ଜଳେଶ୍ଵର ପୌରପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷଣ ଦାବି: ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଲେ ସମାଜସେବୀ

ଜଳେଶ୍ଵର: ଜଳେଶ୍ଵର ପୌର ପରିଷଦର ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗ ପାଇଁ ଆରକ୍ଷଣ ଦାବିରେ ସମାଜସେବୀ ଅଶୋକ କୁମାର ଜେନା ଉଚ୍ଚ ନ୍ୟାୟାଳୟରେ ଦ୍ବାରସ୍ଥ ହୋଇଛନ୍ତି।
୧୯୬୪ ମସିହାରେ ଗଠିତ ହୋଇଥିବା ଜଳେଶ୍ୱର ଏନଏସି ଏହା ଭିତରେ ମ୍ୟୁନିସିପାଲଟିର ମାନ୍ୟତା ମଧ୍ୟ ପାଇସାରିଛି। ତେବେ ଆଶ୍ଚର୍ଯ୍ୟର କଥା ଏନଏସି ଗଠନ ହେବା ଠାରୁ ଅଦ୍ୟାବଧି ଏହି ସହରାଞ୍ଚଳର ଅଧ୍ୟକ୍ଷ ପଦବୀ ଥରୁଟିଏ ମଧ୍ୟ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହୋଇନାହିଁ। ଗତ ଜାନୁଆରି ୩୧ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୨୨ ପୌର ନିର୍ବାଚନରେ ଜଳେଶ୍ଵର ପୌରାଧ୍ୟକ୍ଷ ପଦବୀକୁ ଅଣସଂରକ୍ଷିତ ରଖାଯାଇଛି।

ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିବ ବୋଲି ଲୋକେ ଆଶା ବାନ୍ଧିଥିବା ବସିଥିବା ବେଳେ ତାହା ସମ୍ଭବ ହୋଇନଥିବାରୁ ଏହା ଅନୁସୂଚିତ ଜାତି ବର୍ଗ ପାଇଁ ଉପେକ୍ଷା ବୋଲି ସମାଜସେବୀ ଅଶୋକ କୁମାର ଜେନା ଅଭିଯୋଗ କରିଛନ୍ତି। ସହରର ନିର୍ଦ୍ଦିଷ୍ଟ କିଛି ପୁର୍ବତନ କାଉନସିଲର, ସାଧାରଣ ଲୋକେ ପୃଥକ ପୃଥକ ଭାବେ ଜଳେଶ୍ଵର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲେଶ୍ଵର ଜିଲ୍ଲାପାଳ, ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଏନେଇ ଆପତ୍ତି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ଏହାର ପ୍ରତିବାଦରେ ଓ  ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷଣ କରିବାକୁ ଶ୍ରୀ ଜେନା ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ବିଭାଗୀୟ ଅଧିକାରୀଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟ ରେ ଦ୍ବାରସ୍ଥ ହୋଇଛନ୍ତି। ଯାହା ଡବ୍ଲ୍ୟୁପି(ସି)-୪୬୫୫/୨୦୨୨ ନମ୍ବରରେ ପଞ୍ଜିକରଣ ହୋଇଛି। ଆବେଦନକାରୀଙ୍କ ତରଫରୁ ହାଇକୋର୍ଟରେ ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ଜେନା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର