ତାଳଚେର କୋଭିଡ୍‌ ହସ୍‌ପିଟାଲରୁ ରୋଗୀ ନିଖୋଜ ! ଡିସଚାର୍ଜ ସାର୍ଟିଫିକେଟ୍ ଧରି ବାପାକୁ ଅପେକ୍ଷା କରିଛି ପୁଅ

ଅନୁଗୁଳ: ତାଳଚେରସ୍ଥିତ କୋଭିଡ ହସପିଟାଲରୁ ଗତକାଲିଠାରୁ ଜଣେ ରୋଗୀ ନିଖୋଜ ଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ଆଜି ଅପରାହ୍ନରେ କୋଭିଡ୍‌ ହସ୍‌ପିଟାଲ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି। ନିଖୋଜ ରୋଗୀଙ୍କ ପରିବାର ଲୋକେ ଦୀର୍ଘ ୨ ଘଣ୍ଟା ଧରି ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ସ୍ଣୋଗାନ ଦେଇଥିଲେ। ସ୍ଥାନୀୟ ପ୍ରଶାସନ ଆସି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ  ହୋଇଥିଲା।

ସୂଚନା ଅନୁସାରେ ତାଳଚେର ଘଣ୍ଟପଡା ଗାଁର ମହରଗା ନାଏକ ନାମକ ଜଣେ ବୃଦ୍ଧ (୭୨) କରୋନାରେ ଆକ୍ରାନ୍ତ ହୋଇ ଗତ ସେପ୍ଟେମ୍ବର ୩୦ ତାରିଖରେ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ହସପିଟାଲ କର୍ତ୍ତୃପକ୍ଷ ମହରଗାଙ୍କ ପୁଅଙ୍କ ପାଖକୁ ଫୋନ କରିଥିଲେ। ହସ୍‌ପିଟାଲ କର୍ତ୍ତୃପକ୍ଷ ତରଫରୁ କୁହାଯାଇଥିଲା ଯେ, ମହରଗାଙ୍କ ବାପା ସୁସ୍ଥ ହୋଇଗଲେଣି। ତାଙ୍କୁ ଆସି ନେଇଯାଅ।

ଗତକାଲି ତାଙ୍କ ପୁଅ ଡାକ୍ତରଖାନା ସମ୍ମୁଖକୁ ଆସିବା ପରେ ବାପାଙ୍କ ଡିସଚାର୍ଜ କାଗଜ ଧରାଇ ଦେଇ ଅପେକ୍ଷା କରିବାକୁ କୁହାଯାଇଥିଲା। ତେବେ ସନ୍ଧ୍ୟା ଯାଇ ରାତି ହେବା ପରେ ମଧ୍ୟ ତାଙ୍କ ବାପା ଆସି ନ ଥିଲେ। ଆଜି ମଧ୍ୟ ସେଠାକୁ ଯାଇ ଅପେକ୍ଷା କରିବା ପରେ ତାଙ୍କ ବାପା ଡାକ୍ତରଖାନାରେ ନଥିବା ଜାଣିବାକୁ ପାଇଥିଲେ। ଏହି ଖବର ପରିବାର ଲୋକ ଓ ଗାଁ ଲୋକ ଜାଣିବା ପରେ ବହୁ ସଂଖ୍ୟାରେ ଲୋକ ଡାକ୍ତରଖାନା ସମ୍ମୁଖରେ ଠୁଳ ହେବା ସହ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ସେପଟେ ଖବର ପାଇ ପୁଲିସ ଓ ତାଳଚେର ଉପ-ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ।

ସମ୍ବନ୍ଧିତ ଖବର