କୌଣସି ସମୟରେ ଭୁଶୁଡ଼ିପାରେ ଏହି ପୋଲ! ଦେଖନ୍ତୁ ଏହାର ଉପର ଓ ତଳ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପଡା ପଞ୍ଚାୟତର ଖରାଗୁଡା ନିକଟରେ ବହି ଯାଉଥିବା କୁକୁଡାନାଳ ଉପରେ ତିଆରି ପୋଲ ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ପହଞ୍ଚିଛି। ଏହି ପୋଲଟି ଯେକୌଣସି ମୁହୂର୍ତ୍ତରେ ଏହା ଭୁଶୁଡି ଯାଇପାରେ। ଚଳିତ ଲଘୁଚାପ ଜନିତ ବର୍ଷାରେ ପୋଲର ମଧ୍ୟଭାଗରେ ରହିଥିବା ପିଲାର ଭାଂଗିଯିବା ଫଳରେ ଧୀରେ ଧୀରେ ଦବିବାକୁ ଲାଗିଛି। ଏହାଛଡ଼ା ପୋଲର ଦୁଇ ପାର୍ଶ୍ଵରେ ମାଟି ପାଣିରେ ଧୋଇ ହୋଇ ଅତଡ଼ା ଖସିବା ମଧ୍ୟ ଆରମ୍ଭ ହୋଇଯାଇଛି। ଯଦି ବର୍ଷା ଲାଗି ରହେ ତେବେ କୌଣସି ମୁହୂର୍ତ୍ତରେ ପୋଲଟି ସଂପୂର୍ଣ୍ଣ ଭୁଶୁଡି ଯାଇପାରେ। ଏହା ଘଟିଲେ ଏହି ପୋଲ ଦେଇ ଯିବାଆସିବା କରୁଥିବା ଚନ୍ଦ୍ରପଡା ପଞ୍ଚାୟତ ସମେତ ବୋଦାପୁଟ ପଞ୍ଚାୟତ ଏବଂ ଦଶମନ୍ତପୁର ପଞ୍ଚାୟତର ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ।

ଏହି ପୋଲ ଦେଇ ଏହି ପଞ୍ଚାୟତ ଗୁଡ଼ିକର ଗ୍ରାମବାସୀମାନେ ଦୋରାଗୁଡା ଉପରେ ନିର୍ଭର କରିଥାନ୍ତି। ଦୋରାଗୁଡା ପହଞ୍ଚିଲେ ସେମାନେ ବୈପାରିଗୁଡା ବ୍ଲକ ସଦର ମହକୁମାକୁ ତଥା ଜୟପୁର ଯିବାଆସିବା କରିଥାନ୍ତି। ପ୍ରତିଦିନ ଏହି ରାସ୍ତା ଦେଇ ଲୋକେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଠାରୁ ବ୍ୟାଙ୍କ କାମ ପାଇଁ ବୈପାରିଗୁଡା ଆସିଥାନ୍ତି। ସ୍କୁଲ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଭିନ୍ନ ସ୍ଥାନକୁ ପଢ଼ିବା ପାଇଁ ଯାଇଥାନ୍ତି। ସବୁଠାରୁ ବେଶି ଅସୁବିଧାର ସମ୍ମୁଖୀନ ହେବେ ବୋଦାପୁଟ ପଞ୍ଚାୟତବାସୀ। ସେମାନଙ୍କୁ ଦଶମନ୍ତପୁର ଦେଇ ଅଧିକା ୨୦ କିଲୋମିଟର ବାଟ ପାର ହେବାକୁ ପଡ଼ିବ।

ତେବେ ଖବର ପାଇ ଏସଡିଓ ଏବଂ ଜେଇ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିବା ସହ ବର୍ଷା କମିବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିବା ସହ ଏହି ରାସ୍ତା ଦେଇ କୌଣସି ଭାରି ଯାନ ନେବା ଆଣିବା ପାଇଁ ବାରଣ କରିଛନ୍ତି। ଦୁଇ ଚକିଆ ଯାନ ତଥା ପଥଚାରୀଙ୍କୁ ଯିବା ଆସିବା ବେଳେ ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର