ଡାବୁଗାଁ : ଡିଜିଟାଲ ବ୍ୟାଙ୍କିଙ୍ଗରେ ଠକେଇ, ଏସବିଆଇ ୟୋନୋରୁ କାଡି ନେଲେ କୋଡ଼ିଏ ହଜାର ଟଙ୍କା

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଷ୍ଟେଟ୍ ବ୍ୟାଙ୍କର ଜଣେ ଗ୍ରାହକଙ୍କ ବ୍ୟାଙ୍କ୍ ଖାତାରୁ ଡିଜିଟାଲ ବ୍ୟାଙ୍କିଙ୍ଗ (ୟୋନୋ) ଦ୍ଵାରା ୨୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି। ଅଳ୍ପ ଅସାବଧାନତା ଯୋଗୁ ଏସବିଆଇର ଜଣେ ଗ୍ରାହକକୁ ୨୦ ହଜାର ଟଙ୍କା ହରାଇବାକୁ ପଡ଼ିଛି। ଆଧୁନିକ ଜ୍ଞାନ କୌଶଳକୁ ପଛରେ ପକାଇ ଗ୍ରାହକ ନିକଟରୁ ଏପରି ଚୋରି ହେବା ଡାବୁଗାଁ ରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ ଗତକାଲି ଦିନ ପ୍ରାୟ ଘ ୧୦. ୦୫ ମିନିଟ୍ ସମୟର ଡାବୁଗାଁର କ୍ଷୀରୋଦ ନାୟକ ଡିଜିଟାଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ନିଜର ଏସବିଆଇ ବ୍ୟାଙ୍କର ୟୋନୋ ଆପ୍ ଦ୍ଵାରା ୨୦ ହଜାର ଟଙ୍କା ଉଠାଇବାକୁ ନିଜ ପରିଚିତ ବ୍ୟକ୍ତି ବିଶ୍ଵନାଥ ମାଝୀଙ୍କୁ ଡାବୁଗାଁ ଏସବିଆଇ ଏଟିଏମକୁ ପଠାଇ ଥିଲେ। କ୍ଷୀରୋଦଙ୍କ ନିର୍ଦ୍ଦେଶ ପ୍ରକାରେ ବିଶ୍ଵନାଥ ଏଟିଏମ୍‌ରୁ ଓଟିପି ନମ୍ୱର୍ ଓ ସିକ୍ରେଟ୍ କୋଡ଼ ବ୍ୟବହାର କରି ୨୦ ହଜାର ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଏଟିଏମରେ ଟଙ୍କା ନ ଥିବାରୁ ବିଶ୍ଵନାଥ ଟଙ୍କା ଉଠାଇ ପାରି ନ ଥିଲେ। ବିଶ୍ଵନାଥ ଟଙ୍କା ଉଠାଇବା ସମୟରେ ତା ପଛରେ ୪ ରୁ ୫ ଜଣ ବ୍ୟକ୍ତି ଠିଆ ହୋଇଥିଲେ। ବିଶ୍ଵନାଥ କ୍ଷୀରୋଦଙ୍କୁ ଏଟିଏମରେ ଟଙ୍କା ନ ଥିବା କହିଥିଲେ। କିନ୍ତୁ ଅଳ୍ପ ସମୟ ମଧ୍ୟରେ ନବରଙ୍ଗପୁର ଟାଉନ୍ ହଲ୍ ଏଟିଏମ୍ ରୁ ଦିନ ଘ ୧୦. ୧୪ ମିନିଟ୍ ସମୟରେ କ୍ଷୀରୋଦ ନାୟକଙ୍କ ଏସବିଆଇ ବ୍ୟାଙ୍କ୍ ଆକାଉଣ୍ଟ୍ ରୁ ୨୦ ହଜାର ଟଙ୍କା ଉଠାଣ ହୋଇଥିବା ନେଇ ଫୋନରେ ମେସେଜ ଆସିଥିଲା। ଏଥିରେ କ୍ଷୀରୋଦ ନାୟକ ଆଚମ୍ବିତ ହୋଇଥିଲେ।

ଡାବୁଗାଁ ଏଟିଏମ୍ ରେ ଟଙ୍କା ଉଠାଇବାକୁ ଆସିଥିବା ବିଶ୍ଵନାଥ ପଛରେ ଠିଆ ହୋଇଥିବା ୫ ଜଣ ମଧ୍ୟରୁ କେହି ଜଣେ ଓଟିପି ନମ୍ୱର୍ ଓ ସିକ୍ରେଟ୍ କୋଡ଼କୁ ଅନ୍ୟ ଜଣଙ୍କୁ କହିବା ପରେ ନବରଙ୍ଗପୁର ଟାଉନ୍ ହଲ୍ ଏଟିଏମ୍ କାଉଣ୍ଟରରୁ ଦୁର୍ବୃତ୍ତମାନେ ଟଙ୍କା ସୁବିଧାରେ ଉଠାଣ କରି ନେଇ ଯାଇଥିବା ଅନୁମାନ କରା ଯାଉଥିବା ବେଳେ ଏଟିଏମ୍ କାଉଣ୍ଟର ମଧ୍ୟରେ ସିସି ଟିଭି କ୍ୟାମେରା ଲାଗିଥିବାରୁ ଚୋର ଧରା ପଡ଼ିବା ନେଇ ଆଶା ବାନ୍ଧିଛନ୍ତି ଟଙ୍କା ହରାଇଥିବା କ୍ଷୀରୋଦ ନାୟକ। ଏ ନେଇ ଡାବୁଗାଁ କ୍ଷୀରୋଦ ଡାବୁଗାଁ ପୁଲିସ ନିକଟରେ ଅଭିଯୋଗ କରିଥିବା ବେଳେ ପୁଲିସ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର