ଲୋକସେବା ଭବନକୁ ଛୁଇଁଲା କରୋନା

ସାଧାରଣ ପ୍ରଶାସନ ବିଭାଗ କଲା ତନାଘନା, ପ୍ରତିକାରମୂଳକ ପଦକ୍ଷେପ ତୁରନ୍ତ ନେବାକୁ ସବୁ ବିଭାଗକୁ ତାଗିଦ

ଭୁବନେଶ୍ୱର : ଲୋକସେବା ଭବନରେ କିଛି କର୍ମଚାରୀଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହା ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଲୋକସେବା ଭବନରେ କରୋନା ଲଢ଼େଇର ମୁଖ୍ୟ କାମ ଚାଲିଥିବାରୁ ଏହାକୁ କିପରି ନିୟନ୍ତ୍ରଣ କରାଯିବ, ସେଥି ପାଇଁ ସରକାର ତନାଘନା ଆରମ୍ଭ କରିଛନ୍ତି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି ଲେଖାଯାଇ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ତାଗିଦ୍ କରାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ସହ ପରାମର୍ଶ କରାଯାଇ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ସଂପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ଗୃହ ସଙ୍ଗରୋଧ କିମ୍ବା କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା ଯୋଗାଯିବ। ବିଏମ୍‌ସିର ଟିମ୍‌ ଦ୍ବାରା ତୁରନ୍ତ କଣ୍ଟାକ୍ଟ ଟ୍ରେସିଂ କରାଯିବ। କାର୍ଯ୍ୟାଳୟକୁ ବିଶୋଧନ କରାଯିବା ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେବେ।

ଯଦି କାର୍ଯ୍ୟାଳୟରେ ଜଣେ କିମ୍ବା ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବେ, ତେବେ ଗତ ୪୮ ଘଣ୍ଟାରେ ସଂପୃକ୍ତ କର୍ମଚାରୀ କାର୍ଯ୍ୟାଳୟର ‌େଯଉଁ ଯେଉଁ ଜାଗାରେ ବୁଲିଥିବେ ତାହାକୁ ବନ୍ଦ କରାଯିବ। ଏଥିରେ ପୂରା କାର୍ଯ୍ୟାଳୟର କୋଠାକୁ ବନ୍ଦ କରିବାର ଆବଶ୍ୟକତା ନାହିଁ। ଯଦି ଅଧିକ ସଂଖ୍ୟ‌ାରେ କରୋନା ପଜିଟିଭ୍ ଚିହ୍ନଟ ହେବ, ତେବେ ପୂରା କୋଠାକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇ ବିଶୋଧନ କରାଯିବ। ସେହି ସମୟରେ କର୍ମଚାରୀମାନେ ଘରୁ କାମ କରିବେ। ପୂରା କୋଠାକୁ ଠିକ୍ ଭାବେ ବିଶୋଧନ ହେଲା ପରେ ସେମାନେ କାର୍ଯ୍ୟାଳୟକୁ ଫେରିବେ। ମାସ୍କ, ହାତ ଧୋଇବା ଓ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ କାର୍ଯ୍ୟାଳୟରେ ପାଳନ କରିବାକୁ କୁହାଯାଇଛି। ଲୋକସେବା ଭବନ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଏହି ମାର୍ଗଦର୍ଶିକା ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର