କ୍ରସର୍ ବିସ୍ଫୋରଣ: ଆଉ ୨ ମୃତ

କୁକୁଡ଼ାଖଣ୍ଡି : ଗତ ୧୯ ତାରିଖ‌ରେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ତହସିଲ ଅଧୀନ ଇନ୍ଦିରାଆବାସ କଲୋନି ନିକଟ‌ରେ ଥିବା ଏ.ଭି.କ୍ରସର୍ କମ୍ପାନିରେ ଭୟାବହ ବିସ୍ଫୋରଣ ଘଟିଥିଲା। ଏଥିରେ କୁକୁଡ଼ାଖଣ୍ଡିର ଏ.ସନ୍ତୋଷ କୁମାର ପାତ୍ର ଓ ଫାଦ୍ରିପଲ୍ଲୀର ସୁରେଶ କୁମାର ପାତ୍ରଙ୍କ ମୃତ୍ୟୁ ହୋଇଥିଲା। କୁକୁଡ଼ାଖଣ୍ଡିର ପି.ସାଇଗୋପାଳ, ଫାଦ୍ରିପଲ୍ଲୀର ଦୀପକ ପାତ୍ର ଓ ବେଲଗାଁର ସୁଶାନ୍ତ ପଣ୍ଡା ଗୁରୁତର ହୋଇଥିଲେ। ଏମାନଙ୍କ ମଧ୍ୟରୁ ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ସାଇଗୋପାଳ ଓ ଦୀପକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି।

ଅନ୍ୟପକ୍ଷରେ ମୃତକ ସନ୍ତୋଷ ଓ ସାଇଗୋପାଳ ସଂପର୍କରେ ଦୁଇ ସଡ଼ୁ। ଏହି ଘଟଣା ପରେ କୁକୁଡ଼ାଖଣ୍ଡି‌ରେ ଶୋକର ଛାୟା ଖେଳିଯାଇଛି। ମୃତକମାନେ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି। ସୂଚନା ଥାଉକି, ଏହି ଘଟଣାରେ ବ୍ରହ୍ମପୁର ସଦର ଥାନାରେ କେସ୍ ନମ୍ବର ୧୧୪ ରୁଜୁ କରିଥିଲା। କ୍ରସର୍ ମାଲିକାଣୀ ଅନୁପମା ରାଉତଙ୍କ ସ୍ବାମୀ ସୁଶାନ୍ତ କୁମାର ରାଉତ ଓ ମ୍ୟାନେଜର୍ ତଥା ବଡ଼ଗଡ଼ ଥାନା ଅନ୍ତର୍ଗତ କରଡ଼ାକଣାର ଅମିତବଚ୍ଚନ ବିଶୋଇଙ୍କୁ ପୁଲିସ ଗତ ୨୧ ତାରିଖରେ ଗିରଫ କରିଥିଲା।

ସମ୍ବନ୍ଧିତ ଖବର