କଟକ-ଭୁବନେଶ୍ବର ନିଶାମୁକ୍ତ! ରାଜଧାନୀ ଭୁବନେଶ୍ୱର ଓ କଟକରେ ମଦ୍ୟପାନ କରି ଗାଡି ଚଳାଉଥିବା ଜଣେ ବି ବ୍ୟକ୍ତି ଧରାପଡିଲେନି

ସାରା ରାଜ୍ୟରୁ ଗୋଟିଏ ଦିନରେ ୧୪୧ ମଦ୍ୟପ ଚାଳକ ଗିରଫ, ଜେଲ୍ ଗଲେ

ଭୁବନେଶ୍ବର : ଗଞ୍ଜାମରୁ ଧରା ପଡ଼ିଲେ, ରାଉରକେଲାରୁ ବି। ଉପକୂଳ ଜିଲ୍ଲା ଜଗତସିଂହପୁରରୁ ମଧ୍ୟ ମଦ୍ୟପାନ କରି ଗା଼ଡି ଚଳାଉଥିବା ବ୍ୟକ୍ତିଙ୍କୁ ଧରିଲା ପୁଲିସ। କିନ୍ତୁ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣେ ବି ବ୍ୟକ୍ତି ଧରାପଡ଼ିନାହାନ୍ତି ରାଜଧାନୀରେ। କଟକରେ ମଧ୍ୟ ଜଣେ ବି କାହାକୁ ପୁଲିସ ଗିରଉଫ କରିନି। ଓଡ଼ିଶା ପୁଲିସର ଏ ପରିସଂଖ୍ୟାନ ଆଜି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କେହି କେହି ଏକଥା କହିଛନ୍ତି ଯେ ସମ୍ଭବତଃ ଭୁବନେଶ୍ବର-କଟକ ନିଶାମୁକ୍ତ ସହରରେ ପରିଣତ ହୋଇଯାଇଛି। ଅନ୍ୟଥା ମଦ୍ୟପାନ କରି ଗାଡି ଚଳାଉଥିବା ଜଣେ ବି ବ୍ୟକ୍ତି ଧରାପଡିଲେନି କେମିତି?

ପୁଲିସ ମହାନିର୍ଦେଶକ ବିଜୟ ଶର୍ମାଙ୍କ ନିର୍ଦେଶରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଧରପଗଡ ଆରମ୍ଭ ହୋଇଥିଲା। ଗତକାଲି ରବିବାର ଥିବାରୁ ସ୍ବତନ୍ତ୍ର ଭାବେ ଏ ସଂକ୍ରାନ୍ତ ଚଢଉ କରିଥିଲା ପୁଲିସ।

ଯାଞ୍ଚ ବେଳେ ସାରା ରାଜ୍ୟରେ ୧୪୧ଜଣ ମଦ୍ୟପ ଚାଳକଙ୍କଠାରୁ ଜରିମାନା ଆଦାୟ କରିବା ସହ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ହେଲେ କମିସନରେଟ ପୁଲିସ ଜଣେ ହେଲେ ମଦ୍ୟପ ଚାଳକଙ୍କୁ ଗିରଫ କରି ପାରିନାହିଁ। ରାଜଧାନୀ ଭୁବନେଶ୍ବରରେ ପ୍ରତି ଶହେ ମିଟର ଦୂରରେ ମଦ ଦୋକାନ ଓ ବାର୍‌। ଏହାଛଡ଼ା ଗଳି କନ୍ଦିରେ ବେଆଇନ ଭାବେ ଅବାଧ ମଦ ବିକ୍ରି ହେଉଛି। ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି। ଭୁବନେଶ୍ବର ଓ କଟକ ଦେଇ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଭାରୀଯାନ ଯାଉଛି। ସହର ଭିତରେ ମଦ୍ୟପାନ କରି ଦ୍ରୁତ ବେଗରେ ଗାଡ଼ି ଚଳାଉଛନ୍ତି ଉଦଭ୍ରାନ୍ତ ଯୁବକ। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। କିନ୍ତୁ କମିସନରେଟ ପୁଲିସ ଜଣେ ହେଲେ ମଦ୍ୟପ ଚାଳକଙ୍କୁ ସ୍ବତନ୍ତ୍ର ଅଭିଯାନରେ ପାଇପାରିଲା ନାହିଁ। ରାଜଧାନୀ ଭୁବନେଶ୍ବର ଓ କଟକରେ ମଦ୍ୟପ ଚାଳକ ନ ମିଳିବା ଘଟଣାକୁ ନେଇ ଏବେ ଦୁଇ ସହରରେ ଭିନ୍ନ ଆଲୋଚନା ହେଉଛି। ସତରେ ଏ ଦୁଇ ସହର ନିଶାମୁକ୍ତ ହୋଇଛି ନା ପୁଲିସ ମହାନିର୍ଦେଶକଙ୍କ ନିର୍ଦେଶ ବାବୁମାନଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିଲା ନାହିଁ।

ପ୍ରକାଶଥାଉକି, ଗତକାଲି ଓଡ଼ିଶା ପୁଲିସ୍ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ଅଭିଯାନରେ ୫ହଜାର ଗାଡ଼ି ଚାଳକଙ୍କୁ ଯାଞ୍ଚ କରାଯାଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬ଜଣ ମଦ୍ୟପ ଚାଳକ ଗିରଫ ହୋଇଥିବା ବେଳେ ତା’ ପଛକୁ ଯାଜପୁର ରହିଛି। ଏଠାରେ ପୁଲିସ ୨୦ ଜଣଙ୍କୁ ଗିରଫ କରିଥିଲା। ସେହିପରି ସମ୍ବଲପୁର ପୁଲିସ ୧୮ ଜଣ, ରାଉରକେଲା ପୁଲିସ ୧୬ ଜଣ, ବ୍ରହ୍ମପୁର ପୁଲିସ ୧୨ ଜଣ, ଜଗତସିଂହପୁର ପୁଲିସ ୧୨ ଜଣ, ଗଜପତିରୁ ୯ ଜଣ, ଅନୁଗୁଳରୁ ୬ ଜଣ, ନବରଙ୍ଗପୁରରୁ ୬ ଜଣ, କୋରାପୁଟ ପୁଲିସ ୫ ଜଣ, ମୟୂରଭଞ୍ଜ ପୁଲିସ ୪ ଜଣ, କେନ୍ଦ୍ରାପଡ଼ା ପୁଲିସ ୨ ଜଣ, ବାଲେଶ୍ବର, ଖୋର୍ଧା, କନ୍ଧମାଳ, ସୁନ୍ଦରଗଡ଼, ସୋନପୁର ପୁଲିସ ଜଣେ ଲେଖାଏ ମଦ୍ୟପ ଚାଳକଙ୍କୁ ଗିରଫ କରିଛନ୍ତି।

ଏହା ପୂର୍ବରୁ ପୁଲିସ ୪୨୬ଜଣ ମଦ୍ୟପ ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଆଗାମୀ ଦିନରେ ଏଭଳି ଗିରଫଦାରୀ ଆହୁରି ଅଧିକ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ସ୍ବତନ୍ତ୍ର ଅଭିଯାନରେ ଯେପରି କୌଣସି ବ୍ୟକ୍ତି ଅଯଥା ହଇରାଣ ନ ହୁଅନ୍ତି ଓ ଟ୍ରାଫିକ୍‌ର ସୁବ୍ୟବସ୍ଥା ପ୍ରତି ଧ୍ୟାନ ରଖି କାର୍ଯ୍ୟ କରିବାକୁ ପୁଲିସ ଅଫିସର୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର