ଦେବଗଡ଼ରେ ଖୋଲିଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ, କୋଭିଡ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ: ମୁଖ୍ୟମନ୍ତ୍ରୀ

କୋଭିଡ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ଦେବଗଡ଼: ଦେବଗଡ଼ରେ ବେଦାନ୍ତ ଗ୍ରୁପ୍ ସହଯୋଗରେ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଆଜି ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରି କହିଥିଲେ ଯେ କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ। ଏଥି ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଏ ଦିଗରେ ବେସରକାରୀ ଚିକିତ୍ସାଳୟ ସହିତ କର୍ପୋରେଟ୍ ସେକ୍ଟର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପିଏସ୍‌ୟୁମାନେ ଆଗେଇ ଆସିବା ଖୁସିର କଥା। ସମସ୍ତେ ନିଜ ନିଜ ସ୍ତରରେ ମୁକାବିଲା କରିବା ପାଇଁ କାମ କରିବା ଦରକାର।

ଦେବଗଡ଼ର ତିଲେଇବଣି ବ୍ଲକ ଅନ୍ତର୍ଗତ କଳାମାଟି ଗ୍ରାମରେ ନବନିର୍ମିତ ଏକଲବ୍ୟ ବିଦ୍ୟାଳୟ ଛାତ୍ରୀ ନିବାସ କୋଠାରେ କରାଯାଇଥିବା ଏହି ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଶିଶୁ ଶଯ୍ୟା ସହିତ ୧୨ଟି ଆଇସିୟୁ, ୩୨ଟି ଏଚ୍‌ଡିୟୁ, ସ୍ବତନ୍ତ୍ର ଶିଶୁ ୱାର୍ଡ ସହିତ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ପରୀକ୍ଷାଗାରର ସୁବିଧା ରହିଛି। ଏଠାରେ ସମସ୍ତ ଚିକିତ୍ସା ସୁବିଧା, ଔଷଧ ଯୋଗାଣ, ରୋଗୀଙ୍କୁ ଖାଦ୍ୟ ବ୍ୟବସ୍ଥା ଦାୟିତ୍ବ ରାଜ୍ୟ ସରକାର ହାତକୁ ନେଇଛନ୍ତି। ବିକାଶ ଗ୍ରୁପ୍ ଏହାର ପରିଚାଳନା କରିବ। ଜିଲ୍ଲାରେ ଏହା ଦ୍ବିତୀୟ କୋଭିଡ ହସ୍ପିଟାଲ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ଦ୍ବିତୀୟ ଲହର ଏ ପର୍ଯ୍ୟନ୍ତ ଶେଷ ହୋଇ ନ ଥିବା ବେଳେ ତୃତୀୟ ଲହରର ସୂଚନା ଆସିଲାଣି । ଏହାର ମୁକାବିଲା ପାଇଁ ଆମର ପ୍ରସ୍ତୁତି ଜାରି ରହିଛି। କୋଭିଡ ପରିଚାଳନାରେ ଆମର ନୀତି ହେଉଛି – ସବୁ ଜୀବନ ମୂଲ୍ୟବାନ। ଏହି ନୀତିରେ ରାଜ୍ୟ ସରକାର ଚିକିତ୍ସା, ଟେଷ୍ଟିଂ, ଖାଦ୍ୟ ଆଦି ସବୁ ବ୍ୟବସ୍ଥାର ଦାୟିତ୍ବ ନିଜ ହାତକୁ ନେଇଛନ୍ତି। ଦେବଗଡ଼ର ଏହି ହସ୍ପିଟାଲ ସ୍ଥାପନରେ ବେଦାନ୍ତର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ କୋଭିଡର ଦ୍ବିତୀୟ ଲହରରେ ପଶ୍ଟିମ ଓଡ଼ିଶା ଅଧିକ ପ୍ରଭାବିତ ହୋଇଥିଲା। ସମସ୍ତଙ୍କ ସହଯୋଗରେ ଏହାକୁ ନିୟନ୍ତ୍ରଣ କରାଯାଇପାରିଛି। କୋଭିଡ ନିୟନ୍ତ୍ରଣରେ ଦେବଗଡ଼ ଜିଲ୍ଲା ବହୁତ ଭଲ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଜନସାଧାରଣ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସମସ୍ତଙ୍କ ପ୍ରଚେଷ୍ଟା ବଳରେ ଓଡ଼ିଶାରେ କୋଭିଡର ପ୍ରଭାବ କମିବାରେ ଲାଗିଛି। ଆଗାମୀ ଦିନରେ କରୋନାର ସମ୍ଭାବ୍ୟ ଲହର ପାଇଁ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଦୃଷ୍ଟିରୁ ଆମ ରାଜ୍ୟର ସ୍ବାସ୍ଥ୍ୟଗତ ଢାଞ୍ଚାକୁ ସ୍ଥାୟୀ ଭାବରେ ପ୍ରସ୍ତୁତ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାରଙ୍କ ପକ୍ଷରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ମାଗଣାରେ ଟିକାକରଣ ଆରମ୍ଭ ହୋଇଛି। ଟିକା ଏକ ସ୍ଥାୟୀ ବ୍ୟବସ୍ଥା ହୋଇଥିବାରୁ ରାଜ୍ୟ ସରକାର ମଧ୍ୟ ଟିକା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସମ୍ବଲପୁର ଜିଲ୍ଲାରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍‌ସିଏଲ୍ ତରଫରୁ ଏକ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଉଥିବା ବେଳେ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏହି ହସ୍ପିଟାଲର କାମ ଆରମ୍ଭ କରିବା ପାଇଁ ଅନୁମତି ଦେବେ ବୋଲି ସେ ଆଶାପ୍ରକଟ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଓଡ଼ିଶାରେ କୋଭିଡ ମୁକାବିଲା, ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ। ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ କୋଭିଡ ପରିଚାଳନାରେ ଓଡ଼ିଶା ଦେଶରେ ଏକ ନମ୍ବର। ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଟିକାକରଣ ସମେତ ରାଜ୍ୟର ଯେ କୌଣସି କାର୍ଯ୍ୟକ୍ରମ ପାଇଁ ବେଦାନ୍ତ ଗ୍ରୁପ ସହଯୋଗ କରିବା ନିମନ୍ତେ ସବୁବେଳେ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ। ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ମତାମତ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ସ୍ବାଗତ ଭାଷଣ ଦେଇଥିଲେ ଓ ବେଦାନ୍ତର ସିଇଓ ରାହୁଲ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପି. କେ. ଜେନା ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି. କେ. ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବେଦାନ୍ତ ଗ୍ରୁପ୍ ସିଇଓ ଅନୁରାଗ ତିୱାରୀ, ବିକାଶ ହସ୍ପିଟାଲ ଗ୍ରୁପ ଅଧ୍ୟକ୍ଷ ଡା. ମୁରଲୀ କ୍ରିଷ୍ଣାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ ଓ ଉପାଧ୍ୟକ୍ଷା ଜୟକୃଷ୍ଣ ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର