୧୬ରୁ ବଲାଙ୍ଗୀରରେ ହେବ କୋଭିଡ୍ ପରୀକ୍ଷା: ସ୍ୱାସ୍ଥ୍ୟମନ୍ତ୍ରୀ

କ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ ବୈଠକ: ୨୩ ତାରିଖରୁ କୋରାପୁଟ ଓ ୩୧ରୁ ବାରିପଦାରେ ହେବ କୋଭିଡ୍ ପରୀକ୍ଷା

ଝାରସୁଗୁଡ଼ା: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସ ମାଧ୍ୟମରେ ହୋଇଥବା ଏହି ବୈଠକରେ ରାଜ୍ୟରେ କେରାନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମନ୍ତ୍ରୀ ନବ କିଶୋର ଦାସ ଦେଇଥିବା ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇ ଏହାର କାର୍ଯ୍ୟକାରିତା ନେଇ ନିଷ୍ପତ୍ତି ହୋଇଥିବା ଜଣାଯାଇଛି।

ବୈଠକରେ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦୈନିକ ୧୫ ହଜାର କୋଭିଡ୍ ପରୀକ୍ଷା ପାଇଁ ଦେଇଥିବା ନିର୍ଦ୍ଦେଶ ଉପରେ ଆଲୋଚନା କରାଯାଇଥିଲା। ଏଥିପାଇଁ ଆସନ୍ତା ୧୬ ତାରିଖ ଦିନ ବଲାଙ୍ଗୀର, ୨୩ ତାରିଖରେ କୋରାପୁଟ ଓ ୩୧ ତାରିଖ ଦିନରୁ ବାରିପଦା ଠାରେ କୋଭିଡ୍ ପରୀକ୍ଷା ଆରମ୍ଭ ହେବ।

ସେହିପରି ବର୍ତ୍ତମାନ ରାଜ୍ୟରେ ୬ ହଜାର ଶଯ୍ୟା ସୁବିଧା ଥିବା ବେଳେ ଆହୁରି ୪ ହଜାର ଶଯ୍ୟା ବୃଦ୍ଧି ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। କ‌ୋଭିଡ୍ ପରୀକ୍ଷା ପାଇଁ ଆବଶ୍ୟକ ହେଉଥିବା ଯନ୍ତ୍ରପାତି ଗୁଡ଼ିକ ଏମ୍.ଡି, ଓଏସ୍‌ଏମ୍‌ସିଏଲ୍‌ ଜରିଆରେ କିଣାଯିବାକୁ ନିଷ୍ପତ୍ତି ହୋଇଥିଲା। ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ସମସ୍ତ ଜିଲ୍ଲାରେ କୋଭିଡ୍ ସେଣ୍ଟର ଓ କୋଭିଡ୍ ହସପିଟାଲର ଶଯ୍ୟା ତଥା ଆଇସିୟୁ ବୃଦ୍ଧି କରାଯିବ।

ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ଯାହାର ପରୀକ୍ଷା ପରେ ନେଗେଟିଭ୍ ରିପୋର୍ଟ ଆସିଛି ତାକୁ ତୁରନ୍ତ ଗୃହ ସଙ୍ଗରୋଧରେ ରଖିବା, ପ୍ରବାସୀ ଶ୍ରମିକ ଓ ଅନ୍ୟରାଜ୍ୟରୁ ଆସିଥିବା ଲୋକଙ୍କ ପୁଲ୍ କୋଭିଡ୍ ଟେଷ୍ଟ କରାଯିବା, ଭିନ୍ନକ୍ଷମ, ବୃଦ୍ଧ ମାନଙ୍କୁ ତାଙ୍କ ଘରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ପ୍ରସ୍ତାବ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଥିବା ବେଳେ ଧ୍ରୁମବିହିନ ଗୁଟ୍ଖା, ପାନ ମସଲା, ପାନ ଓ ଚୋଷ୍ୟ ଜାତୀୟ ଅନ୍ୟାନ୍ୟ ଟବାକୋ ଉପରେ ରୋକ ଲଗାଯିବାକୁ ୨୦୧୩ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଦୃଢ଼ଭାବେର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଏହି ବୈଠକରେ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର