ରାଜଧାନୀରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଚକରା ଆହତ

୬ ବୋମା, ୨ ବନ୍ଧୁକ, ୭ ଗୁଳି ଜବତ, ଖସିଗଲେ ୬, ଡକାୟତି ଯୋଜନା ପଣ୍ଡ

ଭୁବନେଶ୍ବର : ବୁଧବାର ବିଳମ୍ବିତ ରାତିରେ ରାଜଧାନୀରେ ଗର୍ଜିଛି ପୁଲିସ ବନ୍ଧୁକ। ପୁଲିସ ଗୁଳିରେ ଘାଇଲା ହୋଇଛି ମୋଷ୍ଟ ୱାଣ୍ଟେଡ୍‌ ଦୁର୍ଦ୍ଦାନ୍ତ ଡକାୟତ ଚକ୍ରଧର ବାରିକ ଓରଫ୍ ଚକରା। ଚକରାର ଡାହାଣ ଗୋଡ଼ରେ ଗୁଳି ବାଜିଛି ଓ ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବରମୁଣ୍ଡା ଖେଳପଡ଼ିଆରେ ହୋଇଥିବା‌ ଏହି ପୁଲିସ ଏନ୍‌କାଉଣ୍ଟର ବେଳେ ଡକାୟତ ଗ୍ୟାଙ୍ଗ୍‌ ମୁଖିଆ ଚକରା ଆହତ ହୋଇଥିଲେ ବି ତା’ର ୬ ଜଣ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ତେବେ ଘଟଣାସ୍ଥଳରୁ ଖଣ୍ଡଗିରି ଥାନା ପୁଲିସ ୨ଟି ଦେଶୀ ବନ୍ଧୁକ, ୭ଟି ଅଫୁଟା ଗୁଳି, ୬ଟି ବୋମା, ଖଣ୍ଡା, କଟୁରି, କାର୍, ମୋବାଇଲ୍, ମଦ ବୋତଲ ଆଦି ଜବତ କରିଛି।

ଗତକାଲି ବିଳମ୍ବିତ ରାତିରେ ବରମୁଣ୍ଡା ଖେଳପଡ଼ିଆରେ ଚକରା ଗ୍ୟାଙ୍ଗ୍‌ ଏକାଠି ହୋଇଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏକ ବଡ଼ଧରଣର ଡକାୟତି କରିବାକୁ ଏହି ଗ୍ୟାଙ୍ଗ୍‌ ଯୋଜନା କରୁଥିବା ଜଣାପଡ଼ିଥିଲା। ତେଣୁ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଖଣ୍ଡଗିରି ଥାନା ପୁଲିସ ମିଳିତ ଅପରେସନ୍ ଆରମ୍ଭ କରିଥିଲେ। ତେବେ ପୁଲିସ ଟିମ୍‌ ପଡ଼ିଆ ଚାରିପଟକୁ ଘେରିବା ଆରମ୍ଭ କରିବା ମାତ୍ରେ ସେଠାରୁ ଚମ୍ପଟ ମାରିବାକୁ ସେମାନେ ପ୍ରଥମେ ବୋମାମାଡ଼ କରିଥିଲେ ଓ ପରେ ପୁଲିସକୁ ଗୁଳି କରିଥିଲେ। ପୁଲିସ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲା। କିଛି ମିନିଟ୍‌ ପାଇଁ ବରମୁଣ୍ଡା ଖେଳପଡ଼ିଆ ପାଲଟି ଯାଇଥିଲା ରଣକ୍ଷେତ୍ର। ଅନ୍ଧାର ଭିତରେ ଚକରାର ସହଯୋଗୀମାନେ ସେଠାରୁ ଖସି ପଳାଇଥିଲେ। ତେବେ ପୁଲିସର ସ୍ବତନ୍ତ୍ର ନଜରରେ ଥିବା ଚକରାର ଖସିବା ବାଟ ସବୁଆଡ଼ୁ ବନ୍ଦ ହୋଇଯାଇଥିଲା। ପୁଲିସ ଗୁଳି ସିଧା ତା’ ଗୋଡ଼ରେ ବାଜିଥିଲା। ଗୁଳିମାଡ଼ ପରେ ବି ଚକରା କିଛି ବାଟ ଧାଇଁଥିଲା। କିନ୍ତୁ ଶେଷରେ ପଡ଼ିଆ ପାଚେରି ଡେଇଁ ନପାରି ତଳେ ପଡ଼ିଯାଇଥିଲା ଓ ପୁଲିସ କର୍ମଚାରୀମାନେ ତାକୁ କାବୁ କରିନେଇଥିଲେ। ପୁଲିସ ସୂଚନାନୁସାରେ ଚକରା ନାଁରେ କମିସନରେଟ୍ ପୁଲିସ ସମେତ, ଖୋର୍ଧା, ବାଲୁଗାଁ, ଜଙ୍କିଆ ଆଦି ଥାନାରେ ପ୍ରାୟ ୨୫ରୁ ଅଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର