ହାଇକୋର୍ଟ ବେଞ୍ଚକୁ ନେଇ ଚଞ୍ଚକତାର ପ୍ରତିବାଦ

ସ୍ବତନ୍ତ୍ର ରାଜ୍ୟ ଦାବିରେ ୨୩ ତାରିଖ ସମ୍ବଲପୁର ବନ୍ଦ    

ସମ୍ବଲପୁର: ଆସନ୍ତା ୨୩ ତାରିଖ ବୁଧବାର ଦିନ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଜନସାଧାରଣ ଓ ଓକିଲମାନେ ବହୁ ଦିନରୁ ଆନ୍ଦୋଳନ ଚଳାଇ ଆସୁଛନ୍ତି। ହେଲେ ରାଜ୍ୟ ସରକାର ଠୋସ ପ୍ରସ୍ତାବ ଦେବା ପରିବର୍ତ୍ତେ ଚଞ୍ଚକତା ପୂର୍ବକ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏହାର ପ୍ରତିବାଦରେ, ପଶ୍ଚିମ ଓଡିଶାକୁ ଓଡିଶାରୁ ପୃଥକ କରି ସ୍ବତନ୍ତ୍ର ରାଜ୍ୟ ପ୍ରତିଷ୍ଠା ଦାବିରେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ୨୩ ତାରିଖ ଦିନ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଛି। ଉକ୍ତ ଦିନ ସକାଳ ୬ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର, ଅଫିସ, କଚେରି, ଯାନବାହାନ ଚଳାଚଳକୁ ବନ୍ଦ ରଖିବା ପାଇଁ ଆହ୍ବାନ ଦିଆଯାଇଛି। ତେବେ ଅତ୍ୟାବଶ୍ୟକ ସେବା ଓ ଜାତୀୟ ରାଜପଥରେ ଗାଡ଼ି ଚଳାଚଳକୁ ବନ୍ଦରୁ ବାଦ ଦିଆଯାଇଛି।

କମିଟି ଆବାହକ ଅରବିନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଠୋର ସମାଲୋଚ଼ନା କରାଯିବା ସହିତ ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଇ ନଦେବା ପାଇଁ ହେଉଥିବା ଷଡ଼ଯନ୍ତ୍ରରେ ସାମିଲ ସମସ୍ତ ପକ୍ଷଙ୍କୁ ଭର୍ସନା କରା ଯାଇଥିଲା। ଓକିଲ ଓ ଜନସାଧାରଣ ମିଶି ଏହି ଜନଦାବି ହାସଲ ପାଇଁ ବିଗତ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଆନ୍ଦୋଳନ ଚଳାଇ ଆସିଲେଣି। ତେଣୁ ଏହାକୁ ଫଳବତୀ କରିବା ପାଇଁ ଯେକୌଣସି ଚରମ ପଦକ୍ଷେପ ନେବାକୁ ଦ୍ବିଧା ପ୍ରକାଶ କରିବେ ନାହିଁ ବୋଲି କମିଟି ପକ୍ଷରୁ କହାଯାଇଛି। ସମ୍ବଲପୁର ଓକିଲ ଆନ୍ଦୋଳନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏକତରଫାଭାବେ ଦେଇଥିବା ଦମନମୂଳକ ମନ୍ତବ୍ୟକୁ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇ କମିଟି କ୍ଷୋଭ ପ୍ରକାଶ କରିଥିଲା। ଓକିଲଙ୍କ ପ୍ରତି ଅଞ୍ଚଳବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଥିବା ମତପ୍ରକାଶ ପାଇଥିଲା। ରାଜ୍ୟ ସରକାର ପରୀକ୍ଷାମୂଳକଭାବେ ସମ୍ବଲପୁରରେ ପାଣି ମିଟର ଲଗାଇବାକୁ ମଧ୍ୟ ଭର୍ସନା କରାଯାଇ ଏହାର ବିରୋଧ କରିବାକୁ ଆହ୍ବାନ ଦିଆ ଯାଇଥିଲା। ବୈଠକରେ ବ୍ୟବସାୟୀ ସଂଘ ସହିତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଗଣ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର