ଆସନ୍ତାବର୍ଷ ମାର୍ଚ ସୁଦ୍ଧା ଶେଷ ହେବ ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ କାର୍ଯ୍ୟ

ଉତ୍କଳମଣି ଜନ୍ମପୀଠର ସମୀକ୍ଷା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଆରମ୍ଭ ହୋଇଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଗତବର୍ଷ ମାର୍ଚ ଭିତରେ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୫.୧୬କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି।

ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ିଶା ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ପୁରୀ ଜିଲ୍ଲା ସୁଆଣ୍ଡୋ ଗାଁ ଓ ସେଠାରେ ଥିବା ଗୋପବନ୍ଧୁଙ୍କ ଜନ୍ମପୀଠର ସାମଗ୍ରିକ ବିକାଶ ପ୍ରକଳ୍ପ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥ‌ିଲେ। ଗୋପବନ୍ଧୁଙ୍କ ଜନ୍ମପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ପାର୍କିଂ ଆଦିର ବିକାଶ ପାଇଁ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଇତି ମଧ୍ୟରେ ତ୍ବରାନ୍ବିତ ହୋଇଛି। ଏସବୁ ସହ ଗୋପବନ୍ଧୁ ସ୍ମୃତି ସଂଗ୍ରହାଳୟ, ସୂଚନା କେନ୍ଦ୍ର ଓ ଆତିଥ୍ୟ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି। ଇତି ମଧ୍ୟରେ ଶିବ ମନ୍ଦିରର ମୂଳଦୁଆ ସଂରକ୍ଷଣ ପିଷ୍ଟର ବିକାଶ, ଦଧି ନଉତି, ମନ୍ଦିର ପରିକ୍ରମା ରାସ୍ତା ଆଦି କାର୍ଯ୍ୟ ବିଶେଷ ଭାବେ ଅଗ୍ରଗତି କରିଛି। ପ୍ରଥମ ପୋଖରୀର ପୁଣିଥରେ ଖନନ, ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସଂଗ୍ରହାଳୟ ଘର ନିର୍ମାଣ ସରିଛି। ବିଦ୍ୟୁତକରଣ ଓ ଶେଷ ପର୍ଯ୍ୟାୟ କାର୍ଯ୍ୟ ଚାଲୁ ରହିଛି। ସେହିପରି ଆତିଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ କାମ ମଧ୍ୟ ଚାଲୁ ରହିଛି। ଦ୍ବିତୀୟ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଚଳିତ ମାସ ଭିତରେ ଆରମ୍ଭ କରିବା ଲାଗି ନିର୍ଦେଶ ଦିଆଯାଇଛି। ଗୋପବନ୍ଧୁଙ୍କ ପ୍ରାୟ ୧୫ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତି, ପୈତୃକ ଗୃହର ପୁନଃ ବିକାଶ ଆଦି କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା ସଂସ୍କୃତି ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ପଥର ଯୋଗାଣ ଅବ୍ୟାହତ ରଖିବା ପାଇଁ ଓଡ଼ିଶା ଖଣି ନିଗମକୁ ନିର୍ଦେଶ ଦିଆଯାଇଛି।

ଓଡ଼ିଶା ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିଭୂମିର ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଛି। ବିଶ୍ବବିଦ୍ୟାଳୟ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କୁହାଯାଇଛି। ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ସମୁଦାୟ ୬୧.୬୩ କୋଟି ଟଙ୍କାର ବ୍ୟୟ ଅଟକଳୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି। ସାକ୍ଷୀଗୋପାଳ ମନ୍ଦିରର ମରାମତି ଓ ସୌନ୍ଦର୍ଯ୍ୟକରଣ କାମ ତ୍ବରାନ୍ବିତ କରିବାକୁ କୁହାଯାଇଛି। ସୁଆଣ୍ଡୋ, ସତ୍ୟବାଦୀ, ଓଡ଼ିଆ ବିଶ୍ବବିଦ୍ୟାଳୟ ଓ ସାକ୍ଷୀଗୋପାଳକୁ ଓଡ଼ିଆ ଭାଷା ସଂସ୍କୃତିର ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରଭାବେ ବିକାଶିତ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ପୂର୍ତ ବିଭାଗ ସଚିବ କ୍ରିଷନ୍ କୁମାର, ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ଅଧିକାରୀ ବିଜୟ କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର