ସୈନିକଙ୍କ ମନୋବଳକୁ ମୋଦୀ ଦୃଢ଼ କରିଛନ୍ତି: ଧର୍ମେନ୍ଦ୍ର

ବିଜେପିର ଝାଡ଼ଖଣ୍ଡ ରାଲିରେ କେନ୍ଦ୍ର ମନ୍ତ୍ରୀଙ୍କ ଉଦ୍‌ବୋଧନ
ପୂର୍ବ ଭାରତର ବିକାଶ ମୋଦୀଙ୍କ ପ୍ରାଥମିକତା

ଭୁବନେଶ୍ୱର : ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଦେଖାଯାଇଥିବା ବେଳେ ଏହି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବୀର ସୈନିକମାନଙ୍କ ମନୋବଳକୁ ଦୃଢ଼ କରିଛନ୍ତି। ଦେଶର ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ସୈନିକମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ରବିବାର ବିଜେପି ପକ୍ଷରୁ ଝାଡ଼ଖଣ୍ଡରେ ଆୟୋଜିତ ଭର୍ଚୁଆଲ ରାଲିରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ସବ୍‌କି ସାଥ୍ ସବ୍‌କି ବିକାଶ ଓ ସବ୍‌କି ବିଶ୍ୱାସର ମନ୍ତ୍ର ନେଇ ଚାଲୁଥିବା ମୋଦୀ ସରକାରର ପୂର୍ବ ଭାରତର ବିକାଶ କରିବା କେବଳ ଏକ ସ୍ଲୋଗାନ ନୁହେଁ ଗୋଟେ ଦାୟିତ୍ୱ । ପୂର୍ବ ଭାରତକୁ ବିକାଶ କରିବା ନରେନ୍ଦ୍ର ମୋଦୀଙ୍କ ପ୍ରାଥମିକତା। ଦିଲ୍ଲୀରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ। ମାତ୍ର ମୋଦୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ପୂର୍ବ ଭାରତର ବିକାଶ କରିବା କଥା ଅଧିକ ଚିନ୍ତା କରୁଛନ୍ତି। ପୂର୍ବ ଭାରତର ବିକାଶ ବିନା ଦେଶର ସନ୍ତୁଳିତ ବିକାଶ କରିବା ଅସମ୍ଭବ ବୋଲି ସେ କହିଛନ୍ତି। ମୋଦୀ ସରକାରରେ ଜାତୀୟ ରାଜପଥ, ରେଳ, କୃଷି ତଥା ସମସ୍ତ କ୍ଷେତ୍ରର ବିକାଶ ହୋଇଛି । ଓଡିଶାର ବନ୍ଦ ପଡ଼ିଥିବା ତାଳଚେର ସାର କାରଖାନା ସମେତ ଝାଡ଼ଖଣ୍ଡର ଅନେକ ବନ୍ଦ କାରଖାନାକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଛି । ଝାଡ଼ଖଣ୍ଡରେ ଗରିବଙ୍କୁ ସବୁ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନ କାଳରେ ପକ୍କା ଘର ପାଇଁ ଝାଡଖଣ୍ଡକୁ ଯେତିକି ଅନୁଦାନ ଦିଆଯାଇଛି କଂଗ୍ରେସର ଗତ ୧୦ ବର୍ଷ ଶାସନରେ ଝାଡ଼ଖଣ୍ଡକୁ ସେତେ ଅନୁଦାନ ମିଳିନଥିଲା। ସେହିପରି ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ବେଟି ବଚାଓ ଏବଂ ବେଟି ପଢାଓ ଭଳି କାର୍ଯ୍ୟକ୍ରମରେ ପୂର୍ବ ଭାରତ ତଥା ଝାଡ଼ଖଣ୍ଡ ଭଳି ରାଜ୍ୟ ଅଧିକ ଲାଭ ପାଇଛନ୍ତି । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାରେ ପାଇପ୍‌ଲାଇନ କାମ ମଧ୍ୟ ଏଠାରେ ହେଉଛି । କୋଇଲା କ୍ଷେତ୍ରରେ ସଂସ୍କାର ଅଣାଯିବା କାରଣରୁ ଝାଡଖଣ୍ଡରେ ସ୍ଥାନୀୟ ଅର୍ଥନୀତି ଅଧିକ ସୁଦୃଢ ହେବ ବୋଲି ମତବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ।

ସମ୍ବନ୍ଧିତ ଖବର