ଦୀନବନ୍ଧୁ ମିଶ୍ର ଆତ୍ମଦାହ ମାମଲା: ପୁଲିସକୁ କୋର୍ଟଙ୍କ ଆଦେଶ,୧୫ ଦିନରେ ରିପୋର୍ଟ ଦାଖଲ କର

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲାର ତଦନ୍ତରେ ମନ୍ଥରତା ନେଇ ବିଭିନ୍ନ ମହଲରେ ଅ‌ସନ୍ତୋଷ ପ୍ରକାଶ ପାଇଥିବାବ‌େଳେ ଏବେ ମାନ୍ୟବର ଏସ୍‌ଡ‌ିଜେମ୍‌ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ବୁର୍ଲା ପୁଲିସକୁ କହିଛନ୍ତି।

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ଦ୍ବାରା ଅପମାନିତ ହେବାପରେ ଗତ ୨୦ ଏପ୍ରିଲ ୨୦୨୧ରେ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମଦାହ କରିଥିଲେ। ଗତ ୨୧ ତାରିଖ ଦିନ ଦୀନବନ୍ଧୁଙ୍କ ପୁତ୍ର ଅଭିଷେକ ମିଶ୍ର ବୁର୍ଲା ଥାନାରେ ବୁର୍ଲା ଥାନାରେ ଏତଲା ଦେଇଥି‌ଲେ। ବୁର୍ଲା ପୁଲିସ ଥାନାରେ ମାମଲା ରୁଜୁ କରିଥିଲେହେଁ ପୁଲିସ ଠିକ୍ ଢଙ୍ଗରେ ତଦନ୍ତ କରୁନଥିବା ତଥା ଏପର୍ଯ୍ୟନ୍ତ ଆଖିଦୃଶିଆ ପଦକ୍ଷେପ ନେଇନଥିବା ସଂକ୍ରାନ୍ତରେ ଅଭିଯୋଗକାରୀଙ୍କ ପକ୍ଷରୁ ତାଙ୍କ ଓକିଲ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲା ଗୁରୁତ୍ବପୂର୍ଣ୍ଣ ପ୍ରମାଣ ସବୁକୁ ଏପର୍ଯ୍ୟନ୍ତ ଜବତ କରାଯାଇନଥିବା ନେଇ ସେ ଏହି ଆବେଦନ‌ରେ ଉଲ୍ଲେଖ କରିଥିଲେ। ମାମଲାର ଅଗ୍ରଗତି ସଂପର୍କରେ ଜାଣିବା ପାଇଁ ଅଭିଯୋଗକାରୀ ଅନେକଥର ବୁର୍ଲା ଥାନାକୁ ଯାଇଛନ୍ତି। ଏସ୍‌ପିଙ୍କୁ ଭେଟିବା ପାଇଁ ବି ପ୍ରୟାସ କରିଛନ୍ତି। ହେଲେ କିଛି ଫଳ ମିଳିପାରିନାହିଁ। ଏଭଳି ସ୍ଥିତିରେ ତଦନ୍ତ ରିପୋର୍ଟ ସହିତ ଏହି ମାମଲାରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେନେଇ ଏକ ରିପୋର୍ଟ ଦାଖଲ ପାଇଁ ଆଦେଶ ଦେବାକୁ ଏସ୍‌ଡିଜେଏମ୍‌ଙ୍କଠାରେ ସେ ନିବେଦନ କରିଥିଲେ। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏସ୍‌ଡିଜେଏମ୍‌ ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହିତ ୧୫ ଦିନ ମଧ୍ୟରେ ଏହି ମାମଲାର ଅଗ୍ରଗତି ସଂପର୍କରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ଗତ ୧୭ ଜୁ୍ନ୍‌ରେ ବୁର୍ଲା ଥାନା ଅଧିକାରୀ/ତଦନ୍ତକାରୀ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଦୀନବନ୍ଧୁଙ୍କ ପତ୍ନୀ ମଧ୍ୟ ପୁଲିସର ତଦନ୍ତ ନେଇ ଅଙ୍ଗୁଳି ଉଠାଇଥିଲେ। ଅପରପକ୍ଷରେ ଅଭିଯୁକ୍ତମାନଙ୍କ ବିରୋଧରେ ଆତ୍ମଦାହ ପୂର୍ବରୁ ଚିଠି, ମୃତ୍ୟୁକାଳୀନ ଜମାନବନ୍ଦୀ ଭଳି ବଳିଷ୍ଠ ପ୍ରମାଣ ଥିବା ସତ୍ତ୍ବେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁନଥିବା ନେଇ ପୁଲିସ ମହାନିର୍ଦ୍ଦେଶକଙ୍କ ଠା‌ରେ ବି ଅଭିଯୋଗ ‌ହୋଇଛି। କେତେକ ଆଇନଜୀବୀ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖି ଦୀନବନ୍ଧୁଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର