୭ମ କ୍ଷମତାସମ୍ପନ୍ନ ମନ୍ତ୍ରୀ ଗୋଷ୍ଠୀ ବୈଠକରେ ନିଷ୍ପତ୍ତି : କୋଭିଡ୍‌ ହସ୍ପିଟାଲ୍‌ ଶଯ୍ୟା ୧୦ ହଜାରକୁ ବଢ଼ିବ

ଏଣିକି ଦୈନିକ ୧୫ ହଜାର ନମୁନା ପରୀକ୍ଷା
୨୦୧୩ ଟବାକୋ ନିଷେଧ ନିର୍ଦ୍ଦେଶନାମା
ବ୍ୟବସାୟୀଙ୍କ ପାଇଁ ପରିମଳ ପ୍ରମାଣ ପତ୍ର ପାଇଁ ଆଲୋଚନା

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ହସ୍ପିଟାଲ୍‌ ଶଯ୍ୟା ସଂଖ୍ୟା ୧୦ ହଜାରକୁ ବୃଦ୍ଧି କରାଯିବ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଦୈନିକ ୧୫ ହଜାର ନମୁନା ପରୀକ୍ଷା ହେବ। ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୭ମ ଉଚ୍ଚ କ୍ଷମତାସମ୍ପନ୍ନ ମନ୍ତ୍ରୀ ଗୋଷ୍ଠୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଗୁଟଖା, ଜର୍ଦ୍ଦା ପାନ ମସଲା ଆଦି ଟବାକୋ ନିଷେଧ ନେଇ ୨୦୧୩ରେ ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମାକୁ ସାରା ରାଜ୍ୟରେ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହିତ ବ୍ୟବସାୟୀଙ୍କୁ ଟ୍ରେଡ୍‌ ଲାଇସେନ୍‌ସ୍‌ ସହିତ ପରିମଳ ପ୍ରମାଣ ପତ୍ର ପ୍ରଦାନ ନେଇ ବୈଠକରେ ଆଲୋଚନା ହୋଇଛି।

ବୈଠକ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କରୋନା ସଂକ୍ରମଣ ଚିହ୍ନଟ ପାଇଁ ରାଜ୍ୟରେ ବର୍ତ୍ତମାନ ଦୈନିକ ହାରାହାରି ୪ ହଜାର ୫୦୦ଟି ନମୁନା ପରୀକ୍ଷା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶମୁତାବକ ଏହାକୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି କିଣା ବାବଦରେ ଆସିଥିବା ପ୍ରସ୍ତାବକୁ ମନ୍ତ୍ରୀଗୋଷ୍ଠୀ ଅନୁମୋଦନ କରିଛି। ଏହାସହିତ ବିଭିନ୍ନ ସ୍ଥାନରେ କୋଭିଡ୍‌ ପରୀକ୍ଷା କେନ୍ଦ୍ର ଖୋଲିବାକୁ ମଧ୍ୟ ଆଲୋଚନା ହୋଇଛି। ରାଜ୍ୟରେ ୪ଟି ନୂଆ ମେଡିକାଲ୍‌ କଲେଜ୍ ଯଥା କୋରାପୁଟ, ବଲାଙ୍ଗୀର, ବାରିପଦା ଓ ବାଲେଶ୍ବରଠାରେ ନମୁନା ପରୀକ୍ଷା ଲାଗି ପଦକ୍ଷେପ ନିଆଯାଉଛି। ଚଳିତମାସ ଶେଷ ସୁଦ୍ଧା ଏସବୁ ସ୍ଥାନରେ ପରୀକ୍ଷା ଆରମ୍ଭ କରାଯିବ। ସେହିଭଳି ଘରୋଇ ଡାକ୍ତରଖାନାଗୁଡ଼ିକରେ କରୋନା ପରୀକ୍ଷା ପାଇଁ ଟେଣ୍ଡର ଜାରି ରହିଥିବାବେଳେ କେତେକ ଡାକ୍ତରଖାନା ଏଥିରେ ଭାଗ ନେଇଛନ୍ତି। ଖୁବଶୀଘ୍ର ଏ ପ୍ରକ୍ରିୟା ବି ଚୂଡ଼ାନ୍ତ କରାଯିବ। ଏବେ ଯେଉଁସବୁ ବ୍ଲକରେ ଅଧିକ ସଂଖ୍ୟକ ପ୍ରବାସୀ ପହଞ୍ଚିବାରେ ଲାଗିଛନ୍ତି, ସେଠାରେ ସଙ୍ଗରୋଧ କେନ୍ଦ୍ର ଶଯ୍ୟା ବୃଦ୍ଧି ଲାଗି ପଦକ୍ଷେପ ନିଆଯାଉଛି। ନୂଆ ମାର୍ଗଦର୍ଶିକା ଅନୁଯାୟୀ ସଙ୍ଗରୋଧ କେନ୍ଦ୍ରର ୧୦୦ ମିଟର ପରିଧି ମଧ୍ୟରେ ଲୋକଙ୍କ ଯା ଆସ ଉପରେ କଟକଣା ଲଗାଯାଇଛି। ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି। ବିଶେଷକରି ସମସ୍ତେ ଯେଭଳି ମାସ୍କ୍‌ ପିନ୍ଧିବେ ଓ ବାହାରେ ଅଧିକ ସଂଖ୍ୟାରେ ବୁଲାବୁଲି ନ କରିବେ, ତାହା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ୧ ଲକ୍ଷ ରାପିଡ୍‌ ଟେଷ୍ଟ୍‌ କିଟ୍‌, ଟ୍ରିପଲ୍‌ କେୟାର୍‌ ଫେସ୍‌ ମାସ୍କ୍‌, ୬ଟି ଆର୍‌ଟିପିସିଆର୍‌ ମେସିନ୍‌, କୋବାସ୍‌ ମେସିନ୍‌, ୨ଟି ବିଏସ୍‌ଏଲ୍‌ ଲ୍ୟାବ୍‌, ୧୦୦ଟି ଟ୍ରୁନ୍ୟାଟ୍‌ ମେସିନ୍‌, ୫ ହଜାର ଇନ୍‌ଫ୍ରାରେଡ୍‌ ଥର୍ମୋମିଟର୍‌ କିଣିବା ପାଇଁ ବ୍ୟବସ୍ଥା କରାଯାଇଛି। ସମସ୍ତ ଘରୋଇ, ସରକାରୀ ହସ୍ପିଟାଲ୍‌, ଲାବୋରୋଟରୀ ପରିସର, ଉଟ୍ଟ ଅଟ୍ଟାଳିକା, ସ୍କୁଲ୍‌, କଲେଜ୍‌, କଲ୍ୟାଣ ମଣ୍ଡପ, ପାର୍କ, ସିନେମା ହଲ୍‌, ବାଣିଜ୍ୟିକ ପ୍ରତିଷ୍ଠାନ, ଧର୍ମୀୟ ଅନୁଷ୍ଠାନ, କଳକାରଖାନା ଓ ସାଧାରଣ ସ୍ଥାନଗୁଡ଼ିକ ପରିଷ୍କାର ପରିଚ୍ଛନ ରଖିବା ତଥା ଜୀବାଣୁମୁକ୍ତ କରିବା ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ଏସବୁ ସ୍ଥାନରେ ହାତ ଧୋଇବା ପାଇଁ ଵାସ୍‌ ବେସିନ୍‌ ରହିବା ଦରକାର। ଜଳ ଯୋଗାଣ ବ୍ୟବସ୍ଥା ସହ ସାବୁନ୍‌ ଓ ହ୍ୟାଣ୍ଡ୍‌ ଓ୍ବାସ୍‌ ବ୍ୟବସ୍ଥା ରହିବା ଉଚିତ୍‌। କୌଣସି ବ୍ୟକ୍ତି ହାତ ସଫା ନ କରି ଏସବୁ ସ୍ଥାନକୁ ପ୍ରବେଶ କରିପାରିବେ ନାହିଁ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ଘରେ ସ୍ବାସ୍ଥ୍ୟ ସେବା ଯୋଗାଣ ଦେବା ପାଇଁ ସ୍ବତନ୍ତ୍ର ନିୟମ ପ୍ରଣୟନ କରାଯିବା ଉଚିତ୍‌। କୋଭିଡ୍‌-୧୯ କ୍ଷେତ୍ରରେ ସଚେତନତା ସୃଷ୍ଟି ଓ ପ୍ରତିକାର ବ୍ୟବସ୍ଥା ପାଇଁ ସାଧାରଣ ପରିଚ୍ଛନତା ହାତଧୁଆ ଓ ସାମାଜିକ ଦୂରତା ରକ୍ଷା ବଜାୟ ରଖିବା ଭଳି ବିଷୟକୁ ପ୍ରାଥମିକ ସ୍ତରଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ବାଆରୋପ କରିଛନ୍ତି।

ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ଲୋକସେବା ଭବନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମାହାପାତ୍ର, ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିବାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସେମାନଙ୍କ ଜିଲ୍ଲା ମୁଖ୍ୟାଳୟରୁ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର