ପୁରୀଠାରୁ ୩୩୦ କିମି ଦୂରରେ ବାତ୍ୟା ‘ଫନି’ ! ଘଣ୍ଟା ପ୍ରତି ସର୍ବାଧିକ ୨୧୦ କିମି ବେଗରେ ପବନ ବହିବା ଆଶଙ୍କା

ଭୁବନେଶ୍ୱର : ପୁରୀକୁ ପାଖେଇ ପାଖେଇ ଆସୁଛି ସାମୁଦ୍ରିକ ବାତ୍ୟା ଫନି । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁରୀର ଆହୁରି ନିକଟତର ହେବାରେ ଲାଗିଛି ବାତ୍ୟା ଫନି । ପୁରୀ ଠାରୁ ବର୍ତ୍ତମାନ ସମୟରେ ୩୩୦କିମି ଦୂରରେ ରହିଛି ବାତ୍ୟା । ଅନ୍ୟପଟେ ବିଶାଖାପାଟଣା ଠାରୁ ବାତ୍ୟାର ଅବସ୍ଥିତି ୧୮୦ କିମି ଦୂରରେ ରହିଛି । ତେବେ ଆସନ୍ତାକାଲି ୧୦ଟାରୁ ୧୨ଟା ଭିତରେ ଫନି ଲ୍ୟାଣ୍ଡଫଲ କରିବ ବୋଲି ଖବର ମିଳିଥିବା ବେଳେ ଏହି ସମୟରେ ଘଣ୍ଟା ପ୍ରତି ସର୍ବାଧିକ ୨୧୦ କିମି ବେଗରେ ପବନ ବହିବ ବୋଲି ଆଶଙ୍କା କରାଯାଉଛି । ପୂର୍ବରୁ ୨୦୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ ହେଉଥିଲା । ତେବେ ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।

Image Source: Deccan Chronicle

ତେବେ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ୮ଟି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଡାକି ଏକ ସମୀକ୍ଷା ବୈଠକ କରି ଆଲୋଚନା କରିଛନ୍ତି । ବୈଠକରେ ନଗର ଉନ୍ନୟନ ସଚିବ, ଶକ୍ତି ସଚିବ, ପଂଚାୟତିରାଜ ସଚିବ ଓ ଗ୍ରାମୀଣ ବିକାଶ ସଚିବ ଯୋଗ ଦେଇଛନ୍ତି । ବିଶେଷ କରି ଟେଲିକମ କଂପାନୀର ଅପରେଟର ଯଥା- ବିଏସଏନଏଲ, ଭୋଡାଫୋନ, ଏୟାରଟେଲ ଏବଂ ଜିଓ ସମସ୍ତଙ୍କୁ ଏହି ବୈଠକରେ ଡାକି ସେମାନଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସର୍ବାଧିକ ପବନର ବେଗ ୨୦୦ କିଲୋମିଟର ଟପିଗଲେ ମଧ୍ୟ ମୋବାଇଲ ଯେଭଳି କଟ୍‌ ଅଫ ନ ହୁଏ ଏବଂ ୭ଦିନ ପର୍ଯ୍ୟନ୍ତ ଫୁଏଲ ରେଡି ରଖିବାକୁ ଟେଲିକମ କଂପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର