ଏଣିକି ଡାଏଲିସିସ୍‌ ମାଗଣା

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ୪ଟି ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ମାଗଣା ଡାଏଲିସିସ୍‌ଠାରୁ ଆରମ୍ଭ କରି ମାଗଣାରେ ରୋଗ ନିରୂପଣ ଓ ଏଏନ୍‌ଏମ୍‌ମାନଙ୍କୁ ଟାବଲେଟ୍‌ କମ୍ପ୍ୟୁଟର ପ୍ରଦାନ କରାଯିବ।
ଆସନ୍ତା ଜାନୁଆରି ପହିଲାରୁ ‘ନିଦାନ’ ଯୋଜନାରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମାଗଣାରେ ରୋଗୀଙ୍କୁ ରୋଗ ନିରୂପଣ କରିବାର ସୁଯୋଗ ମିଳିବ। ଏହାସହ ଅତ୍ୟାଧୁନିକ ପାଥୋଲୋଜି ପରୀକ୍ଷା, ଡିଜଟାଲ ଏକ୍ସ-ରେ, ସିଟି ସ୍କାନ୍‌ ଓ ଏମ୍‌ଆରଆଇ ଭଳି ପରୀକ୍ଷା ମାଗଣାରେ ମିଳିପାରିବ। ଆସନ୍ତା ମାର୍ଚ ସୁଦ୍ଧା ପିପିପି ମୋଡ୍‌ରେ ଏହି ସୁବିଧା ଉପଲବ୍ଧ ହେବ। ସେହିପରି ‘ସହାୟ’ ଯୋଜନାରେ ରୋଗୀମାନଙ୍କୁ ମାଗଣାରେ ଡାଏଲିସିସ୍‌ର ସୁବିଧା ମିଳିବ। ରାଜ୍ୟର ୨୫ଟି ଜିଲ୍ଲାରେ ପିପିପି ମୋଡ୍‌ରେ ୧୨୭ଟି ଡାଏଲିସିସ୍‌ ମେସିନ୍‌ ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କଟକ ଜିଲ୍ଲାର ନରସିଂହପୁର ସିଏଚ୍‌ସିରେ ଏହି ସୁବିଧା ମାର୍ଚ ମାସ ସୁଦ୍ଧା ଉପଲବ୍ଧ ହେବ। ଏଥିପାଇଁ ଆସନ୍ତା ୫ବର୍ଷ ପାଇଁ ୬ଶହ କୋଟି ଟଙ୍କାର ଅର୍ଥ ବ୍ୟୟ ବରାଦ କରାଯାଇଛି।

ସେହିପରି ସହରାଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ‘ଆମ କ୍ଲିନିକ୍‌’ ଯୋଜନାର ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ସପ୍ତାହର ଗୋଟିଏ ଦିନ ମେଦ ବହୁଳତା ଓ ସ୍ତ୍ରୀ ଓ ପ୍ରସୂତୀ ରୋଗ, ଶିଶୁ ରୋଗ, ଭେଷଜ, ବୟସାଧିକ୍ୟ ରୋଗ, ଚକ୍ଷୁ, ଫିଜିଓଥେରାପି ଓ ମାନସିକ ରୋଗର ଚିକିତ୍ସା ସୁବିଧା ମିଳିବ। ଏହି ଯୋଜନାରେ ସହରାଞ୍ଚଳର ୨୭ଟି ସହରର ୪୫ଲକ୍ଷ ଲୋକ ଉପକୃତ ହେବେ। ଏହାସହ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଏଏନ୍‌ଏମ୍‌ମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ବଢ଼ାଇବା ପାଇଁ ‘ଅନମୋଲ’ ଟାବଲେଟ୍‌ ପ୍ରଦାନ କରାଯିବ। ଯାହାଫଳରେ ଗର୍ଭବତୀ ମହିଳା, ମା’ ଓ ନବଜାତକମାନଙ୍କ ଅନଲାଇନ୍‌ ରିପୋର୍ଟିଂ ହୋଇପାରିବ। ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ବ୍ୟବସ୍ଥା ଉପଲବ୍ଧ ହେବ। ଏଥିପାଇଁ ୩୦ଟି ଜିଲ୍ଲାର ଏଏନ୍‌ଏମ୍‌ମାନଙ୍କୁ ପର୍ଯ୍ୟାୟକ୍ରମେ ଟାବଲେଟ୍‌ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୧୭ଟି ଜିଲ୍ଲାର ୩ହାଜର ୮୬୯ ଏଏନ୍‌ଏମ୍‌ ଅନମୋଲ ଟାବଲେଟ୍‌ ପାଇବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟର ଗରିବ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହିସବୁ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀମାନେ ସେବା ମନୋଭାବ ନେଇ କାମ କରିବା ଉଚିତ୍‌। ଏହା ହେଲେ ଲୋକଙ୍କୁ ଉଚିତ ସେବା ମିଳିପାରିବ। ଗତବର୍ଷ ଜିଲ୍ଲାପାଳ ସମ୍ମିଳନୀରେ ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯିବା ପାଇଁ ଘୋଷଣା କରାଯାଇଥିଲା। ରାଜ୍ୟର ୧୫ଟି ଜିଲ୍ଲାରେ ‘ସଂପୂର୍ଣ୍ଣା’ ଯୋଜନାରେ ମୂଲ୍ୟାଙ୍କନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ, ନବରଙ୍ଗପୁରର ରଶ୍ମିତା ପଣ୍ଡା, କେନ୍ଦୁଝରର ଜିଲ୍ଲାପାଳ ଏନ୍‌.ତିରୁମାଲା ନାୟକ ଓ ବାଲାଙ୍ଗୀରର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ପୁରସ୍କୃତ କରିଥିଲେ। ଗତବର୍ଷ ଜିଲ୍ଲାପାଳ ସମ୍ମିଳନୀରେ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର.ବାଲକ୍ରୀଷ୍ଣନ୍‌, ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ଓ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର