ସ୍ବର୍ଗଦ୍ବାର ବିକାଶରେ ତାଳିପକା କାମ: ବର୍ଷା ହେଲେ ଛାତରୁ ଗଳୁଛି ପାଣି, ପଡ଼ିଲା ପିଚୁ ବୋର୍ଡ

ପୁରୀ: ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରି ଗଢ଼ି ତୋଳିବା ସହ ବିଶ୍ବର ଅନନ୍ୟ ସହର କରିବାର ସ୍ବପ୍ନ ଦେଖୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ସରକାର ଶ୍ରୀମନ୍ଦିର ହେରିଟେଜ୍‌ କରିଡର୍‌ ସହ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକୁ ହାତକୁ ନେଇଛନ୍ତି। ଇତିମଧ୍ୟରେ ସ୍ବର୍ଗଦ୍ବାରର ବିକାଶ ଅନ୍ୟତମ। ଶ୍ରୀକ୍ଷେତ୍ରର ଏହି ସମସ୍ତ ବିକାଶମୂଳକ କାର୍ଯ୍ୟକୁ ଓବିସିସିକୁ ଟେକି ଦେଇଛନ୍ତି ସରକାର। କିନ୍ତୁ ଏହି ବିକାଶମୂଳକ କାର୍ଯ୍ୟ ଯେ ନିମ୍ନମାନର ତାହା ଏବେଠୁ ଜଳଜଳ ଦିଶିଲାଣି। ସ୍ବର୍ଗଦ୍ବାର ଏହାର ଜ୍ବଳନ୍ତ ଉଦାହରଣ। ଏଠାରେ ପିଣ୍ଡି ତିଆରି ହୋଇ ଶବଦାହ ଆରମ୍ଭ ହେବା ୬ ମାସ ଯାଇ ନାହିଁ, ଶବଦାହ ପିଣ୍ଡିର ଛାତରୁ ପାଣି ଗଳିଲାଣି ଆଉ ପାଣି ଗଳିବା ରୋକିବା ପାଇଁ ଏହା ଉପରେ ପିଚୁ ବୋର୍ଡ଼ ପକାଇ ତାଳିପକା କାମ କରାଯାଇଛି। ଯାହାର କୌଣସି ସ୍ଥାୟିତ୍ବ ନାହିଁ।

୨୦୧୯ ମସିହାରେ ଶ୍ରୀମନ୍ଦିର ହେରିଟେଜ୍‌ କରିଡର ସହ ଶ୍ରୀସେତୁ, ମାର୍କେଟ୍‌ କମ୍ପ୍ଲେକ୍ସ ଆଦି ବିକାଶର ପରିକଳ୍ପନା କରିଥିଲେ ରାଜ୍ୟ ସରକାର। କିନ୍ତୁ ସ୍ବର୍ଗଦ୍ବାରକୁ ଏଥିରୁ ବାଦ୍‌ ଦିଆଯାଇଥିଲା। ବିଭିନ୍ନ ମହଲରୁ ବିରୋଧ ପରେ ଶେଷରେ ସ୍ବର୍ଗଦ୍ବାର ବିକାଶର ନକ୍ସା ଅଙ୍କା ଯାଇଥିଲା। ସ୍ବର୍ଗଦ୍ବାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ। ଅନୁଦାନ ମିଳିବା ପରେ କାମ ଆରମ୍ଭ ହେଲା। ଇତିମଧ୍ୟରେ ସ୍ବର୍ଗଦ୍ବାର ବିକାଶ କାମ ଶେଷ ହୋଇନଥିଲେ ବି ଶବଦାହ କାମ ଜାରି ରହିଛି। ନୂଆ ଶବଦାହ ପିଣ୍ଡିର ଶୁଭାରମ୍ଭ କରାଯାଇଛି। ଏବେ ପ୍ରଶାସନିକ କୋଠା କାମ ଜାରି ରହିଛି। କିନ୍ତୁ ଆରମ୍ଭରୁ ସ୍ବର୍ଗଦ୍ବାର ଶବଦାହ ପିଣ୍ଡିର ଛାତରୁ ପାଣି ଗଳିବା କାମର ମାନକୁ ନେଇ ପ୍ରଶ୍ନ ଉଠାଇଛି। ସାମାନ୍ୟ ବର୍ଷାରେ ଛାତ ଦେଇ ପାଣି ଗଳିବା ସହ କାନ୍ଥ ସବୁ ଓଦା ହୋଇଯାଉଛି।

ଚଟାଣ ବି ଓଦା ହେଉଛି। ଯାହା ଶବଦାହରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଏ ସମ୍ପର୍କରେ ଅଭିଯୋଗ ପରେ ଏବେ ଏହାର ତାଳିପକା କାମ କରାଯାଇଛି। ଛାତରୁ ପାଣି ନ ଗଳିବା ପାଇଁ ଛାତ ସାରା ପିଚୁର ବୋର୍ଡ ପକାଯାଇଛି। ଏଭଳି ସ୍ଥିତିରେ ଓବିସିସି ପୁରୀ ସହର ଭିତରେ ଅନ୍ୟ ଯେଉଁ ସବୁ କାମ କରୁଛି, ତାହାର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଓବିସିସି ନିର୍ବାହୀ ଯନ୍ତ୍ରୀ ଇ. ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି ଯେ ସ୍ବର୍ଗଦ୍ବାର କାମ ପ୍ରିକାଷ୍ଠିଂ ଉପାୟରେ ହୋଇଛି। ପିଲାର, କାନ୍ଥ ସବୁ ଅନ୍ୟତ୍ର ତିଆରି ହୋଇ ଏଠାରେ ସ୍ଥାପନ କରାଯାଇଛି। ଏଣୁ ଏହା ସମ୍ପୂର୍ଣ୍ଣ ମିଶିବା ସମ୍ଭବ ନୁହେଁ। ଏହାକୁ ମିଶାଇବା ଓ ପାଣି ନ ଗଳିବା ପାଇଁ ଛାତର ଗ୍ରିଡିଂ ସହ ପିଚୁ ବୋର୍ଡ ପକାଯାଇଛି। ଯଦି ପିଲାର ସହ କାନ୍ଥ ଛାତ କାଷ୍ଠିଂ ଉପାୟରେ ହୋଇଥାନ୍ତା, ତେବେ ଏଭଳି ସମସ୍ୟା ନଥାନ୍ତା। ପିଚୁ ବୋର୍ଡର ସ୍ଥାୟିତ୍ବ ସମ୍ପର୍କରେ ଇଂ. ପାଣିଗ୍ରାହୀ କହିଛନ୍ତି ଯେ ଏହା ଅତିକମରେ ୫ ବର୍ଷ ଯିବ।

ସମ୍ବନ୍ଧିତ ଖବର