ମୋଦୀ ଦେଶରେ ନୂଆ ଜାଗରଣ ଆଣିଛନ୍ତି: ଧର୍ମେନ୍ଦ୍ର

ରାଜ୍ୟ ବିଜେପି ପକ୍ଷରୁ ମୋଦୀଙ୍କ ଜନ୍ମଦିନ ପାଳନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଏକ ନୂ୍ଆ ଜାଗରଣ ଆଣିଛନ୍ତି। ବିଶ୍ବରେ ଭାରତର ଗୌରବ ବଢ଼ାଇବା ସହ ଓଡ଼ିଶା ପରି ରାଜ୍ୟକୁ ବିଶେଷ ଧ୍ୟାନ ଦେଇଛନ୍ତି। ଜଳ ସଂରକ୍ଷଣ ଓ ସିଙ୍ଗଲ୍‌ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ ହିଁ ମୋଦୀଙ୍କୁ ତାଙ୍କ ଜନ୍ମଦିନର ଶ୍ରେଷ୍ଠ ଉପହାର ହୋଇପାରିବ।  ଶ୍ରୀ ପ୍ରଧାନ କହିଛନ୍ତି, ସାରା ଦେଶ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେବା ସପ୍ତାହ ପାଳନ କରୁଛି। ସାମ୍ପ୍ରତିକ ସମୟରେ ଦେଶର ଦୁଇଟି ଜ୍ବଳନ୍ତ ସମସ୍ୟା ଜଳ ଓ ପ୍ଲାଷ୍ଟିକ୍ ବ୍ୟବହାର ଲୋକମାନଙ୍କୁ ଚିନ୍ତାରେ ପକାଇଛି। ଦେଶରେ ଜଳ ସଂରକ୍ଷଣ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ସେହିପରି ପ୍ଲାଷ୍ଟିକ୍ ବ୍ୟବହାର ମଧ୍ୟ ଚିନ୍ତାଜନକ ହୋଇପଡ଼ିଛି। ନିଜେ ପ୍ରଧାନମନ୍ତ୍ରୀ ପ୍ଲାଷ୍ଟିକ୍ ବର୍ଜନ ତଥା ଏହାର ବ୍ୟବହାରକୁ ଧୀରେ ଧୀରେ କମ୍ କରିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସିଙ୍ଗଲ୍‌ ୟୁଜ୍ ପ୍ଲାଷ୍ଟିକ୍‌ର ବ୍ୟବହାର ଶହ ଶହ ବର୍ଷର ହୋଇଥିଲା ବେଳେ ସମ୍ପ୍ରତି ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ପରିବେଶକୁ ଦୂଷିତ କରୁଛି। ଏହା ଦ୍ବାରା ପଶୁ ସମ୍ପଦ ଅଧିକ ପ୍ରଭାବିତ ହେଉଛି। ପ୍ଲାଷ୍ଟିକ୍ ବ୍ୟବହାର ଦ୍ବାରା ଜଳାଶୟରେ ପାଣି ପ୍ରବାହରେ ମଧ୍ୟ କୁପ୍ରଭାବ ପକାଉଛି। ତେଣୁ ଏହାକୁ ବନ୍ଦ କରିବା ପାଇଁ ଏକ ଜନଆନ୍ଦୋଳନ ସୃଷ୍ଟି କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

ସେହିପରି ରାଜ୍ୟ ବିଜେପି ପକ୍ଷରୁ ମୋଦୀଙ୍କ ଜନ୍ମଦିନ ପାଳନ କରାଯାଇଛି। ସତ୍ୟନଗରସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ବିଜେପି କର୍ମକର୍ତ୍ତାମାନେ ମୋଦୀଙ୍କ ଜନ୍ମଦିନ ପାଳନ କରିଥିଲେ। ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ ଦିବ୍ୟାଙ୍କ ଛାତ୍ରଛାତ୍ରୀଙ୍କୁ ସିଙ୍ଗଲ୍‌ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ ଓ ଜଳ ସଂରକ୍ଷଣ ପାଇଁ ଶପଥ ପାଠ କରାଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ନେତୃ୍ତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲେଖାଶ୍ରୀ ସାମନ୍ତସିଂହାର, ଋଷଭ ନନ୍ଦ, ମନୋରଞ୍ଜନ ସ୍ବାଇଁ ଓ ରଶ୍ମୀ ମହାପାତ୍ର ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର