କ୍ବାରାଣ୍ଟିନ୍‌ ସେଣ୍ଟର ଆଳରେ ଦୁର୍ନୀତି ଢଙ୍କା: ଭିନ୍ନ ରୂପରେ ଜାରି ରହିଛି ପାଇଖାନା ଦୁର୍ନୀତି

ବରଗଡ଼: ଗୋଟିଏ ପଟେ କରୋନା ମୁକାବିଲା ପାଇଁ ସରକାର ଆଖିବୁଜା ଖର୍ଚ୍ଚ କରୁଛନ୍ତି। ଅନ୍ୟପଟେ ସରକାରୀ ଟଙ୍କାରୁ ହରିଲୁଟ୍‌ କରିବା ପାଇଁ ଯୋଜନାବଦ୍ଧ ଦୁର୍ନୀତି ଚାଲିଛି। ବରଗଡ଼ ଜିଲ୍ଲାରେ ପାଇଖାନା ଦୁର୍ନୀତି ବହୁ ପୁରୁଣା। ପୂର୍ବରୁ ବରପାଲି ବ୍ଲକ୍‌ର ବିଭିନ୍ନ ଗାଁରେ ଶତାଧିକ ପାଇଖାନା ଦୁର୍ନୀତି ସାମ୍‌ନାକୁ ଆସିଥିଲା। ମାମଲାର ଭିଜିଲାନ୍ସ ତଦନ୍ତ ଚାଲିଥିଲା। ପଦ୍ମପୁର ଉପଖଣ୍ଡରେ ମଧ୍ୟ ପୂର୍ବରୁ ପାଇଖାନା ଦୁର୍ନୀତି ଦେଖିବାକୁ ମିଳିଥିଲା। କିନ୍ତୁ ବାରମ୍ବାର ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏବେ କ୍ବାରାଣ୍ଟିନ୍‌ ସେଣ୍ଟର ଆଳରେ ଦୁର୍ନୀତି ଢାଙ୍କିବାକୁ ଉଦ୍ୟମ ଚାଲିଛି।

ବିଭିନ୍ନ ସ୍କୁଲ‌କୁ ବର୍ତମାନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା କ୍ବାରାଣ୍ଟିନ୍‌ ସେଣ୍ଟର ଭାବେ ପରିଣତ କରାଯାଇଛି। ପଞ୍ଚାୟତ ପିଛା ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଛି। କିନ୍ତୁ ଏହି ଟଙ୍କା ମାରଣ କରିବାକୁ ବ୍ୟାପକ ଖେଳ ଚାଲିଛି। ପୂର୍ବରୁ ବିଭିନ୍ନ ବେସରକାରୀ ସଂସ୍ଥା ନିଜ ପାରିପାର୍ଶ୍ବିକ ବିକାଶ ପାଣ୍ଠି (ସିଏସ୍‌ଆର୍‌ ପାଣ୍ଠି)ରୁ ଜିଲ୍ଲାର ଗୁଡ଼ାଏ ସ୍କୁଲକୁ ଅନୁଦାନ ମିଳିଥିଲା। ଏହି ଟଙ୍କାରେ ସ୍କୁଲ କୋଠା ସହ ପାଇଖାନା ବି ନିର୍ମାଣ ହୋଇଥିଲା। ଏଭଳି ଶହେରୁ ଅଧିକ ସ୍କୁଲ ବରଗଡ଼ ଜିଲ୍ଲାରେ ରହିଛି। କିନ୍ତୁ କ୍ବାରାଣ୍ଟିନ୍‌ ସେଣ୍ଟର ଭାବେ କାର୍ଯ୍ୟ କରୁଥିବା ସ୍କୁଲଗୁଡ଼ିକରେ କୌଣସି ନୂଆ ପାଇଖାନା ନିର୍ମାଣ ହେଉନାହିଁ ବରଂ କମ୍ପାନିଗୁଡ଼ିକର ସିଏସ୍‌ଆର୍‌ ପାଣ୍ଠିରୁ ପୂର୍ବରୁ ତିଆରି ହୋଇଥିବା ପାଇଖାନାକୁ ସାମାନ୍ୟ ମରାମତି କରାଯାଉଛି। ନୂଆ ପାଇଖାନା ନିର୍ମାଣ ହୋଇଥିବା ବିଲ୍‌ କରାଯାଉଛି। କରୋନା ମୁକାବିଲା ପାଇଁ ପଞ୍ଚାୟତକୁ ମିଳିଥିବା ୫ଲକ୍ଷ ଟଙ୍କା ଏଭଳି ଭାବେ ହଡ଼ପ୍‌ କରାଯାଉଛି।

ବିଶେଷକରି ଦୁର୍ଗମ ଏବଂ ସୀମାନ୍ତ ଇଲାକ‌ାରେ ଏହି ଦୁର୍ନୀତି ବ୍ୟାପକ ହୋଇଛି। ଅନ୍ୟପକ୍ଷରେ ଲକ୍‌ଡାଉନ୍‌ ବେଳେ ଉନ୍ନୟନମୂଳକ କାମ ଆରମ୍ଭ କରିବାକୁ ସରକାର ପୂର୍ବରୁ ହିଁ ସବୁଜ ସଂକେତ ଦେଇ ସାରିଛନ୍ତି। ସ୍ବଚ୍ଛ ଭାରତ ଯୋଜନା ମଧ୍ୟ କିଛି ବ୍ଲକ୍‌ରେ ଆରମ୍ଭ ହୋଇଛି। କିନ୍ତୁ ପୂର୍ବରୁ ପାଇଖାନା ପାଇଥିବା ହିତାଧିକାରୀଙ୍କ ପାଇଁ ପୁନର୍ବାର ପାଇଖାନା ନିର୍ମାଣ ଚାଲିଛି। କ୍ଷେତ ଭିତରେ, ନିଛାଟିଆ ରାସ୍ତାରେ ପାଇଖାନା ନିର୍ମାଣ କରି ବିଲ୍‌ କରାଯାଇଛି। ନୂଆ ନିର୍ମାଣ ହେଉଥିବା ପାଇଖାନା ମଧ୍ୟ ନାମକୁ ମାତ୍ର। ଏଥିରେ ପିଟ୍‌ ରହୁନାହିଁ କି କବାଟ ନାହିଁ। ପାଣି ପାଇଁ ମଧ୍ୟ କିଛି ସୁବିଧା ନାହିଁ। ମାମଲାର ବିଧିବଦ୍ଧ ତଦନ୍ତ ହେଲେ ଜିଲ୍ଲାରେ ଏକ ବଡ଼ଧରଣର କେଳେଙ୍କାରୀର ପର୍ଦ୍ଦାଫାସ ହୋଇପାରିବ ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର