ରାଜ୍ୟରେ ୫୦ ଉପରେ ମୃତ୍ୟୁ ଜାରି

ମୟୂରଭଞ୍ଜରେ ସଂକ୍ରମଣ ହାରରେ ଅଚାନକ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ମୃତ୍ୟୁର ଟ୍ରେଣ୍ଡ ୫୦ ଉପରେ ଜାରି ରହିଛି। ବଳକା କୋଭିଡ୍ ମୃତ୍ୟୁର ସମୀକ୍ଷା ପରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉଥିବାରୁ ଏହି ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ଚଳିତ ମାସ ଶେଷ ସୁଦ୍ଧା ଏହି ଧାରା ଜାରି ରହିପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟରେ ଆଉ ୫୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଫଳରେ ସମୁଦାୟ ମୃତ୍ୟୁ ସଂଖ୍ୟା ୪୪୧୫କୁ ବୃଦ୍ଧି ପାଇଛି।

ଖୋର୍ଧାରେ ସର୍ବାଧିକ ୧୦ଜଣ ପ୍ରାଣ ହରାଇଛନ୍ତି। ସୁନ୍ଦରଗଡ଼, ପୁରୀ, ନୟାଗଡ଼, ଗଞ୍ଜାମ, ବରଗଡ଼ରେ ୫ଜଣ ଲେଖାଏଁ, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟରେ ୪ଜଣ ଲେଖାଏଁ, ମୟୂରଭଞ୍ଜ, ଅନୁଗୁଳରେ ୩ ଲେଖାଏଁ, ବାଲେଶ୍ବର,କଟକ, ଦେବଗଡ଼, ରାୟଗଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ସର୍ବାଧିକ ୭୨୦, ସୁନ୍ଦରଗଡ଼ ୩୮୪, ଗଞ୍ଜାମ ୩୬୪, କଟକ ୩୦୩ ପ୍ରାଣ ହରାଇଛନ୍ତି।

bbc.com

ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିଲେ ହେଁ କିଛି ଜିଲ୍ଲାରେ ସଂକ୍ରମଣ ହାର ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି। ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ହାର ଅଚାନକ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ଜିଲ୍ଲାର ସଂକ୍ରମଣ ୧୭.୮ପ୍ରତିଶତ ‌ନଜରକୁ ଆସିଛି। ରାଜ୍ୟର ସଂକ୍ରମଣ ହାର ୩.୫ ପ୍ରତିଶତକୁ ଖସି ଆସିଥିବା ବେଳେ ମୟୂରଭଞ୍ଜରେ ବୃଦ୍ଧି ପାଇବା ରାଜ୍ୟ ସରକାରଙ୍କ କରୋନା ଲଢ଼େଇ ପ୍ରତି ଆହ୍ବାନ ସୃଷ୍ଟି କରିଛି। ଏହାସହିତ ଖୋର୍ଧା ୭, କଟକ ୬.୫, ବାଲେଶ୍ବରରେ ୫.୫ପ୍ରତିଶତ ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାର ୧ ପ୍ରତିଶତ ତଳେ ରହିଛି। ରାଜ୍ୟ ସରକାର ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ସ‌ର୍ଭେଲାନ୍‌ସ ସହିତ ଟେଷ୍ଟିଂକୁ ଗୁରୁତ୍ବ ଦେବା କଥା କହୁଛନ୍ତି। ମାତ୍ର ଏସବୁ ‌ଜିଲ୍ଲାରେ କେଉଁଦିନ ବଢ଼ୁଛି ତ ଆଉ କେଉଁଦିନ କମୁଛି। ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସୁନାହିଁ।

କାଟାଗୋରି ‘ବି’ ଜିଲ୍ଲାରେ ସଂକ୍ରମଣ ପୂର୍ବଭଳି ଜାରି ରହିଛି। କଟକରେ ସର୍ବାଧିକ ୪୨୮, ଖୋର୍ଧା ୪୨୪, ବାଲେଶ୍ବର ୨୨୨, କେନ୍ଦ୍ରାପଡ଼ା ୧୬୭, ପୁରୀ ୧୫୦, ଯାଜପୁର ୧୩୯, ଜଗତସିଂହପୁର ୧୨୮, ମୟୂରଭଞ୍ଜ ୧୨୪, ଭଦ୍ରକ ୧୦୦ ଓ ଷ୍ଟେଟ୍‌ ପୁଲରୁ ୭୭ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୨୧ଟି ଜିଲ୍ଲାରେ ଶହେରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୩୨ହଜାର ୩୩୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୨୮୯୬ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୩ହଜାର ୧୭୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୪,୬୮୪କୁ ଖସି ଆସିଛି।

ଏପ୍ରିଲ ମାସରେ ରାଜ୍ୟରେ ୧,୧୩,୫୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ
ମେ ମାସରେ ୩,୨୦,୮୦୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୧୧ ମୁଣ୍ଡ ନେଇଛି ମହାମାରୀ
ଜୁନ ମାସରେ ୧,୪୪,୭୭୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୬୪ ମୁଣ୍ଡ ନେଇଛି ମହାମାରୀ
ଜୁଲାଇ ମାସର ୮ ଦିନରେ ୨୨,୫୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୭ ମୁଣ୍ଡ ନେଲା ମହାମାରୀ

ସମ୍ବନ୍ଧିତ ଖବର