ନୂତନ କୃଷି ଆଇନର ମୃତ୍ୟୁ ହୋଇ ସାରିଛି, ପ୍ରମାଣପତ୍ରକୁ ଅପେକ୍ଷା: ଯୋଗେନ୍ଦ୍ର ଯାଦବ

କୃଷକ ଆନ୍ଦୋଳନର ଦିଶା ଏବଂ ଗଣତନ୍ତ୍ରର ଭବିଷ୍ୟତ ନେଇ ଆଲୋଚନା

ଭୁବନେଶ୍ୱର : ନୂତନ କୃଷି ଆଇନର ମୃତ୍ୟୁ ହୋଇ ସାରିଛି, ପ୍ରମାଣପତ୍ର ପାଇଁ ଅପେକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ କେବଳ ନିଜ ଅହଂ ପାଇଁ ଏହା ଦେଉନାହାନ୍ତି। ସାମ୍ପ୍ରତିକ ଐତିହାସିକ କୃଷକ ଆନ୍ଦୋଳନର ଦିଶା ଏବଂ ଆମ ସମ୍ବିଧାନ ଓ ଗଣତନ୍ତ୍ରର ଭବିଷ୍ୟତକୁ ନେଇ ଲୋହିଆ ଏକାଡେମି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପ୍ରଖ୍ୟାତ ସାମାଜିକ କର୍ମୀ, ରାଜନୈତିକ ଚିନ୍ତକ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରମୁଖ ନେତା ଯୋଗେନ୍ଦ୍ର ଯାଦବ।

ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଆବାହକ ଲିଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଯାଦବ ଆହୁରି କହିଲେ ଯେ ଦେଶର କୃଷି ଏବଂ କୃଷକଙ୍କ ସ୍ଥିତି ଏଭଳି ଯେ ସମସ୍ତଙ୍କ ସମସ୍ୟାର କେନ୍ଦ୍ର ଗୋଟିଏ ହୋଇପାରେ ନାହିଁ। ଏଥିଯୋଗୁଁ କୃଷି ଆଇନ ବିରୋଧରେ ଯେତେବେଳେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା, ଏହା ରାଷ୍ଟ୍ରବ୍ୟାପୀ ହୋଇପାରିବ ବୋଲି ଆଶା କରାଯାଉ ନ ଥିଲା। ଏଯାଏ ଆନ୍ଦୋଳନ ସମାପ୍ତ ହୋଇନାହିଁ ସତ; କିନ୍ତୁ ଏହାକୁ ସଫଳତା ମିଳି ସାରିଛି। ପ୍ରଥମତଃ ଏହି ଆନ୍ଦୋଳନ ଚାଷୀର ଆତ୍ମସ୍ବାଭିମାନକୁ ଜାଗ୍ରତ କରିଛି। ଆଜି ପ୍ରତ୍ୟେକ ଚାଷୀ ନିଜକୁ ଅନ୍ନଦାତାର ପରିଚୟ ଦେବାକୁ ପଛଘୁଞ୍ଚା ଦେଉନାହିଁ। ଦ୍ବିତୀୟତଃ ଚାଷୀ ନିଜ ରାଜନୈତିକ ଶକ୍ତିକୁ ଉପଲବ୍ଧି କରିସାରିଛି। ଯେଉଁ ମୋଦୀ ସରକାର ଚାଷୀଙ୍କୁ ନିଜ ପାଦର ଧୂଳି ବୋଲି ମଧ୍ୟ ଭାବୁନଥିଲେ, ସେହି ସରକାରଙ୍କୁ ଆଜିର ଚାଷୀ ଧୂଳି ଚଟାଇ ସାରିଛନ୍ତି। ତୃତୀୟତଃ ସମଗ୍ର ଦେଶରେ ଚାଷୀ ଏକତାର ଅଭୂତପୂର୍ବ ପ୍ରଦର୍ଶନ; ଯାହା କିଶନ ପଟ୍ଟନାୟକ କିମ୍ବା ମହେନ୍ଦ୍ର ସିଂହ ଟିକାୟତଙ୍କ ସମୟରେ ବି ଯାହା ଦେଖାଯାଇ ନଥିଲା, ତାହା ବର୍ତ୍ତମାନ ଦେଖିବାକୁ ମିଳୁଛି। ୨୫ ବର୍ଷ ହେଲା ପଞ୍ଜାବ, ହରିୟାଣା ଚାଷୀ ପରସ୍ପର ବିରୋଧରେ ଲଢ଼େଇ କରୁଥିଲେ। ରାଜସ୍ଥାନରେ ବୀଣା-ଗୁଜ୍ଜର ବିଭାଜିତ ହୋଇ ରହିଥିଲେ। କିନ୍ତୁ ଏହି ଆନ୍ଦୋଳନ ସମସ୍ତକୁ ଗୋଟିଏ ମଞ୍ଚକୁ ଆଣିଛି। ଯେଉଁ ଉତ୍ତର ଭାରତରେ ମହିଳାଙ୍କ କୌଣସି ସ୍ଥିତି ନାହିଁ, ସେଠାରେ ମହିଳାମାନେ ସମାବେଶରେ ସାମିଲ ହୋଇଛନ୍ତି। ଏହା ଏକ ବିରାଟ ଉପଲବ୍ଧି ନହେଲେ ମଧ୍ୟ ଛୋଟ ପଦକ୍ଷେପ ବୋଲି କୁହାଯାଇପାରିବ। ସ୍ଥିତି ଏଭଳି ହୋଇଛି ଯେ କେବଳ ଏହି ସରକାର ନୁହେଁ, ଆଗାମୀ ଦିନରେ କୌଣସି ସରକାର ଏହି କୃଷି ଆଇନକୁ କାର୍ଯ୍ୟକାରୀ କରିପାରିବେ ନାହିଁ। ଶ୍ରୀ ଯାଦବ କହିଲେ ଯେ ଏହି ଚାଷୀ ଆନ୍ଦୋଳନ କେବଳ ୩ଟି କୃଷି ଆଇନ ବିରୋଧରେ ନୁହେଁ, ବରଂ ଭାରତୀୟ କୃଷି ବ୍ୟବସ୍ଥାର ନୂତନ ନକ୍ସା ବିରୋଧରେ। ଆଜି ସମାଜବାଦୀ ରାଷ୍ଟ୍ର ପ୍ରତିଷ୍ଠା ଗୌଣ ହୋଇଯାଇଛି, ତେଣୁ ବିଜେପି କବଳରୁ ଦେଶକୁ ବଞ୍ଚାଇବାକୁ ପଡ଼ିବ। କାର୍ଯ୍ୟକ୍ରମରେ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରାୟ, ଲୋହିଆ ଏକାଡେମିର ସମ୍ପାଦକ ଦେବ ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର