ଦାଦାବଟିକୁ ନେଇ ଲଙ୍କାକାଣ୍ଡ : ଖଣ୍ଡା ବୁଲାଇଲା ଦୁର୍ବୃତ୍ତ, ବେପାରୀଙ୍କ ମାଡ଼ରେ ଦୁର୍ବୃତ୍ତ ଗୁରୁତର, ଦୁଇ ଭାଇଙ୍କୁ ଧରି ନେଲା ପୁଲିସ

ପୁରୀ : ଆଜି ଡାକ୍ତରଖାନା ଛକରେ ଲଙ୍କାକାଣ୍ଡ ଘଟିଯାଇଛି। ଜଣେ ଦୁର୍ବୃତ୍ତ ଦାଦାବଟି ମାଗି ଦୋକାନୀମାନଙ୍କୁ ଆକ୍ରମଣ କରିବା ପାଇଁ ଖଣ୍ଡା ବୁଲାଇଥିଲା। ଏହି ଖଣ୍ଡା ଚୋଟ୍‌ରେ ଜଣେ ବ୍ୟବସାୟୀଙ୍କ ଆଙ୍ଗୁଠି କଟିଯିବା ପରେ ଦୁର୍ବୃତ୍ତ ହାତରୁ ଖଣ୍ଡାଟି ଖସିପଡ଼ିଥିଲା। ଫଳରେ ଦୋକାନ କରିଥିବା ଦୁଇ ଭାଇ ମିଶି ଏହି ଦୁର୍ବୃତ୍ତଙ୍କୁ ଧରି ନିସ୍ତୁକ ଛେଚିଥିଲେ। ଏପରି ଛେଚିଲେ ଯେ ଦୁର୍ବୃତ୍ତ ଜଣକ ଏବେ ଡାକ୍ତରଖାନା ୱାର୍ଡରେ ଭର୍ତ୍ତି ହୋଇଛି। ଏହି ଖବର ପାଇ କୁମ୍ଭାରପଡ଼ା ପୁଲିସ ଦୋକାନ କରିଥିବା ଦୁଇ ଭାଇଙ୍କୁ ଉଠାଇ ନେଇଛି। ଦୀର୍ଘ ଅଧଘଣ୍ଟା କାଳ ଡାକ୍ତରଖାନା ଛକ ରକ୍ତଭଣ୍ଡାର ପାଖରେ ଏହି ଲଙ୍କାକାଣ୍ଡ ଘଟିଥିବା ବେଳେ ସେଠାରେ ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ।

ଖବର ନେବାରେ ଜଣାପଡ଼ିଛି, ମାନସ ବେହେରା ଓ ତାଙ୍କ ଭାଇ ମନୋଜ ବେହେରା ମିଶି ରକ୍ତଭଣ୍ଡାର ପାଖ ଶୌଚାଳୟ ସମ୍ମୁଖରେ ଦୁଇଟି କ୍ୟାବିନ୍‌ ପକାଇ ‌ଦୋକାନ କରି ବେପାର କରନ୍ତି। ତେବେ ନରେନ୍ଦ୍ର କୋଣ ଅଞ୍ଚଳର ବିକି ନାୟକ ସେଠାରେ ପହଞ୍ଚି ସିଗାରେଟ୍‌ ମାଗିଥିଲା। ଅନ୍ୟମନସ୍କ ଯୋଗୁ ଦୁଇ ଭାଇ ବିକିର କଥା ଶୁଣି ପାରିନଥିଲେ। ତେଣୁ ସେ ଏଥିରେ ରାଗିଯାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିଲା। ତେଣୁ ଦୁଇ ଭାଇ ରାଗିଯାଇ ସିଗାରେଟ ଦିଆଯିବ ନାହିଁ ବୋଲି କହିଥିଲେ। ଫଳରେ ‘‘ସିଗାରେଟ ଦେଲୁ ନାହିଁ, ଏଠାରେ ଦୋକାନ କରିଛୁ, ଦାଦାବଟି ଦେବାକୁ ହେବ’’ ବୋଲି ଧମକ ଦେଇ ବିକି ସେଠାରୁ ରାଗିଯାଇ ଘରକୁ ଚାଲିଯାଇ ଏକ ଖଣ୍ଡା ଆଣି ଆସିଥିଲା।

ବିକି ପୁଣି ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଆକ୍ରମଣ କରିବା ବେଳକୁ ମାନସ ଦୋକାନରେ ଥିବା ଚା ତା’ ଉପରକୁ ଢାଳି ଦେଇଥିଲା। ମାତ୍ର ବିକି ସେଠାରୁ ଘୁଞ୍ଚିଯାଇ ଖଣ୍ଡା ଚୋଟ୍‌ ପକାଇବା ବେଳକୁ ମାନସ କାଣି ଆଙ୍କୁଠି କଟିଯାଇଥିଲା। ତେବେ ବିକି ନିଶାସକ୍ତ ଥିବାରୁ ତା’ ହାତରୁ ଖଣ୍ଡାଟି ଖସିଯାଇଥିଲା। ଫଳରେ ମାନସ, ମନୋଜ ଓ ଅନ୍ୟ ଦୋକାନୀମାନେ ତାକୁ ଘେରିଯାଇ କାବୁ କରିନେଇ ତା’ ଖଣ୍ଡାରେ ତାକୁ ହାଣିଥିଲେ। ଏହି ଖଣ୍ଡା ଚୋଟ୍‌ରେ ବିକି ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା।

ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ କୁମ୍ଭାରପଡ଼ା ଥାନାକୁ ଖବର ଦେବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଉଭୟଙ୍କ ମଧ୍ୟରେ ହଣାକଟା ଚାଲିଥିଲା। ତେଣୁ ପୁଲିସ ଆହତ ବିକିକୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ବେଳେ ଦୁଇ ଭାଇ ମାନସ ଓ ମନୋଜକୁ ଧରିନେଇଥିଲା। ଘଟଣାସ୍ଥଳର ମାତ୍ର କେଇ ହାତ ଦୂରରେ ଟ୍ରାଫିକ୍‌ ଥାନାର ଆଉଟ୍‌ପୋଷ୍ଟ ରହିଛି। ଏହି ସମୟରେ ନିକଟରେ ଥିବା ଡାକ୍ତରଖାନା ଛକରେ ଟ୍ରାଫିକ ପୁଲିସ ଡିଉଟି କରୁଥିଲା।

ସମ୍ବନ୍ଧିତ ଖବର