ଓଡ଼ିଶା ଆସୁଛନ୍ତି ଦିଗ୍‌ବିଜୟ ସିଂ ଓ ଜୟରାମ ରମେଶ, ୧୮ରେ କଂଗ୍ରେସ ଭବନରେ ବୈଠକ

ଭୁବନେଶ୍ବର : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଦେଶବ୍ୟାପୀ ‘ଭାରତ ଯୋଡ଼’ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେଣୁ ଓଡ଼ିଶାରେ ଏହି କାର୍ଯ୍ୟକ୍ରମକୁ ସଫଳ ରୂପ ଦେବା ଲାଗି ଆସନ୍ତା ୧୭ତାରିଖରେ ଓଡ଼ିଶାରେ ପହଞ୍ଚିବେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ। ୧୮ତାରିଖରେ କଂଗ୍ରେସ ଭବନରେ ଏ ସଂପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ ଦେଶବ୍ୟାପୀ ‘ଭାରତ ଯୋଡ଼’ କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ ମିଳୁଛି। ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ପିସିସି ସଭାପତିମାନଙ୍କୁ ଡାକରା ଆସିଥିଲା। ଦିଲ୍ଲୀରେ ଏଥିପାଇଁ ଆଲୋଚନା ହୋଇଥିଲା। ଏବେ ବୁଥ, ପଞ୍ଚାୟତ, ଜିଲ୍ଲା ପରିଷଦ ଜୋନ୍ ଓ ‌ଜିଲ୍ଲା ପର୍ଯ୍ୟନ୍ତ ‘ଭାରତ ଯୋଡ଼’ ସଂଯୋଜକମାନଙ୍କୁ ନିଯୁକ୍ତି ଦିଆଯାଉଛି। ୧୮ତାରିଖରେ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ବୈଠକ ବସିବ। ‌‌କେବେଠାରୁ ପଦଯାତ୍ରା ଆରମ୍ଭ ହେବ ତାହା ସଂପର୍କରେ ବୈଠକରେ ନିଷ୍ପତ୍ତି ନିଆଯିବ। ପ୍ରତ୍ୟେକ ଦିନ ୧୫/୨୦ କି.ମି ପଦଯାତ୍ରା ହେବକୁ ନିଷ୍ପତ୍ତି ହୋଇପାରେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୨ବର୍ଷର ଶାସନରେ ରାଜ୍ୟ ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପାଳନ କରିବାରେ ବିଫଳ ହୋଇଛନ୍ତି। ଯୁବକମାନଙ୍କୁ ପ୍ରତିବର୍ଷ ୨ଲକ୍ଷ ହିସାବରେ ୨୨ବର୍ଷରେ ୪୪ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦିଆଗଲା ନାହିଁ। କେନ୍ଦ୍ର ସରକାର ପ୍ରତି ସାମଗ୍ରୀରେ ଜିଏସ୍‌ଟି ଲଗାଉଥିବା ବେଳେ ରାଜ୍ୟ ସରକାର ଏଥିରେ ମୌନ ରହୁଛନ୍ତି। ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ବହୁ ସମସ୍ୟା ରହିଛି। ଲକ୍ଷ ଲକ୍ଷ ଲୋକ ଖାଦ୍ୟ ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଉଛନ୍ତି। ରାଜ୍ୟରେ କଂଗ୍ରେସ ଶାସନରେ ଯେଉଁସବୁ କାର୍ଯ୍ୟ ହୋଇଥିଲା ତାହାକୁ ନେଇ ଲୋକଙ୍କ ପାଖକୁ ଯିବୁ। ବିଜେପି ସରକାର ଯେଉଁସବୁ ସ୍ବପ୍ନ ଦେଖାଇଥିଲେ ଓ କ’ଣ କରିଛନ୍ତି ତାହା ଲୋକଙ୍କୁ ଜଣାଇବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର