ସୂଚନା ଅଧିକାର ଆଇନ ଯୋଗେ ମିଳିଲା ତଥ୍ୟ: ଦେଓମାଳି ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ

ବଲାଙ୍ଗୀର : ଓଡ଼ିଶାର ସର୍ବୋଚ୍ଚ ପର୍ବତ ଭାବେ ପୂର୍ବଘାଟରେ ଦେଓମାଳିର ନାମ ରହିଛି। ଓଡ଼ିଶାର ସର୍ବୋଚ୍ଚ ପର୍ବତକୁ ନେଇ ବିବାଦ ଲାଗି ରହିଥିବାବେଳେ ଏବେ ସୂଚନା ଅଧିକାର ବଳରେ ଏହି ତଥ୍ୟ ହସ୍ତଗତ ହୋଇଛି।

ବିଧାନସଭାର ଗତ ମୌସୁମୀ ଅଧିବେଶନରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଦେଓମାଳି ପର୍ବତ ଓଡ଼ିଶାର ରାଜସ୍ୱ, ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗ ଖାତାରେ ନାହିଁ ବୋଲି କହିଥିଲେ। ଏହାଉପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ରୁଲିଂ ଦେଇ ତିନି ବିଭାଗର ସମନ୍ୱୟ ବୈଠକ କରି ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଦ୍ୱନ୍ଦ୍ବକୁ ଦୂର କରିବା ପାଇଁ ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ତଥ୍ୟ ମାଗିଥିଲେ। ଉତ୍ତରାଖଣ୍ଡର ଆଲମୋରାସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ଥ ରାଷ୍ଟ୍ରୀୟ ହିମାଳୟୀ ପର୍ଯ୍ୟାବରଣ ସଂସ୍ଥାନ (ଏନ୍‌ଆଇଏଚ୍‌ଇ) ପକ୍ଷରୁ ଶ୍ରୀ ପଣ୍ଡାଙ୍କୁ ଏ ସମ୍ପର୍କରେ ତଥ୍ୟ ଦିଆଯାଇଛି। ଏହି ତଥ୍ୟରେ ଓଡ଼ିଶାର ସର୍ବୋଚ୍ଚ ପର୍ବତ ଭାବେ ପୂର୍ବଘାଟରେ ଦେଓମାଳିର ନାମ ରହିଛି।

ଓଡ଼ିଶାର ଦେଓମାଳି ପର୍ବତର ଉଚ୍ଚତା ୧୬୭୨ ମିଟର ରହିଥିବା ବେଳେ ୨୮ଟି ରାଜ୍ୟ ମଧ୍ୟରେ ୧୬ ନମ୍ବରରେ ରହିଛି। ଫଳରେ, ମନ୍ତ୍ରୀ ଦେଓମାଳି ରେକର୍ଡ ଓଡ଼ିଶାରେ ନାହିଁ ବୋଲି ବିଧାନସଭାରେ କହିବା ଦ୍ୱାରା ରାଜ୍ୟର ସୀମା ପ୍ରସଙ୍ଗକୁ ଗୁରୁତ୍ୱହୀନ କରିଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। ରାଜ୍ୟର ଭୌଗୋଳିକ ସ୍ଥିତି ବିଷୟରେ ମନ୍ତ୍ରୀମାନେ ଠିକ୍‌ ଉତ୍ତର ରଖିଲେ ରାଜ୍ୟର ସଚେତନ ନାଗରିକମାନେ ବ୍ୟଥିତ ହେବା ସହ ଛାତ୍ରଛାତ୍ରୀମାନଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିବା ଆଶଙ୍କା ରହିଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ଆଧାରରେ ଓଡ଼ିଶା ସରକାର ଜଙ୍ଗଲ ବିଭାଗ ଦେଓମାଳିକୁ ଖାତାରେ ଉଲ୍ଲେଖ କରିବା ପାଇଁ ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

 

ସମ୍ବନ୍ଧିତ ଖବର