ଆଣ୍ଠେଇଛି ଖଣିଜ ନ୍ୟାସ ପାଣ୍ଠି ପ୍ରକଳ୍ପ : ଟେଣ୍ଡର ହୋଇଛି, କାର୍ଯ୍ୟାଦେଶ ହୋଇନି

ଯାଜପୁର/ଦାନଗଦୀ : ଯାଜପୁର ଜିଲ୍ଲାରେ ଖଣିଜ ନ୍ୟାସ ପାଣ୍ଠିରେ ଆଗେଇବାକୁ ଥିବା ପ୍ରକଳ୍ପଗୁଡ଼ିକ ଆଣ୍ଠେଇଛି। ଖଣିଜ ପାଣ୍ଠି ବିନିଯୋଗକୁ ନେଇ ବିଭିନ୍ନ ସମୟରେ ଦ୍ବନ୍ଦ୍ବ ଉପୁଜିଥିବାବେଳେ ଜିଲ୍ଲା‌ ଖଣିଜ ନ୍ୟାସ ପାଣ୍ଠି ପଡ଼ି ରହିଛି। ତେବେ ଏହି ପାଣ୍ଠି ବିନିଯୋଗରେ ଦୀର୍ଘ ୪ ମାସ ତଳୁ ଗୋଟିଏ-ଦୁଇଟି ନୁହେଁ; ଅଠରଟି ପ୍ରକଳ୍ପର ଟେଣ୍ଡର କରାଯାଇଥିଲେ ହେଁ ଏଯାବତ୍ ଗୋଟିଏର କାର୍ଯ୍ୟାଦେଶ ହୋଇପାରି ନାହିଁ। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଗତିରେ ଏକ ପ୍ରକାର ତାଲା ପଡ଼ିଯାଇଛି।

କରୋନାରେ ଦେଖା ଦେଇଥିବା ଅଚଳାବସ୍ଥାରୁ ମୁକ୍ତି ପାଇଁ ଶ୍ରମ ଭିତ୍ତିକ କାମ ଓ ବିକାଶକୁ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ତୃଣମୂଳରେ ତାହାର ସୁଫଳ ପରିଲକ୍ଷିତ ହେଉନାହିଁ। ଯାଜପୁର ଭଳି ପ୍ରଗତିଶୀଳ ଜିଲ୍ଲାରେ ଗରିବ ଭୋକିଲା ଲୋକଙ୍କୁ ରାସନ, ରିଲିଫ ଓ ଆବାସ ଭଳି ଅତ୍ୟାବଶ୍ୟକ ସେବା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେହିପରି ଆନେକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନ ପାରି ପଡ଼ିରହିଛି। ଯୋଜନା କାର୍ଯ୍ୟକାରୀ କରିବାରେ ଅଚଳାବସ୍ଥା ଦେଖା ଦେଇଛି। କରୋନା ପାଇଁ ନିଯୁକ୍ତି ହରାଇଥିବା ହଜାର ହଜାର ଶ୍ରମିକ ଏବେ ବେକାର। ଏପରିକି ଜିଲ୍ଲା ପ୍ରଶାସନର ତଥ୍ୟ ମୁତାବକ ଏଥି ମଧ୍ୟରେ ଜିଲ୍ଲାକୁ ୨୦ହଜାରରୁ ଅଧିକ ପ୍ରବାସୀ କାମଧନ୍ଦା ଛାଡ଼ି ନିଜ ଘରକୁ ଫେରିଛନ୍ତି। ଏହା ସହିତ କଳିଙ୍ଗନଗରର ଏକାଧିକ ଶିଳ୍ପରେ ତାଲା ପଡ଼ିବା ସାଙ୍ଗକୁ ଜିଲ୍ଲାର ବ୍ୟବସାୟ, ବାଣିଜ୍ୟ ଓ କୃଷି କ୍ଷେତ୍ରରେ ମଧ୍ୟ ଅଚଳାବସ୍ଥା ସୃ‌ଷ୍ଟି ହୋଇଛି।

ଜିଲ୍ଲାରେ ସଠିକ ସଂଯୋଜନା ଅଭାବ ଓ ‌ଦିଗହରା ନେତୃତ୍ବ ରାଜ୍ୟର ଅନ୍ୟତମ ଆଗୁଆ ଜିଲ୍ଲା ଯାଜପୁରରେ ସରକାରଙ୍କ ମିଶନ ସେପରି ଆଗେଇ ପାରିନାହିଁ। କୋରେଇ ବ୍ଲକ୍‌ରେ ଶହଶହ ଆବାସ ଗରିବ ପରିବାରକୁ ବଣ୍ଟନ ହୋଇ ନଥିବା ଖବର ସମ୍ବାଦ ଅନୁସନ୍ଧାନ ଟିମ୍ ଦ୍ବାରା ଲୋକଲୋଚନକୁ ଆଣିଥିବା ବେଳେ ମାସ ମାସ ଧରି ଦାନଗଦୀ ବ୍ଲକ୍‌ରେ କୋଟି କୋଟି ଟଙ୍କାର ଡିଏମ୍‌ଏଫ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ନପାରିବା ନେଇ ବୁଦ୍ଧିଜୀବୀ ମହଲକୁ ବ୍ୟଥିତ କରିଛି। ଟେଣ୍ତର ସରିଥିଲେ ବି ପ୍ରକଳ୍ପ ଆରମ୍ଭ ହୋଇପାରୁ ନାହିଁ। ଗତ ଫେବ୍ରୁଆରି ମାସରେ ଡିଏମ୍‌ଏଫ୍‌ରେ ୧୮ଟି ପ୍ରକଳ୍ପ ପାଇଁ ଠିକାଦାର ଚୟନ ହୋଇଥିଲା। ୧୮ଟି ପ୍ରକଳ୍ପ ମଧ୍ୟରୁ ୧୫ଟି ରାସ୍ତା, ୨ଟି ପାଚେରି ଓ ବିଡିଓଙ୍କ ଆବାସ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ଥିଲା। ଫେବ୍ରୁଆରି ୧୨ତାରିଖରେ ଡିଏମଏଫ୍‌ ଅର୍ଥ ବିନିଯୋଗରେ ନିର୍ମାଣ ପାଇଁ ପ୍ରସ୍ତାବିତ ୧୮ଟି ପ୍ରକଳ୍ପ ପାଇଁ ଟେଣ୍ତର ଆହ୍ବାନ କରାଯାଇଥିଲା। ବିଧିବଦ୍ଧ ଭାବେ ଟେଣ୍ତର ଖୋଲାଯିବା ପରେ ଠିକାଦାର ମଧ୍ୟ ଚୟନ କରାଯାଇଥିଲା।

Livemint

ଜଖପୁରା ପଞ୍ଚାୟତରେ ୪ଟି ସିସି ରୋଡ, କିଆଝର ଓ ଦେଉଳକଣ ପଞ୍ଚାୟତରେ ୨ ଟି ରାସ୍ତାର ଉନ୍ନତୀକରଣ, ଓଲ୍ଲଳ ପଞ୍ଚାୟତରେ ସ୍କୁଲ ଗୃହ ପାଚେରି ଓ ମୁଖ୍ୟ ଦ୍ବାର ନିର୍ମାଣ, ଖପୁରିଆପଦା ପଞ୍ଚାୟତରେ ଗୋଟିଏ ନଡିଆଭଙ୍ଗା ପଞ୍ଚାୟତରେ ୨ଟି ରାସ୍ତାର ଉନ୍ନତୀକରଣ, ରଣାଗୁଣ୍ତି ଓ ଶାଳିଜଙ୍ଗା ପଞ୍ଚାୟତରେ ୨ଟି ରାସ୍ତାର ଉନ୍ନତୀକରଣ, ଉଚ୍ଚବାଲି ପଞ୍ଚାୟତ କାର୍ଯ୍ୟାଳୟର ପାଚେରି ନିର୍ମାଣ ପ୍ରଭୃତି ସହ ଦାନଗଦୀ ବ୍ଲକ ପରିସରରେ ବିଡିଓଙ୍କ ଆବାସ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା। ଟେଣ୍ତର ହେବାର ୪ମାସ ପରେ ଗୋଟିଏ ବି କାର୍ଯ୍ୟ ଆରମ୍ଭ କରାଯାଇନି। ବ୍ଲକକୁ ଏହି ଡିଏମଏଫରୁ ଅନ୍ୟୂନ ୨ କୋଟି ୫୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି।

ବିସ୍ମୟର କଥା ଟେଣ୍ତର କରିବାର ମାସ ମାସ ପରେ ବି ଠିକାଦାରଙ୍କ ସହ ଚୁକ୍ତି କରାଯାଉ ନାହିଁ। ଠିକାଦାର ଚୟନ କରାଯାଉଛି ସିନା କିନ୍ତୁ ସେମାନଙ୍କୁ କେଉଁ ସ୍ଥାନରେ କାର୍ଯ୍ୟ ହେବ ତାହା ଚିହ୍ନଟ କରୁନାହାନ୍ତି। ନିର୍ମାଣ କେଉଁଠି କ˚କ୍ରିଟ, କେଉଁଠି ମାଟି, କେଉଁଠି ମୋରମ କାର୍ଯ୍ୟ ହେବ, ତାମଧ୍ୟ କୁହାଯାଉ ନାହିଁ। ରାସ୍ତା କାର୍ଯ୍ୟରେ ଜମିର କିସମ କଣ ତାହା ତହସିଲ ପ୍ରଶାସନକୁ ଜଣାଇବାକୁ ଦାୟିତ୍ବ ଦିଆଯାଇଛି। ତହସିଲ ପ୍ରଶାସନ ତୁରନ୍ତ କିସମ ସମ୍ପର୍କରେ ରିପୋର୍ଟ କରୁନାହାନ୍ତି। ନିକଟରେ ଡିଏମଏଫ ଅର୍ଥରେ କାର୍ଯ୍ୟ ବିଳମ୍ବକୁ ନେଇ ଅତିରିକ୍ତ ଜିଲାପାଳ ହସ୍ତକ୍ଷେପ କରିବା ପରେ ଗତ ସପ୍ତାହରେ ବ୍ଲକ୍ ପ୍ରଶାସନ କେତେ ଜଣ ଠିକାଦାରଙ୍କ ସହ କାର୍ଯ୍ୟ ସମ୍ବନ୍ଧୀୟ ଚୁକ୍ତି କରିଛନ୍ତି। କିନ୍ତୁ କାର୍ଯ୍ୟାଦେଶ ଦେଇ ନାହାନ୍ତି। ବର୍ଷା ଦିନ ଆରମ୍ଭ ହୋଇଯାଇଥିବା ବେଳେ କାମ ଆରମ୍ଭ ନେଇ ଅନିଶ୍ଚିତତା ଦେଖାଦେଇଛି। କେବଳ ଚଳିତ ବର୍ଷର ନୁହେଁ; ଗତବର୍ଷରେ ମଧ୍ୟ ଡିଏମଏଫ ଅର୍ଥର ବିନିଯୋଗ ହୋଇପାରି ନାହିଁ। ଜିଲ୍ଲାରେ ସରକାରୀ ଯୋଜନାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ଦାୟିତ୍ବରେ ଥିବା କେତେକ ଅଧିକାରୀଙ୍କର ଆନ୍ତରିକତାର ଅଭାବ ଓ ଗୋଷ୍ଠୀ ବିବାଦ ରାଜନୀତିର ଶିକାର ହୋଇପଡ଼ିବାରୁ ଜିଲ୍ଲାରେ ସ୍ଥାଣୁ ଅବସ୍ଥା ସୃଷ୍ଟି ହୋଇଛି। ଯାହାକି ଆଗାମୀ ଦିନରେ ଏହା ଅଧିକ ସଙ୍ଗିନ ରୂପ ଧାରଣ କରିବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର