌ରେ ନାହିଁ।

MSN.com

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଦିନକରେ ୯୬ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଓ ଗଜପତିରେ ୧୦ଜଣ ଲେଖାଏ, ଗଞ୍ଜାମ, କଟକ, ଜଗତସିଂହପୁର ଓ ଯାଜପୁରରେ ୬ଜଣ ଲେଖାଏ, ବାଲେଶ୍ବର, ଦେବଗଡ଼ ଓ ନୂଆପଡ଼ାରେ ୪ଜଣ ଲେଖାଏ, ଭଦ୍ରକ, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୭ଜଣ ଲେଖାଏ, ଖୋର୍ଧାରେ ୯ଜଣ, କଳାହାଣ୍ଡିରେ ୫ଜଣ, ଢେଙ୍କାନାଳ ୨, କେନ୍ଦୁଝର, ନୟାଗଡ଼ ଓ ପୁରୀରେ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ସମସ୍ତ ସଂକ୍ରମିତ ସଙ୍ଗରୋଧ କେନ୍ଦ୍ରରେ ହିଁ ଚିହ୍ନଟ ହୋଇଥିବା କୁହାଯାଇଛି। ତେବେ ନୂଆପଡ଼ା ଜିଲ୍ଲାରେ ଗତକାଲି ୧୨ଜଣଙ୍କୁ ଚିହ୍ନଟ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ମାତ୍ର ୪ଜଣଙ୍କ ସଂପର୍କରେ ତଥ୍ୟ ଦେଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ୧୫ଜଣ ଚିହ୍ନଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୭ଜଣଙ୍କ ତଥ୍ୟ ଦିଆଯାଇଛି। ଏହାସହ ଗତକାଲି ଝାରସୁଗୁଡ଼ା ଜିଲ୍ଲାରେ ଜଣେ ଚିହ୍ନଟ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଆଜି ଏହି ତଥ୍ୟ ଦିଆଯାଇ ନାହିଁ। ତେଣୁ ଗତକାଲି ଚିହ୍ନଟ ହୋଇଥିବା ୧୭ଜଣଙ୍କ ସଂଖ୍ୟାକୁ ମିଶାଇଲେ ଗତକାଲି ସଂଖ୍ୟା ୧୧୩ରେ ପହଞ୍ଚିବ। ଯାହାଫଳରେ ରାଜ୍ୟରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୧୮୩୬ ହେବ। ପ୍ରତ୍ୟେକ ଦିନ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି ତାହାର ସଂପୂର୍ଣ୍ଣ ତଥ୍ୟ ନ ଦେଇ ସଂଖ୍ୟା ଲୁଚାଇବା ପଛରେ କାରଣ କ’ଣ ରହିଛି ବୁଝାପଡ଼ୁନାହିଁ।

ରାଜ୍ୟରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୪୦୪ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ୨୫୯, ବାଲେଶ୍ବରରେ ୧୪୬, ଖୋର୍ଧାରେ ୧୩୧, ଭଦ୍ରକରେ ୧୧୩ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ରହିଛନ୍ତି। ରାଜ୍ୟରେ ଏବେ ୨୯ଟି ଜିଲ୍ଲା କରୋନା ସଂକ୍ରମିତ ହୋଇଛି। ୧୦୫୦ ଜଣ ସୁସ୍ଥ ହେବା ଫଳରେ ରାଜ୍ୟରେ ଏବେ ୭୬୦ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ଏ ଯାଏ ୧ଲକ୍ଷ ୪୭ହଜାର ୪୯୦ଟି କୋଭିଡ ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର