ଭଲ ଖବର: ପଦଯାତ୍ରୀଙ୍କ ବିଶ୍ରାମ ପାଇଁ ଗାଁମୁଣ୍ଡରେ ମଣ୍ଡପ ନିର୍ମାଣ କଲେ ଭିନ୍ନକ୍ଷମ ଯୁବକ

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ମୁଣ୍ଡାପଡ଼ା ପଞ୍ଚାୟତ କମିରା ଗ୍ରାମରେ ରହନ୍ତି ହୃଷୀକେଶ ସାହୁଙ୍କ ପୁତ୍ର ଶରତ ସାହୁ ଓ ବୋହୂ ସାବିତ୍ରୀ ସାହୁ। ଶରତ ହେଉଛନ୍ତି ୬୫ ପ୍ରତିଶତ ଦିବ୍ୟାଙ୍ଗ। ଭଲ ଭାବରେ କଥା କହି ପାରନ୍ତି ନାହିଁ। ବିବାହର ବହୁ ଦିନ ପର୍ଯ୍ୟନ୍ତ ବାପା ହୋଇପାରିଲେ ନାହିଁ। ସେଥିପାଇଁ ଶରତ ଓ ସାବିତ୍ରୀ ଗାଁ ଛକରେ ଏକ ପିପ୍ପଳ ବୃକ୍ଷ ରୋପଣ କରି ପୂଜା ପାଠ କରୁଥିଲେ। ପରେ ପରେ ତାଙ୍କର ତିନି ଝିଅ ଓ ଗୋଟିଏ ପୁତ୍ର ସନ୍ତାନ ପାଇଲେ। ଏହା ପରେ ସ୍ବାମୀ-ସ୍ତ୍ରୀ ସଂକଳ୍ପ କଲେ ଏହି ବୃକ୍ଷକୁ ପ୍ରତିଷ୍ଠା କରିବେ। ସେଥିପାଇଁ ସେଇ ବୃକ୍ଷ ଚାରିପଟେ ମଣ୍ଡପ ତିଆରି କଲେ। ଦୀର୍ଘ ଦେଢ଼ ମାସ ପରେ ନିଜ ହାତରୁ ଖର୍ଚ୍ଚ କରି ଏକ ମଣ୍ଡପ ନିର୍ମାଣ କଲେ। ସେଇ ମଣ୍ଡପ ନିର୍ମାଣ ପାଇଁ ଖର୍ଚ୍ଚ କଲେ ୧,୫୦,୦୦୦ ଟଙ୍କା। ସେଇ ମଣ୍ଡପ ଉପରେ ମାର୍ବଲ ଲଗାଇ ଦେଲେ। ମଣ୍ଡପରେ ଯେଉଁ ବ୍ୟକ୍ତି ଆସି ଆରାମରେ ବିଶ୍ରାମ ନେଇ ପାରିବ। ଏହା ହିଁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଇଚ୍ଛା ଥିଲା।

ବିଦ୍ୟାଳୟ ଗାଁରେ ଥିଲେ ମଧ୍ୟ ଶରତ ଆଦୌ ପାଠ ପଢ଼ି ନାହାନ୍ତି। ସ୍ତ୍ରୀ କେବଳ ସପ୍ତମ ଯାଏ ପାଠ ପଢ଼ିଛନ୍ତି। ଶରତ ଜଣେ ଅପାଠୁଆ। ପାଖରେ ରଖିଛନ୍ତି ୨୦ଟି ମେଣ୍ଢା।ସକାଳୁ ଚରାଇବାକୁ ନେଲେ ସନ୍ଧ୍ୟାରେ ଘରକୁ ଫିରନ୍ତି। ମେଣ୍ଢା ବିକିଲେ ସେଥିରୁ ଯାହା ଦୁଇ ପଇସା ମିଳେ ପରିବାରର ସମସ୍ତ ଖର୍ଚ୍ଚ ଚଳେ। ଏହି ମଣ୍ଡପ ପ୍ରତିଷ୍ଠା ପାଇଁ ରବିବାର ସକାଳୁ ସଲୁଙ୍କି ନଦୀରୁ ପୂର୍ଣ୍ଣ କଳସୀ ଜଳ ଆଣି ନାମ ମଣ୍ଡପରେ ସ୍ଥାପନ କରାଗଲା। ଏଥିରେ ପୂଜକ ଶାନ୍ତନୁ ହୋତା ପୂଜା କାର୍ଯ କରିଥିବା କର୍ତ୍ତା ଭାବେ ଉଭୟ ସ୍ବାମୀ ଶରତ ସାହୁ ଓ ସ୍ତ୍ରୀ ସାବିତ୍ରୀ ସାହୁ ଦାୟିତ୍ଵ ତୁଲାଇଥିଲେ। ଗ୍ରାମବାସୀ ଏଥିରେ ସହଯୋଗ କରିଥିବା ବେଳେ ନାମଯଜ୍ଞରେ ୧୫ ଗୋଟି ସଂକୀର୍ତ୍ତନ୍ୟ ମଣ୍ଡଳୀ ଯୋଗ ଦେଇଥିଲେ। ଏହାସହ ସଭିଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରିଥିଲେ।

ସରକାରଙ୍କ ତରଫରୁ ଚଳିତ ବର୍ଷ ଶରତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଛି। ସେ ଭିନ୍ନକ୍ଷମ ଭତ୍ତା ୧୨୦୦ଟଙ୍କା ପାଉଛନ୍ତି। ୨୦୧୫ ମସିହା ଅକ୍ଟୋବର ମାସରୁ ଶରତଙ୍କୁ ରାସନ୍ କାର୍ଡ ଖଣ୍ଡିଏ ମିଳିଛି। ଏହି କାର୍ଡରେ ତାଙ୍କ ସ୍ତ୍ରୀ ପିଲା ଛୁଆଙ୍କ ନାମ ସଂଯୋଗ ହୋଇ ପାରୁନଥିବାରୁ ୩୦ କେଜି ଚାଉଳ ପାଇବା ପରିବର୍ତ୍ତେ ମିଲୁଛି କେବଳ ପାଞ୍ଚ କିଲୋ। ସରକାର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ୩୫ କିଲୋ ଚାଉଳ ଦେବାକୁ ନିୟମ କରିଥିଲେ ମଧ୍ୟ ଏହି ପରିବାର ସେଥିରୁ ବଞ୍ଚିତ ହେବା ଦୁଃଖର ବିଷୟ। ଜଣେ ଭିନ୍ନକ୍ଷମ ହୋଇ ଲୋକଙ୍କ ପାଇଁ ସେବା ମନ ବୃତ୍ତି ନେଇ ଏକ ମଣ୍ଡପ ନିର୍ମାଣ କରି ଥିବାରୁ ସାଧାରଣରେ ଶରତ ଓ ତାଙ୍କ ସ୍ତ୍ରୀ ସାବିତ୍ରୀ ପ୍ରଶଂସାର ପତ୍ର ସାଜିଛନ୍ତି।

ସମ୍ବନ୍ଧିତ ଖବର