ଆଇଏନ୍‌ଏସ୍‌ ଚିଲିକା ପରିଦର୍ଶନ କଲେ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି

ବାଲୁଗାଁ : ସଂସଦୀୟ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି ସୋମବାର ଆଇଏନ୍‌ଏସ୍‌ ଚିଲିକା ପରିଦର୍ଶନ କରିଛନ୍ତି। କମିଟିର ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନେତୃତ୍ବରେ ସଦସ୍ୟ ସାଂସଦମାନେ ଆସି ଚିଲିକାରେ ଦିଆଯାଉଥିବା ତାଲିମ ବ୍ୟବସ୍ଥାର ତଦାରଖ କରିବା ସହ ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି।

ଅନୁଧ୍ୟାନ ସମୟରେ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ଏଠାରେ ଦିଆଯାଉଥିବା ଅତ୍ୟାଧୁନିକ ତାଲିମ ସମ୍ପର୍କରେ କମିଟିକୁ ଅବଗତ କରାଯାଇଥିଲା। ଭାରତୀୟ ନୌସେନା ପାଇଁ ଏହି କେନ୍ଦ୍ରରୁ ପ୍ରତିବର୍ଷ ୬ହଜାର ୬ଶହରୁ ଅଧିକ ନାବିକଙ୍କୁ ତାଲିମ ପ୍ରଦାନ କରାଯାଉଛି ବୋଲି ଆଇଏନ୍ଏସ୍‌ ଚିଲିକା କର୍ତ୍ତୃପକ୍ଷ ଷ୍ଟାଣ୍ଡିଂ କମିଟିକୁ ସୂଚନା ଦେଇଥିଲେ । ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ( ନୌସେନା), ଚିଫ୍‌ ଷ୍ଟାଫ୍‌ ଅଫିସର, ଚିଲିକା କମାଣ୍ଡିଂ ଅଫିସର ଓ ଏସ୍‌ଏନ୍‌ସି, କୋଚି ସହିତ ଆଲୋଚନା କରିଥିଲେ। ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ଭାରତୀୟ ନୌସେନାର ଅତ୍ୟାଧୁନିକ ଜ୍ଞାନକୌଶଳରେ ଦିଆଯାଉଥିବା ତାଲିମ ଶୈଳୀ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ସେହିପରି ଦେଶ ପାଇଁ ବଳିଦାନ ଦେଇଥିବା ଆଇଏନ୍‌ଏସ୍‌ ଚିଲିକାର ପୂର୍ବଶିକ୍ଷାନବୀଶ ତଥାବୀର ସୈନିକଙ୍କୁ ‘ପ୍ରେରଣା ସ୍ଥଳ’ରେ ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ସଂସଦୀୟ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି ରକ୍ଷା ମନ୍ତ୍ରାଳୟର ପ୍ରତିରକ୍ଷା ନୀତି ଓ ନିର୍ଣ୍ଣୟକୁ ତଦାରଖ କରିଥାଏ।

ସମ୍ବନ୍ଧିତ ଖବର