୧୧ ତାରିଖ ରାତି ୮ରୁ ପୁରୀରେ କର୍ଫ୍ୟୁ, ରଥଯାତ୍ରା ପାଇଁ ପୁରୀରେ ଶନିବାର ସଟ୍‌ଡାଉନ୍‌ ଉଠିଲା

ପୁଲିସ ମୁଖ୍ୟାଳୟର ନିର୍ଦ୍ଦେଶନାମା, ରଥଯାତ୍ରା ଡ୍ୟୁଟି ନଥିବା ପୁଲିସଙ୍କୁ ପୁରୀ ମନା

ପୁରୀ : ଚଳିତବର୍ଷ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପୁରୀ ସହରରେ ତିନିଦିନିଆ କର୍ଫ୍ୟୁ ଜାରି କରିଛି। ଜୁଲାଇ ୧୨ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଥିବାରୁ ପୂର୍ବଦିନ ରାତିରୁ ଅର୍ଥାତ୍‌ ଜୁଲାଇ ୧୧ ତାରିଖ ରାତି ୮ଟାରୁ ପୁରୀ ସହରରେ କର୍ଫ୍ୟୁ ଲଗାଯିବ। ସାରା ସହରରେ ୧୪୪ ଧାରା ଜାରି ହେବ। ଜନସାଧାରଣଙ୍କ ଚଳପ୍ରଚଳ ଉପରେ ରୋକ୍‌ ଲାଗିବ। ପ୍ରବେଶ ପଥ ସମ୍ପୂର୍ଣ୍ଣ ସିଲ୍‌ କରି ଦିଆଯିବ। ଜୁଲାଇ ୧୨ ତାରିଖ ସାରା ଦିନ ଏହି କଟକଣା ବଳବତ୍ତର ରହିବା ପରେ ପରଦିନ ଅର୍ଥାତ୍‌ ଜୁଲାଇ ୧୩ ତାରିଖ ସକାଳ ୮ଟାରୁ ଏହି କଟକଣାକୁ ହଟାଇ ଦିଆଯିବ। ତଥାପି ରଥ ପହଞ୍ଚିବାକୁ ନେଇ କଟକଣା ବଢ଼ିପାରେ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି। ଅନ୍ୟପଟେ ତିନିଦିନିଆ କର୍ଫ୍ୟୁ ଜାରି ହେଉଥିବାରୁ ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ସ୍ବତନ୍ତ୍ର ରିଲିଫ୍ କମିସନର ସାମାନ୍ୟ କୋହଳ କରିଛନ୍ତି। ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀରେ ଶନିବାର ସଟ୍‌ଡାଉନ୍‌କୁ ଉଠାଇ ଦିଆଯାଇଛି। ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ଏସ୍‌ଆର୍‌ସି।

ପୁଲିସ ମୁଖ୍ୟାଳୟର ନିର୍ଦ୍ଦେଶନାମା, ରଥଯାତ୍ରା ଡ୍ୟୁଟି ନଥିବା ପୁଲିସଙ୍କୁ ପୁରୀ ମନା
କଟକ/ପୁରୀ : ନିର୍ଦ୍ଦିଷ୍ଟ ଭାବେ ରଥଯାତ୍ରା ଡ୍ୟୁଟି ନଥିବା କୌଣସି ପୁଲିସ ଅଧିକାରୀ ଅଥବା କର୍ମଚାରୀ ଆସନ୍ତା ୨୪ ତାରିଖ ଯାଏ ପୁରୀ ଯାଇ ପାରିବେ ନାହିଁ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଆଧାରରେ ପୁଲିସ ମୁଖ୍ୟାଳୟରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ ରଥଯାତ୍ରା ପାଇଁ ପୁରୀ ସହରରେ ଯେଉଁ କଟକଣା ଜାରି କରାଯାଇଛି, ସେଥିରେ ପୁଲିସର ଦାୟିତ୍ବ ଅଧିକ ବଢି ଯାଇଛି। ଯେଉଁମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ରଥଯାତ୍ରା ଡ୍ୟୁଟି ଦିଆଯାଇଛି, ସେମାନଙ୍କ ବ୍ୟତୀତ ଅନ୍ୟ କୌଣସି ପୁଲିସ ଅଧିକାରୀ ଅଥବା କର୍ମଚାରୀ ପୁରୀ ସହରକୁ ଯାଇ ପାରିବେ ନାହିଁ। ଅନ୍ୟ କୌଣସି ଡ୍ୟୁଟି ଆଳରେ ବି ସେମାନଙ୍କୁ ପୁରୀ ଯିବା ମନା। ଯଦି ସରକାରୀ କାର୍ଯ୍ୟରେ ନିହାତି ଯିବାକୁ ଥାଏ, ତେବେ ସେମାନେ ପୁଲିସ ମୁଖ୍ୟାଳୟରୁ ଏଡିଜି (ଆଇନ ଶୃଙ୍ଖଳା)ଙ୍କ ଅନୁମତି ନେଇ ପୁରୀ ଯିବେ। ବିଭିନ୍ନ ଆଳରେ ପୁଲିସ ଅଧିକାରୀ ଅଥବା କର୍ମଚାରୀ ପରିବାର ଲୋକଙ୍କୁ ନେଇ ରଥଯାତ୍ରା ସମୟରେ ପୁରୀ ଯାଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ସ୍ପଷ୍ଟ କରି ଦିଆଯାଇଛି।

ସମ୍ବନ୍ଧିତ ଖବର