ଓଡ଼ିଶାରେ ଡେଲ୍‌ଟା ପ୍ଲସ୍, ୧୧ ରାଜ୍ୟକୁ ବ୍ୟାପିଲାଣି

ଆକ୍ରାନ୍ତ ଦେବଗଡ଼ ଜିଲ୍ଲାର ଜଣେ ୬୫ବର୍ଷୀୟ ପୁରୁଷ
ଆକ୍ରାନ୍ତଙ୍କୁ ଖୋଜିବା ଲାଗି ସ୍ଥାନୀୟ ପ୍ରଶାସନର ତନାଘନା

ଭୁବନେଶ୍ବର/ଦେବଗଡ଼ : ରାଜ୍ୟରେ କରୋନା ଭୂତାଣୁର ମାରାତ୍ମକ ଡେଲ୍‌ଟା ପ୍ଲସ୍‌(ଏୱଇ.୧) ଭାରିଏଣ୍ଟର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଡେଲ୍‌ଟା ଭାରିଏଣ୍ଟ(ବି.୧.୬୧୭-୨) ଗ୍ରୁପ୍‌ର ଏହି ପରିବର୍ତିତ ରୂପ ‘ଡେଲ୍‌ଟା ପ୍ଲସ୍‌’ରେ ଆକ୍ରାନ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଦେବଗଡ଼ ଜିଲ୍ଲାର ଜଣେ ୬୫ବର୍ଷୀୟ ପୁରୁଷ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହାକୁ ନେଇ ରାଜ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ‌ହୋଇଛି। ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି। ଆସନ୍ତାକାଲି ଦେବଗଡ଼ ଜିଲ୍ଲା ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ସଂପର୍କରେ ସବିଶେଷ ବିବରଣୀ ରାଜ୍ୟ ସରକାରଙ୍କ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ଆଜି ନୂଆଦିଲ୍ଲୀଠାରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନ୍‌ସିଡିସି ପକ୍ଷରୁ ଦେଶରେ କେତୋଟି ଡେଲ୍‌ଟା ପ୍ଲସ୍‌ ଭୂତାଣୁ ଚିହ୍ନଟ ହୋଇଛନ୍ତି, ସେନେଇ ସୂଚନା ଦିଆଯାଇଥିଲା। ଏଥିରେ ଓଡ଼ିଶାର କେବଳ ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିବା କୁହାଯାଇଥିଲା। ଡେଲ୍‌ଟା ପ୍ଲସ୍‌କୁ ବିଶ୍ବସ୍ତରରେ ଭାରିଏଣ୍ଟ ଅଫ୍‌ କନସର୍ଣ୍ଣ ବା ଭିଓସି ଭାବେ ଘୋଷଣା କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ମେ’ମାସ ପହିଲାରେ ସଂପୃକ୍ତ ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇଥିଲେ। ପରବର୍ତୀ ସମୟରେ ତାଙ୍କର ନମୁନା ଜିନ୍ ଅନୁଶୀଳନ ପାଇଁ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲ୍‌ଏସ୍‌କୁ ପଠାଯାଇଥିଲା। ଆଇଏଲଏସ୍ ପକ୍ଷରୁ ତାଙ୍କର ଜିନ୍ ଅନୁଶୀଳନ କରାଯାଇ ଏନ୍‌ସିଡିସିକୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ସେ ଡେଲ୍‌ଟା ପ୍ଲସ୍ ଭାରିଏଣ୍ଟ ଦ୍ବାରା ଆକ୍ରାନ୍ତ ଥିଲେ ବୋଲି ଏବେ ଜଣାପଡ଼ିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଆକ୍ରାନ୍ତ ଜଣକ କେଉଁ ରାଜ୍ୟରୁ ଆସିଥିଲେ କିମ୍ବା ଓଡ଼ିଶାରେ ରହି ସଂକ୍ରମିତ ହୋଇଛନ୍ତି ସେ ନେଇ ସ୍ବାସ୍ଥ୍ୟ ବିଭାଗ ତଦନ୍ତ ଆରମ୍ଭ ହୋଇଛି। ତେବେ ସେ କେଉଁ ଅଂଚଳର ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଉକ୍ତ ରୋଗୀଙ୍କୁ ତୁରନ୍ତ ଠାବ କରିବା ସହ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ଏ ସଂପର୍କରେ ସିଡିଏମଓ ଡା. ମନୋଜ କୁମାର ଉପାଧ୍ୟାୟଙ୍କ ସହିତ ଯୋଗାଯୋଗ କରିବାରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ସଂପର୍କରେ ସ୍ପଷ୍ଟ ସୂଚନା ମିଳି ନ ଥିବା ସେ କହିଛନ୍ତି। ଦେବଗଡ଼ ଜିଲ୍ଲାରେ କରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୯୬୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶହେ ତଳକୁ ଅର୍ଥାତ୍‌ ୭୨ ରହିଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ସରକାରୀ ତଥ୍ୟା ଅନୁଯାୟୀ ୩୨ ରହିଥିବାବେଳେ ଏହାର ସଂଖ୍ୟା ଅଧିକ ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

ଡେଲ୍‌ଟା ପ୍ଲସ୍‌ ହେଉଛି ଡେଲ୍‌ଟା(ବି.୧.୬୧୭) ଗ୍ରୁପ୍‌ର ଏକ ଲିନିଏଜ୍। ଏଥିରେ କେ୪୧୭ଏନ୍‌ ସ୍ପାଇକ୍ ପ୍ରୋଟିନ୍ ରହିଛି। ଯାହାକି ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ବିଟା ଭାରିଏଣ୍ଟରେ ପୂର୍ବରୁ ଚିହ୍ନଟ ହୋଇଥିଲା। ବିଶେଷଜ୍ଞଙ୍କ ମତରେ ଏହି ଭାରିଏଣ୍ଟ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ମ‌ନୋକ୍ଲୋନାଲ ଆଣ୍ଟବଡି କକ୍‌ଟେଲର ପ୍ରଭାବକୁ ମଧ୍ୟ ହ୍ରାସ କରିପାରେ। ଦେଶରେ ସମୁଦାୟ ୪୫ହଜାର ନମୁନାର ଜିନ୍ ଅନୁଶୀଳନ ହୋଇଥିବା ବେଳେ ଏଥିରେ ୪୮ଟି ଡେଲ୍‌ଟା ପ୍ଲସ୍‌ ଭାରିଏଣ୍ଟ ଥିବା ଜଣାପଡ଼ିଛି। ଏଥିରେ ମହାରାଷ୍ଟ୍ରରେ ସର୍ବାଧିକ ୨୦, ତାମିଲନାଡ଼ୁ ୯, ମଧ୍ୟପ୍ରଦେଶ ୭, କେରଳ ୩, ପଞ୍ଜାମ, ଗୁଜୁରାଟରେ ୨ ଲେଖାଏଁ, ଆନ୍ଧ୍ର, ରାଜସ୍ଥାନ, ଓଡ଼ିଶା, ଜମ୍ମୁ, କର୍ଣ୍ଣାଟକରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସବୁ ଭାରିଏଣ୍ଟ ବିରୋଧରେ ଉଭୟ ଟିକା ଫଳପ୍ରଦ: ଡା.ଭାର୍ଗବ
କରୋନା ଭୂତାଣୁର ସମସ୍ତ ଚିନ୍ତାଜନକ ଭାରିଏଣ୍ଟ ବା ଭାରିଏଣ୍ଟ ଅଫ୍‌ କନସର୍ଣ୍ଣ(ଭିଓସି) ବିରୋଧରେ ‘କୋଭିସିଲ୍‌ଡ’ ଓ ‘କୋଭାକ୍ସିନ୍’ ଟିକା ଫଳପ୍ରଦ ବୋଲି କହିଛନ୍ତି ଆଇସିଏମ୍‌ଆର ନିର୍ଦେଶକ ଡା.ବଳରାମ ଭାର୍ଗବ। ଡା.ଭାର୍ଗବ କହିଛନ୍ତି, ଆଲ୍‌ଫା, ବିଟା, ଗାମା ଓ‌ ଡେଲ୍‌ଟା ଭାରିଏଣ୍ଟକୁ ପ୍ରତିହତ କରିବାରେ ଏହି ଦୁଇ ଟିକା ସଫଳ। ଅପରପକ୍ଷ‌େ‌ରେ ଇନଷ୍ଟିଚ୍ୟୁଟ୍‌ ଅଫ ଜେନୋମିକ୍ସ ଏଣ୍ଡ ଇଣ୍ଟିଗ୍ରେଟିଭ୍ ବାଇଓଲୋଜି(ଆଇଜିଆଇବି)ର ନିର୍ଦେଶକ ଡା.ଅନୁରାଗ ଅଗ୍ରୱାଲ କହିଛନ୍ତି, ଏହି ଭାରିଏଣ୍ଟ ଅଧିକ ସଂକ୍ରମଣଶୀଳ କି ନୁହେଁ ତାହାର ଗବେଷଣା ଜାରି ରହିଛି। ତେବେ ଡେଲ୍‌ଟାଠାରୁ ଡେଲ୍‌ଟା ପ୍ଲସ୍‌ ଅଧିକ ଭୟଙ୍କର ବୋଲି କୌଣସି ସୂଚନା ମିଳିନାହିଁ। ତେବେ ଆଗାମୀ ଦିନରେ ଯଦି ଏହା ଯୋଗୁଁ ଅଧିକ ସଂକ୍ରମଣ ହୁଏ ତାହାଲେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ। ମାତ ଏ ପର୍ଯ୍ୟନ୍ତ ଡେଲ୍‌ଟା ପ୍ଲସ୍ ଭିଓସି ଭାବେ ବିବେଚିତ ହେବ ବୋଲି ଡା.ଅଗ୍ରୱାଲ କହିଛନ୍ତି।

ସମ୍ବନ୍ଧିତ ଖବର