ଆର୍‌ଏମ୍‌ଆର୍‌ସିରେ ମେସିନ ଅଚଳ, ନମୁନା ପରୀକ୍ଷା ବାଧାପ୍ରାପ୍ତ

ଭୁବନେଶ୍ବର : ରାଜ୍ୟର ଆଗଧାଡ଼ିର ପରୀକ୍ଷାଗାର ଥିବା ଆଞ୍ଚଳିକ ବିଜ୍ଞାନ ଗବେଷଣା ପରିଷଦ ବା ଆରଏମ୍‌ଆରସି ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲ୍‌ଏସ୍‌ରେ କୋଭିଡ ନମୁନା ପରୀକ୍ଷା ବାଧାପ୍ରାପ୍ତ ହୋଇଛି। ଆରଏମ୍‌ଆରସିରେ ଅତ୍ୟାଧୁନିକ କୋବାସ୍ ମେସିନ୍‌ ମାଲଫଙ୍କସନ୍ କାରଣରୁ ଅଚଳ ହୋଇଥିବା ବେଳେ ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ରକ୍ଷଣାବେକ୍ଷଣ କାରଣରୁ ନମୁନା ପରୀକ୍ଷା ହୋଇପାରୁ ନ ଥିବା କୁହାଯାଉଛି। ଫଳରେ ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି।

Anadolu Agency

ରାଜ୍ୟରେ ଆରଏମ୍‌ଆରସିରେ ଅତ୍ୟାଧୁନିକ କୋବାସ୍ ମେସିନ୍‌ କୋଭିଡ୍‌ ପରୀକ୍ଷା ପାଇଁ ଲଗାଯାଇଛି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଏହି ମେସିନ୍‌ରେ ମାଲ୍‌ଫଙ୍କସନ୍‌ କାରଣରୁ ନମୁନା ପରୀକ୍ଷା ବାଧାପ୍ରାପ୍ତ ହୋଇଛି। ତେବେ କେବେଠାରୁ ମେସିନ୍‌ ଅଚଳ ରହିଛି ତାହା ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇ ନାହିଁ। ତେବେ ଏହା ପୂର୍ବରୁ ‌ଏହି ଅତ୍ୟାଧୁନିକ ମେସିନ୍‌ ଏକାଧିକ ବାର ଖରାପ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସେହିପରି ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ମେସିନ୍‌ ମଧ୍ୟ ସଟ୍‌ସର୍କିଟ୍‌ କାରଣରୁ ନମୁନା ପରୀକ୍ଷା ବାଧାପ୍ରାପ୍ତ ହୋଇଛି। ଏହି ଦୁଇ ପରୀକ୍ଷାଗାରେ ନମୁନା ପରୀକ୍ଷା ବାଧାପ୍ରାପ୍ତ ହେବା କାରଣରୁ ନମୁନା ପରୀକ୍ଷାରେ ହ୍ରାସ ଘଟିଛି। ତେବେ ରକ୍ଷଣାବେକ୍ଷଣ କାରଣରୁ ଆଜି ନମୁନା ପରୀକ୍ଷା ବନ୍ଦ ରଖାଯାଇଥିବା ଆଇଏଲଏସ୍‌ ସୂତ୍ରରୁ ଜଣାପଡ଼ିଛି।

ଅପରପକ୍ଷରେ ରାଜ୍ୟରେ କୋଭିଡ ନମୁନା ପରୀକ୍ଷାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଗତମାସରେ ରାଜ୍ୟରେ ଗୋଟିଏ ଦିନରେ ୫ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଥିଲା। ଆଗାମୀ ଦିନରେ ଏହାକୁ ଦିନକୁ ୧୫ହଜାର ନମୁନା ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ରାଜ୍ୟର ଦୁଇ ଅତ୍ୟାଧୁନିକ ମେସିନ୍‌ରେ ନମୁନା ପରୀକ୍ଷା ବାଧାପ୍ରାପ୍ତ ହେବା ରାଜ୍ୟ ସରକାରଙ୍କ ଏହି ଆଶାକୁ ଏକପ୍ରକାର ଝଟ୍‌କା ଲାଗିଛି। ରାଜ୍ୟରେ କିଛିଦିନ ଭିତରେ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ରହିଥିବା ସମୟରେ ନମୁନା ପରୀକ୍ଷା ଏକପ୍ରକାର ଜରୁରୀ ହୋଇପଡ଼ିଛି। ମାତ୍ର ମେସିନ୍‌ ଅଚଳ ହେବା କାରଣରୁ ଲୋକମାନଙ୍କ ପରୀକ୍ଷା ବିଳମ୍ବ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର