ଉଚ୍ଛେଦ ହେବ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବ୍ୟବସ୍ଥା, ଦ୍ୱିସ୍ତରୀୟ ସମବାୟ ବ୍ୟବସ୍ଥା ସକ୍ରିୟ ବିଚାରାଧୀନ: ମନ୍ତ୍ରୀ

ଏଫ୍‌ସିଆଇ ଉପରେ ୧୧ ହଜାର କୋଟି ବାକି
ପ୍ରତି ବ୍ଲକରେ ହେବ ଗୋଟିଏ ଲେଖାଏଁ ଆଦର୍ଶ ମଣ୍ଡି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ

ଭୁବନେଶ୍ବର : ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି। ସମବାୟ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କରିବାକୁ ତ୍ରିସ୍ତରୀୟ ବଦଳରେ ଦ୍ବିସ୍ତରୀୟ କରିବା ଦରକାର। ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନାବେଳେ ବିରୋଧୀଙ୍କ ଏପରି ପ୍ରସ୍ତାବକୁ ସରକାର ଗ୍ରହଣ କରିଛନ୍ତି। ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏ ନେଇ ଗୃହକୁ ଜଣାଇଛନ୍ତି। ସେ କହିଛନ୍ତି ଯେ ଏଣିକି ଜିଲ୍ଲା ସମବାୟ ବିଭାଗ ବ୍ୟବସ୍ଥା ଉଚ୍ଛେଦ କରିବା ନେଇ ସରକାର ଚିନ୍ତା କରୁଛନ୍ତି। ଏହା ସହିତ ଧାନ ସଂଗ୍ରହରେ ଟୋକନ୍ ବ୍ୟବସ୍ଥାର ଉପାଦେୟତା ନେଇ ବିଧାୟକମାନଙ୍କୁ ମନ୍ତ୍ରୀ ଆଶ୍ବସ୍ତ କରିଛନ୍ତି।

ଆଜି ବିଧାନସଭାରେ ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଆଇଆଇଏମ୍ ବେଙ୍ଗାଲୁରୁ ଦ୍ବାରା ପ୍ରକାଶିତ ରିପୋର୍ଟକୁ ଉଲ୍ଲେଖ କରି କହିଥିଲେ ଯେ କେରଳ ଓ ଉତ୍ତରପୂର୍ବ ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ତ୍ରିସ୍ତରୀୟ କରିବା ବଦଳରେ ଦ୍ବିସ୍ତରୀୟ କରାଯାଇଛି। ଫଳରେ ସେସବୁ ରାଜ୍ୟରେ ସମବାୟ ବ୍ୟବସ୍ଥାରେ ସ୍ବଚ୍ଛତା ଆସିପାରିଛି। ଏପରି ବ୍ୟବସ୍ଥାକୁ ଓଡ଼ିଶା ସରକାର ଆପଣାଇବା ଦରକାର। ବଲାଙ୍ଗୀର ଜିଲ୍ଲା ସମବାୟ ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦା ଉନ୍ମୋଚନ କରିଥିବା ସ୍ବତନ୍ତ୍ର ଅଡିଟ୍ ଆଧାରରେ କିଛି ବି କାର୍ଯ୍ୟାନୁଷ୍ଠାନ ହୋଇନଥିବା ନେଇ ସେ ଦାବି କରିଥିଲେ। ପ୍ୟାକ୍‌ସ ଓ ଲ୍ୟାମ୍ପ୍‌ସ ସମ୍ପାଦକମାନେ ବହୁ ବର୍ଷ ଧରି ରହିବାରୁ ଦୁର୍ନୀତିଖୋର ହୋଇ ଯାଇଛନ୍ତି। ପ୍ରାଥମିକ ସମବାୟ ସମିତିଗୁଡ଼ିକରେ କର୍ମଚାରୀ ଅଭାବ ରହିଛି। ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା ଦ୍ବାରା ଧାନ ସଂଗ୍ରହ ପ୍ରକ୍ରିୟାକୁ ସରକାର ସ୍ବଚ୍ଛ କରିବାକୁ ଯେପରି ଉଦ୍ୟମ କରୁଛନ୍ତି, ସେଥିପାଇଁ ପ୍ୟାକ୍‌ସଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରାଯିବା ଦରକାର। ଏହାଛଡ଼ା ପ୍ରତି ବ୍ଲକ୍‌ରେ ଆଦର୍ଶ ମଣ୍ଡି କରିବାକୁ ଶ୍ରୀ ମହାଲିଙ୍ଗ ପ୍ରସ୍ତାବ ଦେଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେପି ବିଧାୟକ ଶ୍ରୀ ମହାଲିଙ୍ଗଙ୍କୁ ସାଧୁବାଦ ଜଣାଇ କହିଥିଲେ ରାଜ୍ୟ ସରକାର ସମବାୟ ବ୍ୟବସ୍ଥାକୁ ବର୍ତ୍ତମାନ ଦ୍ବିସ୍ତରୀୟ କରିବା ଉପରେ ବିଚାର କରିବା ଉଚିତ। ଜିଲ୍ଲା ସମବାୟ ବ୍ୟାଙ୍କ ଦୁର୍ନୀତି ନେଇ ଏ ଗୃହରେ ବହୁବାର ଆଲୋଚନା ହୋଇଛି। ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବ୍ୟବସ୍ଥା ଉଚ୍ଛେଦ ହେବା ଦରକାର। କେତେକ ଜିଲ୍ଲା ସମବାୟ ବ୍ୟାଙ୍କ ସଭାପତିଙ୍କର ସମ୍ପତ୍ତି ଅହେତୁକ ଭାବେ ବୃଦ୍ଧି ପାଇଛି। ଏବେ ସରକାର ଚାହିଁଲେ ସବୁ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତିଙ୍କୁ ବରଖାସ୍ତ କରି ସେମାନଙ୍କ ସମ୍ପତ୍ତି ଭିଜିଲାନ୍ସ କିମ୍ବା ଅନ୍ୟ ଏଜେନସି ଦ୍ବାରା ଯାଞ୍ଚ କରିବା ଉଚିପାରିବେ। ବିଜେଡି ବିଧାୟକ କିଶୋର ଚନ୍ଦ୍ର ନାୟକ ପ୍ୟାକ୍‌ସ ଓ ଲ୍ୟାମ୍ପ୍‌ସମାନେ ଧାନ ବିକ୍ରି ଉପରେ ପୂର୍ବ ବର୍ଷର କମିସନ ପାଇନଥିବା ନେଇ କହିଥିଲେ। ବିଜେପି ବିଧାୟକ ଶଙ୍କର ଓରାମ କହିଥିଲେ, ଧାନ ସଂଗ୍ରହ ପାଇଁ ଟୋକନ୍ ବ୍ୟବସ୍ଥା ଠିକ୍; କିନ୍ତୁ ଏପରି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଭିତ୍ତିଭୂମି ସୁଦୃଢ଼ କରିବା ଆବଶ୍ୟକ ଥିଲା। ଛତିଶଗଡ଼ ସରକାର ଏମ୍‌ଏସ୍‌ପି ଉପରେ ଅଧିକ ବୋନସ୍ ଦେଇ ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୫୦୦ ଟଙ୍କା ଦେଉଛନ୍ତି। ଏପରି କାହିଁକି ଓଡ଼ିଶା ସରକାର କରୁନାହାନ୍ତି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ। ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଥିଲେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କଲାବେଳେ କେନ୍ଦ୍ର ସରକାର ୨୦୧୧ ଜନଗଣନାକୁ ଆଧାର କଲେ। ସେହି ଆଧାରରେ ହିତାଧିକାରୀ ଚୟନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେ। ୨୦୧୫ରେ ଖାଦ୍ୟ ସୁରକ୍ଷା ଯୋଜନା ସାରା ରାଜ୍ୟରେ ଲାଗୁ କରିବା ପୂର୍ବରୁ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ କେନ୍ଦ୍ରକୁ ଯେତେ ଅନୁରୋଧ କରାଗଲା ତାକୁ ଗ୍ରହଣ କରାଗଲାନି। ଫଳରେ ଗତବର୍ଷ ଅକ୍ଟୋବର ୨ ତାରିଖରୁ ମୁଖ୍ୟମନ୍ତ୍ରୀ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରି ଆଉ ୨୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିଛନ୍ତି।

ଆଲୋଚନା ଶେଷରେ ବିଧାୟକମାନଙ୍କୁ ଉତ୍ତର ଦେବାକୁ ଯାଇ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ବିଜେପି ବିଧାୟକ ଶ୍ରୀ ମହାଲିଙ୍ଗ ସମବାୟ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କରିବାକୁ ଯାହା ପ୍ରସ୍ତାବ ଦେଇଛନ୍ତି ତା’ ଉପରେ ସରକାର ସକ୍ରିୟ ବିଚାର ଆଲୋଚନା କରୁଛନ୍ତି। ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ ଓ ଗୃହର ସଦସ୍ୟମାନେ ଅବଗତ ହେବେ। ୨୦୨୦ରେ ସମବାୟ ବ୍ୟାଙ୍କଗୁଡ଼ିକରେ କୋର ବ୍ୟାଙ୍କିଙ୍ଗ ସେବା ଆରମ୍ଭ କରାଯିବ। ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ଆଦର୍ଶ ମଣ୍ଡି କରିବାକୁ ମଧ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଛିତିଶଗଡ଼ ସରକାର ଧାନର ଏମଏସପି ଉପରେ ବୋନସ୍ ପ୍ରଦାନ କରି ଏବେ ରାଜସ୍ବ ବଳକା ରାଜ୍ୟରୁ ଆର୍ଥିକ ନିଅଣ୍ଟିଆ ସ୍ଥିତିକୁ ଗଲାଣି। ଏଫ୍‌ସିଆଇ ଧାନ ବାବଦରେ ଓଡ଼ିଶା ସରକାରଙ୍କୁ ଏବେସୁଦ୍ଧା ୧୧ ହଜାର କୋଟି ଟଙ୍କା ବାକି ରଖିଛି। ଗୃହରେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ ଦିଲ୍ଲୀରେ ଚାପ ପକାଇ ଏଫସିଆଇ ଯେପରି ବକେୟା ଟଙ୍କା ରାଜ୍ୟକୁ ଦେବ ସେଥିପାଇଁ ବିଜେପି ବନ୍ଧୁମାନେ ଉଦ୍ୟମ କରିବା ଦରକାର। ମନ୍ତ୍ରୀଙ୍କ ଉତ୍ତର ପରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗର ୩୨୭ କୋଟି ୪୯ ଲକ୍ଷ ୮୬ ହଜାର ଟଙ୍କାର ଅତିରିକ୍ତ ଖର୍ଚ୍ଚଦାବି ଗୃହର ଅନୁମୋଦନ ଲାଭ କରିଥିଲା।

ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରଶାନ୍ତ ମୁଦୁଲି, ସତ୍ୟ ନାରାୟଣ ପ୍ରଧାନ ଓ ବିଜେପି ବିଧାୟକ ନାଉରି ନାୟକ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର