ବହୁଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ବହୁଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଏକ ମାସର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଉଚ୍ଚ ନ୍ୟାୟାଳୟ । କୋଟିଏ ଟଙ୍କା ଜମା ଓ ୨ କୋଟିର ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଥିବା ଜଣାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ତାଙ୍କର ଆଦେଶନାମାରେ ଦର୍ଶାଯାଇଛି ଯେ ଦୀପକ ଗୁପ୍ତା କୋଟିଏ ଟଙ୍କା ଜମା କାଗଜପତ୍ର ନିମ୍ନ ଅଦାଲତରେ ଦାଖଲ କରିବେ। ଯଦି ତାଙ୍କର ପାସପୋର୍ଟ ଥାଏ ତେବେ ତାକୁ ନିମ୍ନ ଅଦାଲତରେ ଦାଖଲ କରିବେ ଏବଂ ଯଦି ନ ଥାଏ ତେବେ ଏନେଇ ଏକ ସତ୍ୟପାଠ ନିମ୍ନ ଅଦାଲତରେ ଦାଖଲ କରିବେ। ସେ ଜାମିନରେ ମୁକୁଳିବା ପରେ ଯେଉଁଠି ରହିବେ, ସେହି ସ୍ଥାନର ଠିକଣା, ଫୋନ୍ ନମ୍ବର ଓ ଇମେଲ୍ ଠିକଣା ଆଦି ଭିଜିଲାନ୍ସକୁ ସୂଚିତ କରିବେ। ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାମ ନ କରିବାକୁ ବି ସର୍ତ୍ତ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ହାଇକୋର୍ଟରେ ଦୀପକଙ୍କ ଜାମିନ ଆବେଦନ ୫ଥର ଖାରଜ ହୋଇଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ୨ ଥର ତାଙ୍କ ଜାମିନ ଆବେଦନ ପୂର୍ବରୁ ଅଗ୍ରାହ୍ୟ କରିଥିଲେ। ଏହାପରେ ପୁନର୍ବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ପାଇଁ କରିଥିବା ଆବେଦନ ଖାରଜ ହେବାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯ ଅଗଷ୍ଟ ୭ରେ ହାଇକୋର୍ଟ ଦୀପକଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିବା ସହିତ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଳନରେ ଅବହେଳା କରାଯାଇଛି, ନିମ୍ନ ଅଦାଲତ ଶୁଣାଣିରେ ବିଶେଷ ଅଗ୍ରଗତି ହୋଇ ନାହିଁ ବୋଲି ଜାମିନ ଆବେଦନର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।

୨୦୧୯ ଅଗଷ୍ଟ ୨୨ଠାରୁ ବିଚାରାଧୀନ ମାମଲାରେ ନିମ୍ନ ଅଦାଲତଙ୍କ ଅର୍ଡର-ସିଟ୍ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତରେ ମାମଲାର ଶୁଣାଣିର ସ୍ଥିତି ସଂପର୍କରେ ମଧ୍ୟ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ବରିଷ୍ଠ ଆଇନଜୀବୀ ଏନ୍‌.ସି ପାଣିଗ୍ରାହୀ ମାମଲା ପରିଚାଳନା କରୁଥିବାବେଳେ ଆଇନଜୀବୀ ସାଗର ରଂଜନ ପାଣିଗ୍ରାହୀ ସହାୟତା କରୁଛନ୍ତି ।

ସମ୍ବନ୍ଧିତ ଖବର