ହାଇକୋର୍ଟଙ୍କ କମିଟି ସମ୍ମୁଖରେ ମତ ରଖିଲେ ଢିଙ୍କିଆ ପଞ୍ଚାୟତବାସୀ: ପ୍ରକଳ୍ପ ସପକ୍ଷରେ ଗଲେ ୯୦ ପ୍ରତିଶତ

ବିରୋଧୀ ଓ ସାମ୍ବାଦିକଙ୍କୁ ବୈଠକକୁ ଛାଡିଲାନି ପ୍ରଶାସନ, ବିରୋଧୀଙ୍କ ଅଭିଯୋଗକୁ ଏସ୍‌ପିଙ୍କ ଅସ୍ବୀକାର

ଜଗତସିଂହପୁର/କୁଜଙ୍ଗ : ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶନିିବାର ଦିନ ଢିଙ୍କିଆରେ ଏକ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟଙ୍କ ମନୋନୀତ ୫ ଜଣ ଆଇନଜୀବୀଙ୍କୁ ନେଇ ଗଠିତ କମିଟି ସାମ୍ନାରେ ପଞ୍ଚାୟତବାସୀ ନିଜ ମତ ରଖିଛନ୍ତି। ଯଦିଓ ବୈଠକରେ ୯୦ ପ୍ରତିଶତ ଲୋକ ପ୍ରକଳ୍ପ ସପକ୍ଷରେ ମତ ଦେଇଥିବା କୁହାଯାଉଛି ଅନ୍ୟପଟେ କିନ୍ତୁ ଗଣମାଧ୍ୟମ ପ୍ରତିନିଧି ଓ ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କୁ ଭିତରକୁ ଛଡ଼ା ଯାଇ ନଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କିନ୍ତୁ ଜଗତସିଂହପୁର ଏସପି ଅଖିଳେଶ୍ବର ସିଂହ ଅସ୍ବୀକାର କରିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ପୁଣି ଥରେ କମିଟିରେ ଥିବା ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ଓମକାରଦେବ ଦାସ, ସୁକାନ୍ତ କୁମାର ଦଳାଇ, ଅତିରିକ୍ତ ସହକାରୀ ଆଇନଜୀବୀ ଦେବକାନ୍ତ ମହାନ୍ତି, ଜନ୍ମେଜୟ କଟକିଆ ପ୍ରମୁଖ ଢିଙ୍କିଆଠାରେ ପହଂଚି ଥିଲେ। ପଂଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ ପଟୱାରୀ ଅଧ୍ୟକ୍ଷତା କରିଥିଲେ। ବୈଠକର ପ୍ରାରମ୍ଭରେ ଏରସମା ବିଡ଼ିଓ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମାବେଶସ୍ଥଳ ବାହାରକୁ ଯିବା ପାଇଁ କହିଥିଲେ। ଫଳରେ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି ଭାବେ ଅନ୍ୟ କିଛି ସ୍ଥାନୀୟ ପଂଚାୟତବାସୀ ଭିତରକୁ ଯିବାପାଇଁ ଚାହିଁଥିଲେ ମଧ୍ୟ ସେମାନଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯାଇନଥିଲା। ବୈଠକରେ ପଂଚାୟତର ଢିଙ୍କିଆ, ପାଟଣା, ମାହାଳ, ତ୍ରିଲୋଚନପୁର, ଗୋବିନ୍ଦପୁର ଆଦି ଗ୍ରାମର ଲୋକମାନଙ୍କୁ ବସିବା ପାଇଁ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଥିଲା।

ମାହାଳ ଗ୍ରାମର ସୁକାନ୍ତ ବେଉରା, ଭ୍ରମରବର ଦାସ, ଲତିକା ବେହେରା, ବାବାଜୀ ରାଉତ, ପ୍ରେମାନନ୍ଦ ପରିଡା, ସୁରେଶ କୁମାର ବେହେରା, ବାବୁଲି ଚରଣ ସେଠୀ, ତ୍ରିଲୋଚନପୁର ଗ୍ରାମର ରବୀନ୍ଦ୍ର କୁମାର ମହାନ୍ତି, ମାଧ ବେହେରା, କୈଳାସ ଚନ୍ଦ୍ର ମହାନ୍ତି, ଶଙ୍କର ନାୟକ, ଢିଙ୍କିଆ ଗ୍ରାମର ନିର୍ଭୟ କୁମାର ସାମନ୍ତରାୟ, ଅକ୍ଷୟ ବେହେରା, ଶିଶିର ମହାପାତ୍ର, ବିବେକ ସ୍ବାଇଁ, ଅକ୍ଷୟ ଦାସ, କବିନ୍ଦ୍ର ଗୋଛାୟତ, ନିବାସ କାଣ୍ତି, ଅରି ସାମଲ, ପାଟଣା ଗ୍ରାମର ଚନ୍ଦନ ମହାନ୍ତି, କୈଳାସ ମହାନ୍ତି, ସନ୍ତୋଷ ମହାନ୍ତି, ମାଗୁ ସାହାଣୀ, ସୁର ଦାଶ, ଗୋବିନ୍ଦପୁର ଗ୍ରାମର ରଞ୍ଜନ ବର୍ଦ୍ଧନ, କାଳିଆ ରାଉତ ପ୍ରମୁଖ ପ୍ରକଳ୍ପ ସପକ୍ଷରେ ମତବ୍ୟକ୍ତ କରିଥିଲେ। ସମସ୍ତେ ନିଜ ଇଚ୍ଛାରେ ପାନ ବରଜ ପ୍ରଶାସନକୁ ପ୍ରଦାନ କରିଥିବା ବେଳେ ଏହା ବଦଳରେ ଉଚିତ୍ କ୍ଷତିପୂରଣ ପାଇଥିବା କହିଥିଲେ। ତେବେ ବଦଳରେ ତୁରନ୍ତ ଶିଳ୍ପ ପ୍ରତିଷ୍ଠା କରାଯାଇ ନିଯୁକ୍ତି ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ। ପୁଲିସ କୌଣସି ପ୍ରକାର ଅତ୍ୟାଚାର କରୁ ନାହିଁ ବୋଲି କହିଥିଲେ।

ଅନ୍ୟପଟେ ମାହାଳ ଗ୍ରାମର ସେବତୀ ନାୟକ, ସନ୍ଧ୍ୟା ନାୟକ, ମିନା ନାୟକ, କୁଶା ଦାସ, ପଂଚୁ ନାୟକ, ତ୍ରିଲୋଚନପୁର ଗ୍ରାମର ଧନଞ୍ଜୟ ବେହେରା, ତୋଫାନ ବିଶ୍ବାଳ, ଢିଙ୍କିଆ ଗ୍ରାମର ସାବିତ୍ରୀ ବେ‌ହେରା, ଶାନ୍ତି ଦାସ, ଶାନ୍ତି ସେଠୀ, ବିଦ୍ୟୁଲତା ସ୍ବାଇଁ, ଅଭୟ ମଲ୍ଲିକ, ପ୍ରଦୀପ ଶତପଥୀ, ଗୋବିନ୍ଦପୁର ଗ୍ରାମର ନବନିର୍ବାଚିତ ସମିତିସଭ୍ୟା ମିତାଞ୍ଜଳି ଭୋଇ, ଟୁନା ବରାଳ, ଭ୍ରମର ଦାସ ପ୍ରମୁଖ ପ୍ରକଳ୍ପକୁ ବିରୋଧ କରି ମତ ରଖିଥିଲେ। ଶେଷରେ ସ୍ଥାନୀୟ ସରପଂଚ କିଶୋର କୁମାର ପରିଡା ପ୍ରକଳ୍ପ ସପକ୍ଷରେ ନିଜର ମତ ରଖିବା ସହ ଏଠାରେ ପ୍ରକଳ୍ପର ଆବଶ୍ୟକତା ରହିଥିବା କହିଥିଲେ।

ଏସପି ଅଖିଳେଶ୍ବର ସିଂହ କହିଛନ୍ତି ଯେ ଗଣମାଧ୍ୟମକୁ କେବଳ ବୈଠକ ଆରମ୍ଭରୁ ଭିତରକୁ ଆସି ଫଟୋ ଓ ଭିଡିଓ ନେବା ପାଇଁ ଅନୁମତି ରହିଥିଲା। ବୈଠକ ଶେଷ ହେବା ପରେ ମତାମତ ସଂଗ୍ରହ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ବୈଠକରେ ଏକ ହଜାରୁ ଅଧିକ ଲୋକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଶହେରୁ ଅଧିକ ଲୋକ ପ୍ରକଳ୍ପକୁ ନେଇ ନିଜ ମତ ରଖିଥିଲେ। କିଛି ଲୋକଙ୍କୁ ବୈଠକ ସ୍ଥଳକୁ ଛଡ଼ା ନଯିବା ଘଟଣାକୁ ସେ ସମ୍ପୂର୍ଣ୍ଣ ଅସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର