ମରାମତି ଅଭାବରୁ ମରଣଯନ୍ତା ପାଲଟିଛି ରାସ୍ତା, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

ବ୍ରହ୍ମଗିରି : ରାସ୍ତାରେ ଘାଇ ହୋଇଛି। ଲୋକେ ଯାତାୟାତ କରି ପାରୁନାହାନ୍ତି। ଅସରାଏ ବର୍ଷା ହେଲେ ଯାତାୟାତ ପୂରା ଠପ୍‌। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ସମସ୍ତେ ନାକେଦମ୍‌ ହେଉଛନ୍ତି। ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଲୋକେ ଦାବି କଲେ। ସେହି ଅନୁଯାୟୀ ରାସ୍ତା ନିର୍ମାଣ ବି ହେଲା। ଲୋକେ ଭାବିଲେ ଏଥର ରାସ୍ତାଟି ଭଲ ହେବ। କିନ୍ତୁ ଅସରାଏ ବର୍ଷାରେ ରାସ୍ତାଟି ଧୋଇଗଲା। ପୁଣି ଯଥା ପୂର୍ବ ତଥା ପରଂ ହୋଇଗଲା ରାସ୍ତା। ଇଏ ହେଉଛି ବ୍ରହ୍ମଗିରି ବ୍ଲକ୍ ଡାହାଣିଗଡିଆ-ଦଣ୍ଡୁଆସିପଡା ରାସ୍ତାର ଦୁରାବସ୍ଥା।

ବ୍ରହ୍ମଗିରି ବ୍ଲକ୍ ବ୍ରାହ୍ମଣିଆ ପଞ୍ଚାୟତର ଡାହାଣିଗଡିଆଠାରୁ ଦଣ୍ଡୁଆସିପଡା ଯାଏ ଦୀର୍ଘ ଅଢେଇ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ଏହି ରାସ୍ତା ବକ୍ସିକାଣିଆ କେନାଲ ବନ୍ଧ ଦେଇଯାଇଛି। ରାସ୍ତାଟି ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ଗୋବିନ୍ଦପୁର ଛକ, ବ୍ରାହ୍ମଣିଆ, କୁସୁବେଣ୍ଟି ଓ ମଣପଡା ପଞ୍ଚାୟତର ଗାଁ ଗୁଡିକୁ ସଂଯୋଗ କରୁଛି। ଏହି ତିନୋଟି ପଞ୍ଚାୟତର ଗାଁ ଗୁଡିକ ଉକ୍ତ ରାସ୍ତାକୁ ଲାଗି ରହିଛି। ଏହା ଛଡ଼ା ରାସ୍ତାଟି ବ୍ରହ୍ମଗିରି-କୁସୁବେଣ୍ଟି ଓ ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ପ୍ରମୁଖ ସଂଯୋଗ ରାସ୍ତା ଭାବେ ପରିଚିତ। ବର୍ଷକ ପୂର୍ବେ ଏହି ରାସ୍ତାର ମରାମତି କାମ ହୋଇଥିଲା। ରାସ୍ତାରେ ମୋରମ ଓ ମେଣ୍ଟାଲ ପଡିଥିଲେ ମଧ୍ୟ ଏହା ଉପରେ ପିଚୁ ପଡି ନଥିଲା। ବର୍ଷା ପରେ ରାସ୍ତାଟି ଅନେକ ସ୍ଥାନରେ ଧୋଇଯାଇଛି। ୨୦ଟି ସ୍ଥାନରେ ଘାଇ ହୋଇଛି। ମରାମତି ଅଭାବରୁ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଯାତାୟାତ ବେଳେ ଲୋକେ ଘାଇ ଖାଲରେ ପଡି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଖାଲି ସେତିକି ନୁହେଁ, ଅସରାଏ ବର୍ଷା ହେଲେ ଏହି ରାସ୍ତାରେ ଯାଆସ କରିବା କଷ୍ଟସାଧ୍ୟ ବ୍ୟାପାର। ରାସ୍ତାରେ ନାମକୁ ମାତ୍ର ମୋରମ୍‌ ଓ ମେଣ୍ଟାଲ ପକାଇ ବିଲ୍‌ ଉଠାଇ ନିଆଯାଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଜଳସେଚନ ବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ତୁରନ୍ତ ଏହି ରାସ୍ତାଟିକୁ ମରାମତି କରିବା ଲାଗି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର