ରାଜ୍ୟରେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ, ୨୪ ଘଣ୍ଟାରେ କରୋନା ନେଲା ୩୨ ମୁଣ୍ଡ

ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ଟପିଲା, ସୁସ୍ଥ ହେଲେ ୬ଲକ୍ଷରୁ ଅଧିକ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରରେ ରାଜ୍ୟ‌ରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ରେକର୍ଡ କରୁଛି କରୋନା ମୃତ୍ୟୁ। ପୂର୍ବରୁ ଏହା ୨୨-୨୪ ଭିତରେ ସୀମିତ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। କରୋନାରେ ମୃତ୍ୟୁର ପ୍ରକୃତ ତଥ୍ୟକୁ ନେଇ ରାଜ୍ୟ ସରକାର ବାରମ୍ବାର ସମାଲୋଚିତ ହେବା ପରେ ଏହି ସଂଖ୍ୟାରେ ଏବେ ବୃଦ୍ଧି ନଜରକୁ ଆସୁଥିବା ବିଶେଷଜ୍ଞ ମହଲାରେ ଚର୍ଚା ହେଉଛି। ୩୨ ମୃତକଙ୍କ ମଧ୍ୟରେ ଖୋର୍ଧାରୁ ସର୍ବାଧିକ ୬ଜଣ ରହିଛନ୍ତି। ଏହାସହ ଗଞ୍ଜାମ, ଝାରସୁଗୁଡ଼ାରେ ୪ ଲେଖାଏଁ, ସୁନ୍ଦରଗଡ଼, ଅନୁଗୁଳ, କଳାହାଣ୍ଡିରେ ୩ ଲେଖାଏଁ, ଗଜପତି ୨, ସମ୍ବଲପୁର, ନୟାଗଡ଼, କେନ୍ଦୁଝର, ବଲାଙ୍ଗୀର ଓ କଟକରେ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୫୧୬ରେ ପହଞ୍ଚିଛି।

ଅନୁରୂପ ଭାବେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ପାର୍ କରିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧,୦୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଯାହାଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୩ହଜାର ୪୪୧କୁ ବୃଦ୍ଧି ପାଇଛି। ଗତ ମାର୍ଚ ୧ତାରିଖରୁ ଆଜି ପର୍ଯ୍ୟନ୍ତ ୮୪ଦିନରେ ୩ଲକ୍ଷ ୬୬ହଜାର ୧୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ରାଜ୍ୟରେ। ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ର ଏ ଯାଏ କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ। ଯଦି ଏହି ହାରରେ ସଂକ୍ରମଣ ବୃଦ୍ଧି ପାଏ ତାହାଲେ ଖୁବଶୀଘ୍ର ୮ଲକ୍ଷ ସଂଖ୍ୟା ମଧ୍ୟ ପାର୍ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ତେବେ ଦୈନିକ ପଜିଟିଭ୍ ହାର(ଟିପିଆର)ରେ ହ୍ରାସ ନଜରକୁ ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୬,୫୧୨ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ୍ ହାର ୧୬.୬ ପ୍ରତିଶତ ରହିଛି। ହେଲେ କଟକ ଏବେ ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ପାଲଟିଛି। କଟକରୁ ସର୍ବାଧିକ ୧୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ରହିଛି ଖୋର୍ଧା। ଜିଲ୍ଲାରୁ ୧୦୧୦ ଆକ୍ରାନ୍ତ, ଅନୁଗୁଳ ୮୫୯, ସୁନ୍ଦରଗଡ଼ ୭୨୯, ମୟୂରଭଞ୍ଜ ୬୬୨, ଯାଜୁପର ୫୬୪, ପୁରୀ ୩୪୦, କଳାହାଣ୍ଡି ୪୦୭, ବାଲେଶ୍ବର ୪୦୦, ସମ୍ବଲପୁର ୩୭୯, ଭଦ୍ରକ ୩୭୭, ବରଗଡ଼ ୩୬୭, ଢେଙ୍କାନାଳ ୩୫୧ ଓ ଷ୍ଟେଟ ପୁଲରୁ ୨୦୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ରାଜ୍ୟରେ ସୋମବାର ୧୧,୬୧୪ କ‌ରୋନା ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬ଲକ୍ଷ ୧ହଜାର ୨୨୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୯୯,୬୪୮ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଗତକାଲି ଏହି ସଂଖ୍ୟା ୧ଲକ୍ଷ ଟପିଥିଲା। ‌ଆଜି ଅଧିକ ରୋଗୀ ସୁସ୍ଥ ହେ ବା କାରଣରୁ ଏଥିରେ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର