ଓଡ଼ିଶାକୁ ବିପଦ ଘନେଇଲା : ୨୪ ଘଣ୍ଟାରେ ରେକର୍ଡ ୩୪ ପଜିଟିଭ୍‌, ଚିନ୍ତା ବଢ଼ାଇଲେ ସୁରତ ଫେରନ୍ତା

୧୧ ଦିନରେ ୧୦୦ରୁ ୨୦୦ ପାର୍

ଗଞ୍ଜାମରେ ୨୪, ମୟୂରଭଞ୍ଜରେ ୪
୯ ଦିନ ପରେ ରାଜଧାନୀରେ ପୁଣି ୩
ବାଲେଶ୍ବରରେ ୨ ଓ ଜଗତସିଂହପୁର ୧
ରେଡ୍‌ ଜୋନ୍‌କୁ ଗଲା ଗଞ୍ଜାମ ଜିଲ୍ଲା

ଭୁବନେଶ୍ବର : ସୁରତ ଫେରନ୍ତାଙ୍କୁ ନେଇ ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ସତ ହେଲା। ସୁରତ ଫେରନ୍ତାଙ୍କ ଲାଗି ଦିନକ ଭିତରେ ରାଜ୍ୟରେ କରୋନା ଚିତ୍ର ସଂପୂର୍ଣ୍ଣ ଭାବେ ବଦଳି ଯାଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଏକ ନୂଆ ରେକର୍ଡ ସୃଷ୍ଟି କରିଥିବା ବେଳେ ଓଡ଼ିଶା ପ୍ରତି ବିପଦ ଘନୀଭୂତ ହୋଇଥିିବା ସ୍ପଷ୍ଟ ହୋଇଛି। ୩୪ ଜଣଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ୨୪ ଜଣ ଚିହ୍ନଟ ହୋଇଛନ୍ତି ଏବଂ ଏମାନେ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏଯାଏ ଗ୍ରିନ୍‌ ଜୋନ୍‌ରେ ରହି ଆସିଥିବା ମୟୂରଭଞ୍ଜରେ ଆଜି କରୋନା ଖାତା ଖୋଲିଛି ଏବଂ ଏକାଥରେ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ରାଜଧାନୀରେ ୩, ବାଲେଶ୍ବରରେ ୨ ଓ ଜଗତସିଂହପୁର ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରେ କେବଳ ଜଣେ ମହିଳାଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଆକ୍ରାନ୍ତ ପୁରୁଷ ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରେ ହଠାତ୍ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଜିଲ୍ଲାକୁ ରେଡ୍ ଜୋନ୍‌ରେ ସାମିଲ କରାଯାଇଛି। ଏହାସହ ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଜୋନ୍‌ରେ ସାମିଲ କରାଯାଇଛି। ଅପରପକ୍ଷରେ କେବଳ ସଂକ୍ରମିତ ତାଲିକାରେ ନୁହେଁ; ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ସଂଖ୍ୟା ୫୦ହଜାର ଟପି ଏକ ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ସେହିପରି ଆଜି ରାଜଧାନୀର ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଏବେ ୬୨ରେ ପହଞ୍ଚିଛି।

ରାଜ୍ୟର ୧୮ଟି ଜିଲ୍ଲାକୁ କରୋନା କବଳିତ କରିଥିବାବେଳେ ସୁରତ ଫେରାନ୍ତଙ୍କ ମଧ୍ୟରେ କରୋନା ପଜିଟିଭ୍ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ଜଗତସିଂହପୁରରେ ଚିହ୍ନଟ ବ୍ୟକ୍ତିଙ୍କ ବୟସ ୭୦ବର୍ଷ ରହିଛି ଓ ସେ ପଶ୍ଚିମବଙ୍ଗରୁ ଫେରିଛନ୍ତି। ସେହିପରି ୯ ଦିନ ପରେ ଆଜି ରାଜଧାନୀରେ ୩ଜଣଙ୍କୁ ପଜିଟିଭ୍ ଚିହ୍ନଟ କରାଯାଇଛି। ମଞ୍ଚେଶ୍ବରର ଜଣେ ୩୬ବର୍ଷୀୟ, ଭିଏସ୍‌ଏସ୍‌ ନଗରର ଜଣେ ୩୪ବର୍ଷୀୟ ଯୁବକ ଏବଂ ସୂର୍ଯ୍ୟନଗର ୬୭ବର୍ଷର ବୃଦ୍ଧ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ତେବେ ଯାଜପୁର ଜିଲ୍ଲା ୫୫ ସଂକ୍ରମିତ ସହ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି। ସେଥିରୁ ଏବେ ବି ୫୪ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ଗଞ୍ଜାମ ଜିଲ୍ଲାରେ ସୁରତ ଫେରନ୍ତାଙ୍କ କାରଣରୁ ପଜିଟିଭ୍ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି। କିଛିଦିନ ତଳେ ସଂକ୍ରମିତ ତାଲିକାରେ ନ ଥିବା ଗଞ୍ଜାମ ଜିଲ୍ଲା ୨୮ ସଂକ୍ରମିତଙ୍କ ସହ ରାଜ୍ୟ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛି। ସେହିପରି ବାଲେଶ୍ବର ୨୭, ଭଦ୍ରକ ୨୧, ସୁନ୍ଦରଗଡ଼ ୧୨, ଜଗତସିଂହପୁର‌ ୫ ଓ ମୟୂରଭଞ୍ଜ ୪ ଜଣ ସଂକ୍ରମିତଙ୍କ ସହ ଯଥାକ୍ରମେ ଚତୁର୍ଥରୁ ଅଷ୍ଟମ ସ୍ଥାନରେ ରହିଛନ୍ତି।

ରାଜ୍ୟ‌ରେ ଚିହ୍ନଟ ୨୧୯ ସଂକ୍ରମିତଙ୍କ ମଧ୍ୟରେ ୧୬୮ଜଣ ପୁରୁଷ ଓ ୫୧ଜଣ ମହିଳା ରହିଛନ୍ତି। ଆଜି ରାଜଧାନୀର ଜଣେ ସଂକ୍ରମିତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଧା ଜିଲ୍ଲାରେ ୫୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୩୨ଜଣ ସୁସ୍ଥ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ୨ଜଣ କରୋନାରେ ପ୍ରାଣ ହରାଇଥିବା ସହିତ ୧୬ଜଣଙ୍କ ଏବେ ବି ଚିକିତ୍ସା ଜାରି ରହିଛି।

୧୧ ଦିନରେ ୧୦୦ରୁ ୨୦୦ ପାର୍
ଭୁବନେଶ୍ବର : ମାତ୍ର ୧୧ଦିନ ମଧ୍ୟରେ ରାଜ୍ୟରେ କରୋନା ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି। ପୂର୍ବରୁ ରାଜ୍ୟରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ହଠାତ୍ ସୁରତ ଫେରନ୍ତାଙ୍କ କାରଣରୁ ଏହି ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି। ଏହି ୧୧ ଦିନ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ୨ଶହ ପାର ହୋଇ ୨୧୯ରେ ପହଞ୍ଚିଛି। ଯେଉଁଭଳି ଢଙ୍ଗରେ ପ୍ରତିଦିନ ପଜିଟିଭ୍ ଚିହ୍ନଟ ହେଉଛନ୍ତି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ଶହ ପାର ହେବାକୁ ମଧ୍ୟ ଖୁବ୍ କମ୍ ଦିନ ଲାଗିବ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟରେ ମାର୍ଚ ୧୫ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସଂପୃକ୍ତ ଯୁବକ ଜଣକ ବିଦେଶ ଫେରନ୍ତା ଥିଲେ। ପରବର୍ତୀ ସମୟରେ ଦିଲ୍ଲୀର ନିଜାମୁଦ୍ଦିନ୍‌ ଫେରନ୍ତାଙ୍କ କାରଣରୁ ରାଜ୍ୟରେ କିଛିଟା ସଂକ୍ରମଣ ବଢ଼ିଥିଲା। ହେଲେ ଲକ୍‌ଡାଉନ୍‌ ସମୟରେ ପଶ୍ଚିମବଙ୍ଗରୁ ଲୁଚିଛପି ଆସିବା ଯୋଗୁଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବଢ଼ି ଯାଇଥିଲା। ପଶ୍ଚିମବଙ୍ଗ ଲିଙ୍କ୍‌ରେ ରାଜ୍ୟରେ ୫୦ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ତହିଁରୁ ସର୍ବାଧିକ ମାମଲା ଯାଜପୁର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ରହିଛି। ଏପ୍ରିଲ ୨୬ତାରିଖରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଥିଲା। ଏଥିପାଇଁ ୪୧ଦିନ ସମୟ ଲାଗିଥିଲା।

ମାତ୍ର ଏବେ ସୁରତ ଫେରନ୍ତା ରାଜ୍ୟବାସୀଙ୍କ ଚିନ୍ତାର କାରଣ ପାଲଟିଛନ୍ତି। ଗତମାସ ୨୬ତାରିଖରୁ ଆଜି ମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ରୁ ବଢ଼ି ୨ଶହ ଡେଇଁଛି। ଗତ କିଛିଦିନ ହେବ ରାଜ୍ୟରେ ପ୍ରତିଦିନ ୫ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଆଜି ରେକର୍ଡ଼ ୩୪ଜଣଙ୍କୁ ଚିହ୍ନଟ କରାଯାଇଛି। ଯାହାଫଳରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ବଢ଼ି ୨୧୯ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର