ସବୁ ବ୍ଲକ୍‌ରେ ୩୫% ଜଳସେଚନ କେବେ: ବିରୋଧୀ

ଜଳସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ ରାଜ୍ୟର ୩୧୪ଟି ଯାକ ବ୍ଲକରେ ଚାଷ ଜମିକୁ ୩୫% ଜଳସେଚନ କରାଯିବ। ୨୦୧୧ରୁ ଏହି ଟା‌ର୍ଗେଟ୍ ପୂରିଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ଏହା ହାସଲ ହୋଇପାରିଲାନି। ଏବେବି ୪୬ଟି ବ୍ଲକ୍‌ରେ ୩୫% ଜଳସେଚନ ଲକ୍ଷ୍ୟ ହାସଲ ହୋଇନି। ୨୩ବର୍ଷରେ କ୍ଷମତାରେ ଥିବା ସରକାର ଆଉ କେତେ ବର୍ଷ ଲାଗିବ? ମହାନଦୀ ପାଣି ଛତିଶଗଡ଼ ରୋକି ଦେଉଛି, ମହାନଦୀ ବଡ଼ ବ୍ୟାରେଜ୍ କେବେ ହେବ? ଯେଉଁ ଜଳସେଚନ ପ୍ରକଳ୍ପ ହେଉଛି ତାହା ଧାର୍ଯ୍ୟ ସମୟରେ ସରୁନି। ୨୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପ୍ରକଳ୍ପ କାମ ଚାଲୁଛି? ଏହା କ’ଣ ଜଳସମ୍ପଦ ବିଭାଗର ସଫଳତା। ରାଜ୍ୟରେ ଜଳନୀତି ନାହିଁ, ଜଳ ପରିଚାଳନା ହେଉନି, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଗନ୍ତାଘର ପାଲଟିଛି ଏହି ବିଭାଗ। ଯାହା ବଜେଟ୍ ଆସୁଛି ତାହା ତ ଫେରିଯାଉଛି ତେଣୁ ଆମେ ଏହି ଖର୍ଚ୍ଚ ଦାବିକୁ ସମର୍ଥନ କରିବୁନି। ଆଜି ଏହିଭଳି ଢଙ୍ଗରେ ବିରୋଧୀ ଜଳସମ୍ପଦ ବିଭାଗର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଲୋଚନାରେ ବିଭାଗର ୧୦୭୨୩କୋଟି ୯୯ଲକ୍ଷ ୯୯ହଜାର ଟଙ୍କା ବଜେଟ୍‌କୁ ବିରୋଧ କରିଛନ୍ତି।

ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ପ୍ରତିବର୍ଷ ଚିରାଚରିତ ବଜେଟ୍ ଆସୁଛି। ହେଲେ କିଛି ପ୍ରକଳ୍ପ ସରୁନି। ଡ୍ୟାମ୍‌ରେ ପାଣି ନାହିଁ, ୩୫% ଜଳସେଚନ ଲକ୍ଷ୍ୟ ହାସଲ ହେଉନି, କେନାଲ ଭାଙ୍ଗିଗଲାଣି, ଚାଷକୁ ପାଣି ନାହିଁ। ବିଭାଗର ବିଡ଼ମ୍ବନା ହେଉଛି ଗୋଟିଏ ଗୋଟିଏ ପ୍ରକଳ୍ପ ଆରମ୍ଭ ବେଳେ ଯେତିକି ଟଙ୍କାର ଟେଣ୍ଡର ହେଉଛି ବା ପ୍ରାରମ୍ଭିକ ଆକଳନ ହେଉଛି ତାହା ପ୍ରକଳ୍ପ ସରିଲା ବେଳକୁ ବହୁ ଗୁଣା ହୋଇଯାଉଛି। ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପ ଉଦାହରଣ ଦେଇ ଶ୍ରୀ ମାଝୀ କହିଥିଲେ, ୨୦୦୧ରେ ଏହି ପ୍ରକଳ୍ପ ଆରମ୍ଭ ହେବାବେଳେ ଏହାର ବଜେଟ୍ ଥିଲା ୨୧୭କୋଟି। କିନ୍ତୁ ଏବେ ଏହା ୨୫୦୦କୋଟିରେ ପହଞ୍ଚିଲାଣି। ସେହିପରି ଆନନ୍ଦପୁର ପ୍ରକଳ୍ପର ୨୦୦୬ରେ ବଜେଟ୍ ଥିଲା ୫୨୯କୋଟି। ଏହା ଏବେ ୨୯୯୦କୋଟିରେ ପହଞ୍ଚିଲାଣି। ଏଥିପାଇଁ ଦାୟୀ କିଏ? ସେହିପରି ମହାନଦୀ ଆମର ଜୀବନରେଖା। କିନ୍ତୁ ଏହାର ଜଳବିବାଦ ସମାଧାନ ପାଇଁ ସରକାରଙ୍କର କିଛି ଆଗ୍ରହ ଥିବା ଭଳି ଲାଗୁନି। ଟ୍ରିବ୍ୟୁନାଲରେ ଶୁଣାଣି ପାଇଁ ଯଦି ୩୦ବର୍ଷ ଲାଗିବ କ’ଣ ଆମେ ସେତିକି ବର୍ଷ ଅପେକ୍ଷା କରିବା? ଛତିଶଗଡ଼ ସରକାରଙ୍କ ଇଚ୍ଛାଶକ୍ତି ଆଗରେ ନବୀନ ବାବୁଙ୍କ ଇଚ୍ଛା ଶକ୍ତି କ’ଣ ଏତେ ଦୁର୍ବଳ ଯେ ସେମାନେ ମହାନଦୀରେ ବ୍ୟାରେଜ୍ ପରେ ବ୍ୟାରେଜ୍ କରିଗଲେ, ଆମେ କରିପାରିଲୁନି? ପୋଲାଭରମ୍ ପ୍ରକଳ୍ପର ବି ସମାନ ଅସୁବିଧା ବୋଲି ସେ ଦର୍ଶାଇଥିଲେ।

ସୁବାସ ଚନ୍ଦ୍ର ପାଣିଗ୍ରାହୀ ରେଙ୍ଗାଲି ବିସ୍ଥାପିତଙ୍କ ସମସ୍ୟା କଥା ଉଠାଇବା ସହ ରାଜ୍ୟର ସମସ୍ତ ଅଚଳ ଏଲ୍‌ଆଇ ପଏଣ୍ଟକୁ ସଚଳ କରିବାକୁ ଦାବି କରିଥିଲେ। ମୁକେଶ ମହାଲିଙ୍ଗ କହିଥିଲେ, ଡିଏମ୍‌ଏଫ୍ ପାଣ୍ଠି ଦୁରୁପଯୋଗ ହେଉଛି। ଏହାକୁ ରାଜ୍ୟ ସରକାର ଜଳସେଚନ କ୍ଷେତ୍ରରେ ଅଧିକ ବିନିଯୋଗ କରନ୍ତୁ। ସୁରଜ ସୂର୍ଯ୍ୟବଂଶୀ କହିଥିଲେ, ବୈତରଣୀକୁ ପୁଣ୍ୟ ଓ ମୁକ୍ତିର ନଦୀ କୁହାଯାଏ। କିନ୍ତୁ ଏହା ଏବେ ଭଦ୍ରକବାସୀଙ୍କ କାଳ ହୋଇଛି। ସବୁ ନଦୀର ଲକ୍ଷ ଲକ୍ଷ କ୍ୟୁବିକ ପାଣି ସମୁଦ୍ରକୁ ବହି ଯାଉଛି। ହେଲେ ଚାଷକୁ ପାଣି ମିଳୁନି। ନବ ଚରଣ ମାଝୀ କହିଥିଲେ, ବହୁ ଡ୍ୟାମ୍ ହେଉଛି, କିନ୍ତୁ ତଳ ମୁଣ୍ଡରେ ପାଣି ପହଞ୍ଚୁନି। ରାଜ୍ୟ ସରକାର କେନାଲ ସିଷ୍ଟମକୁ ଉନ୍ନତ କରନ୍ତୁ।

କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଥିଲେ, ଯେଉଁ ପ୍ରକଳ୍ପ ୧୭ଟି ଜିଲ୍ଲାକୁ ପାଣି ଯୋଗାଉଛି ତାହା ବିଷୟରେ ଚିନ୍ତା କରିବାର ସମୟ ଆସିଛି। ହୀରାକୁଦ ପଙ୍କ, ବାଲିରେ ପୋତି ହୋଇଗଲାଣି ତାକୁ କଢ଼ାଯାଉ। ମହାନଦୀ ତଳ ମୁଣ୍ଡରେ କେବେ ବ୍ୟାରେଜ୍ ହେବ। ମହାନଦୀ ପାଣି ସମୁଦ୍ରକୁ ବହିଯାଉଥିବାରୁ ସବୁ ଶାଖା ନଦୀ ଶୁଖିଗଲାଣି। ଯେଉଁ ପ୍ରକଳ୍ପ ଅଗ୍ରାଧିକାର ଭିତ୍ତିରେ ହେବା ଦରକାର ତାହା କରାଯାଉ। ହେଲେ ରାଜ୍ୟ ସରକାର ଯେଉଁ ପ୍ରକଳ୍ପ ପାଇଁ ୧୦୦କୋଟି ଦରକାର ସେଥିରେ ଦେଢ଼ କୋଟି ଦେଉଛନ୍ତି। ସବୁ କେନାଲ ମରାମତି କରାଯାଉ। ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ଏବେବି ୪୬ଟି ବ୍ଲକରେ ଚାଷ ଜମିକୁ ୩୫% ଜଳସେଚନ ହୋଇପାରିଲାନି। କିନ୍ତୁ ରାଜ୍ୟ ସରକାର କହୁଛନ୍ତି ୫୧ଟି ବ୍ଲକରେ ୧୧୨%ରୁ ଅଧିକ ଜଳସେଚନ ହୋଇଛି। ଏହା କେମିତି ସମ୍ଭବ ବୋଲି ସେ ପ୍ରଶ୍ନ କରିଥିଲେ।

ବିରୋଧୀଙ୍କୁ ପାଲଟା ଜବାବ୍ ଦେଇଥିଲେ ଶାସକଦଳ ବିଧାୟକ। ଦିବ୍ୟଶଙ୍କର ମିଶ୍ର କହିଥିଲେ, ଆଗରୁ କଳାହାଣ୍ଡିକୁ ଭୋକର ଭୂଗୋଳ କୁହାଯାଉଥିଲା। କିନ୍ତୁ, ଏବେ ଧାନ ଉତ୍ପାଦରେ ଏହା ଦେଶର ୨୫ତମ ଜିଲ୍ଲା, ଡାଲିଜାତୀୟ ଶସ୍ୟ ଉତ୍ପାଦନରେ ଓଡ଼ିଶାରେ ପ୍ରଥମ, କପା ରତ୍ପାନିରେ ଓଡ଼ିଶାରେ ପ୍ରଥମ ସ୍ଥାନ ପାଲଟିଛି। ଯଦି ଜଳସେଚନ ହେଉନି ତେବେ ଓଡ଼ିଶାର ଉତ୍ପାଦନ କେମିତି ବଢ଼ୁଛି? ଉମାଶଙ୍କର ସାମନ୍ତରାୟ କହିଥିଲେ, ଚିଲିକା ପୋତିହୋଇଗଲାଣି। ଏହାର ଖନନ ପାଇଁ କେନ୍ଦ୍ର ସରକାର ଟଙ୍କାଟିଏ ଦେଉନାହାନ୍ତି। ଯାହା କରୁଛନ୍ତି ରାଜ୍ୟ ସରକାର। ଲୁଣି ପାଣି ମାଡ଼ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ୩୦୦କିମିର ଲୁଣା ବନ୍ଧ ନିର୍ମାଣ ପାଇଁ ଘୋଷଣା କରିଛନ୍ତି। ଶଶୀଭୂଷଣ ବେହେରା କହିଥିଲେ, ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ଜଳସେଚନକୁ ଗୁରୁତ୍ବ ଦେଉଛନ୍ତି। ଭୂତଳ ଜଳ ସଂରକ୍ଷଣ ନେଇ ବହୁ ପ୍ରକଳ୍ପ ହେଉଛି। ୭୦% ଭୂତଳ ଜଳ ବ୍ୟବହାର କରିହେବ। ହେଲେ ଆମେ ଏବେବି ୪୨.୨% ବ୍ୟବହାର କରୁଛୁ। ଶାସକ ଦଳ ପକ୍ଷରୁ ଦେବେଶ ଆଚାର୍ଯ୍ୟ, ପ୍ରଣବ ବଳବନ୍ତରାୟ, ସତ୍ୟନାରାୟଣ ପ୍ରଧାନ ଓ ରମେଶ ଚନ୍ଦ୍ର ସାଏ ଏହି ଖର୍ଚ୍ଚ ଦାବିକୁ ସମର୍ଥନ କରିଥିଲେ। ଶେଷରେ ବିଭାଗର ଖର୍ଚ୍ଚ ଦାବି ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର