ଭୋଟ୍‌ ପାଇଁ ‘ଦିଶା’ବୈଠକ ବି ତୁଚ୍ଛ

ଆସିଲେନି ସାଂସଦ; ଅଧା ବିଧାୟକ, ବ୍ଲକ୍‌ ଅଧ୍ୟକ୍ଷ ବି ରହିଲେ ଅନୁପସ୍ଥିତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାମ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ଜିଲ୍ଲାବାସୀଙ୍କ ଜୀବନଜୀବିକା ଆଦି ବିଷୟ ଉପରେ ସମୀକ୍ଷା କରି ବିଧାୟକ, ଜିଲ୍ଲାପାଳ, ଲୋକ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କଠାରୁ ମତାମତ ଲୋଡ଼ିଥିଲେ।

ତେବେ ଜିଲ୍ଲାର ସାମୂହିକ ବିକାଶ ଉପରେ ଆଧାରିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କଠାରୁ ଆରମ୍ଭ କରି ଜଳେଶ୍ବର ବିଧାୟକ ତଥା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ସମେତ ଅଧାରୁ ଅଧିକ ବ୍ଲକ୍‌ ଅଧ୍ୟକ୍ଷଙ୍କ ଦେଖା ମିଳିନଥିଲା। ଧାମନଗର ଉପନିର୍ବାଚନ ପ୍ରଚାର ଆଳରେ ଏହି ନେତାମାନେ ବୈଠକରେ ଅନୁପସ୍ଥିତ ଥିବା କୁହାଯାଉଛି। ଭଦ୍ରକ ସାଂସଦ ଏଥିପାଇଁ ଆଗୁଆ ଚିଠି ଲେଖି ଜଣାଇ ଦେଇଥିଲେ। ତେବେ ଅନ୍ୟମାନେ କାହିଁକି ଅନୁପସ୍ଥିତ ରହିଲେ ତାହା ଯଦିଓ ଜଣାପଡ଼ିନାହିଁ, କିନ୍ତୁ ସେମାନଙ୍କ ତରଫରୁ କେହି ପ୍ରତିନିଧି ମଧ୍ୟ ଏ ବୈଠକରେ ଯୋଗ ଦେଲେନି।

ଫଳରେ ବିଧାୟକମାନେ ପ୍ରତିନିଧିତ୍ବ କରୁଥିବା ସଂପୃକ୍ତ ଅଞ୍ଚଳର ସମସ୍ୟା, ସରକାରୀ ଯୋଜନାର କାର୍ଯ୍ୟକାରିତା, ସଫଳତା ଆଦି ଗୁରୁତ୍ବପୂର୍ଣ୍ଣ ବିଷୟ‌ରେ ବୈଠକରେ ଆଲୋଚନା ହୋଇ ପାରିଲାନାହିଁ। ବୈଠକରେ କୃଷି, ଉଦ୍ୟାନ, ମତ୍ସ୍ୟ ଓ ପଶୁପାଳନ, ଜଳସେଚନ, ଉଠାଜଳସେଚନ, ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ଜଙ୍ଗଲ ଓ ଶିକ୍ଷା ଆଦି ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ‌ହେଉଥିବା ସରକାରୀ ଯୋଜନାଗୁଡ଼ିକର ସ୍ଥିତି ଓ କାର୍ଯ୍ୟାନ୍ବୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସରକାରଙ୍କର ସମସ୍ତ ଜନହିତକର ଯୋଜନାର ସୁଫଳ ଯେପରି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବାକୁ ଶ୍ରୀ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ। ବୈଠକରେ ଅଧିକାରୀମାନେ ଉପସ୍ଥାପନ କରୁଥିବା ତଥ୍ୟ, ପରିସଂଖ୍ୟାନ ମେଳ ଖାଉନଥିବାବେଳେ ତୃଣମୂଳସ୍ତରରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଏହାର ଯାଞ୍ଚ ପାଇଁ କ୍ଷେତ୍ରୀୟ ପରିଦର୍ଶନ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ବୈଠକରେ ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ସମେତ ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର