ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ଅମ୍ଫାନ୍‌; ରାଜ୍ୟର ଉତ୍ତର ଉପକୂଳରେ ଘଟାଇପାରେ ପ୍ରଭୂତ କ୍ଷୟକ୍ଷତି !

୧୧ ଲକ୍ଷ ସ୍ଥାନାନ୍ତରିତ ହେବେ ବାତ୍ୟା ଆଶ୍ରୟସ୍ଥଳୀକୁ; ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ ଭୁବନେଶ୍ୱର: ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟାରେ ଅମ୍ଫାନ୍‌ ନାମରେ ଏକ ଭୀଷଣ ସାମୁଦ୍ରିକ ବାତ୍ୟା ବା ଚକ୍ରବାତରେ ପରିଣତ ହୋଇଯାଇଛି। ଏଥିସହ ଅମ୍ଫାନ୍‌ ଏବେ ପାରାଦ୍ଵୀପ ଠାରୁ ପ୍ରାୟ ୯୩୦ କିଲୋମିଟରେ ଦୂରରେ ରହି କ୍ରମଶଃ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଏହା କ୍ରମଶଃ ଉଗ୍ର ଓ ଭୟଙ୍କର ରୂପ ଧାରଣ କରି ବଙ୍ଗୋପସାଗର ମଧ୍ୟରେ ଆସନ୍ତା ଆସନ୍ତା ୪୮ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଗତିକରିବା ସହ ଅଧିକରୁ ଅଧିକ ଭୟଙ୍କର ହେବ। ବଙ୍ଗୋପସାଗର ମଧ୍ୟରେ ଏହା ବର୍ତ୍ତମାନ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି। ଅମ୍ଫାନ ଆସନ୍ତା ୨୦ ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଦୀଘା ଏବଂ ବାଂଲାଦେଶର ସାଗର ଦ୍ୱୀପପୁଞ୍ଜ ଉପର ଦେଇ ସ୍ଥଳପଥ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ଅମ୍ଫାନ ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍‌ ୧୮ ତାରିଖରୁ ଓଡ଼ିଶାର ଦକ୍ଷିଣ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇଯିବ। ତେବେ, ୧୯ ଓ ୨୦ ତାରିଖରେ ରାଜ୍ୟର ପୂର୍ବ ଓ ଉତ୍ତର ଉପକୂଳରେ ପ୍ରବଳ ବର୍ଷା ଓ ପବନ ହେବ। ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୪୦ କିଲୋମିଟର ରହିବା ସହ ପବନ ଝଟକାର ବେଗ ଘଣ୍ଟାପ୍ରତି ୧୬୦ର ୧୮୦ କିଲୋମିଟରକୁ ଛୁଇଁବାର ମଧ୍ୟ ସମ୍ଭାବନା ରହିଛି। ଅମ୍ଫାନ ପ୍ରଭାବରେ ଉପକୂଳ ଓଡ଼ିଶାର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ପ୍ରମୁଖ ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଥିବା ନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ। ଏଥିସହ ଉତ୍ତର ଉପକୂଳର ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। କାରଣ, ରାଜ୍ୟର ଉତ୍ତର ଉପକୂଳ ପାଶ୍ୱଦେଇ ବଙ୍ଗୋପସାଗର ମଧ୍ୟରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ଅମ୍ଫାନ୍‌ ଯେତେବେଳେ ଗତି କରୁଥିବ ସେତେବେଳେ ରାଜ୍ୟର ଉତ୍ତର ଉପକୂଳର ଅତି ନିକଟବର୍ତ୍ତୀ ଥିବ। ଏପରିକି ସାମୁଦ୍ରିକ ଚକ୍ରବାତ ଅମ୍ଫାନର

ବାହ୍ୟ ବଳୟ ରାଜ୍ୟର ଉତ୍ତର ଉପକୂଳ ବିଶେଷ ଭାବେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଉପର ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ ରାଜ୍ୟର ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ପବନର ବେଗ ଅଧିକ ରହିବା ସହ ଅମ୍ଫାନ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା କରାଯାଉଛି।

ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ସରକାର ଅମ୍ଫାନର ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଦକ୍ଷିଣ ଉପକୂଳ ଠାରୁ ଉତ୍ତର ଉପକୂଳ ମଧ୍ୟରେ ରହୁଥିବା ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିସହ ଏହି ସମସ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଦେଇଛନ୍ତି ସରକାର। ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଏନ୍‌ଡିଆରଏଫ୍‌ର ୧୦ଟି ଟିମ୍‌କୁ ମୁତୟନ କରି ରଖାଯାଇଛି। ଏଥିସହ ରାଜ୍ୟର ଉପକୂଳବର୍ତ୍ତୀ ଜିିଲ୍ଲାର ସମ୍ବେଦନଶୀଳ ଓ ସ୍ପର୍ଶକାତର ଅଞ୍ଚଳରେ ରହୁଥିବା ୧୧ ଲକ୍ଷ ଲୋକଙ୍କୁ ଯଥାଶୀଘ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର