ବହୁମୁଖୀ ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟମିତ କରାଯିବ

ସଂଶୋଧିତ ହେଲା ସ୍ବାସ୍ଥ୍ୟକର୍ମୀଙ୍କ ଚାକିରି ସଂକ୍ରାନ୍ତୀୟ ଦୁଇଟି ନିୟମ

ଆୟୁର୍ବେଦିକ୍‌ ଭେଷଜ ପ୍ରବର୍ତ୍ତନ ସେବା ନିୟମାବଳୀରେ କ୍ୟାବିନେଟ୍‌ ମୋହର

ଭୁବନେଶ୍ବର : ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ(ଉଭୟ ପୁରୁଷ ଓ ମହିଳା)ଙ୍କୁ ନିୟମିତ କରିବା ପାଇଁ ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ସେମାନଙ୍କ ଚାକିରି ସଂକ୍ରାନ୍ତୀୟ ଦୁଇଟି ନିୟମରେ ସଂଶୋଧନ ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ ଅନୁମୋଦନ ଦେଇଛି।

ବର୍ତ୍ତମାନ ପ୍ରଚଳିତ ନିୟମାବଳୀ ଅନୁଯାୟୀ ସ୍କିମ୍ ଦ୍ବାରା ନିଯୁକ୍ତ ଠିକା ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ(ପୁରୁଷ ଓ ମହିଳା)ମାନଙ୍କୁ ରାଜ୍ୟ ସରକାରଙ୍କ ସାଧାରଣ ସ୍ବାସ୍ଥ୍ୟ ସେବାରେ ଅନ୍ତର୍ଭୁକ୍ତ କରାଇବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଯୋଗ୍ୟ ସ୍କିମ୍‌ଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇ ନାହିଁ। ସଂ‌େଶାଧିତ ନିୟମ ଅନୁଯାୟୀ ଯେଉଁ ସ୍କିମ୍‌ ପଦବିଗୁଡ଼ିକ ଭାରତ ସରକାର ବା ଓଡ଼ିଶା ସରକାରଙ୍କ ଦ୍ବାରା ଅନୁମୋଦନ ପ୍ରାପ୍ତ ହୋଇଥିବ ଏବଂ ସେହିସବୁ ପଦବିରେ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ସ୍ବଚ୍ଛ ପଦ୍ଧତ୍ତି ଅନୁସରଣ କରି ନିଯୁକ୍ତି ଦିଆଯାଇଥିବ ଏବଂ ସେମାନେ ସରକାରଙ୍କ ବିଭିନ୍ନ ଚିକିତ୍ସାଳୟରେ ଗୁରୁତର ଚିିକିତ୍ସା ପଦ୍ଧତ୍ତିରେ କାର୍ଯ୍ୟରତ ଥିବେ, କେବଳ ସେହି ଠିକା ବହୁମୁଖୀ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ସରକାରଙ୍କ ସାଧାରଣ ସ୍ବାସ୍ଥ୍ୟ ସେବାରେ ଅନ୍ତର୍ଭୁକ୍ତ କରାଯାଇ ନିୟମିତ କରାଯିବ। ନିଯୁକ୍ତି ପରୀକ୍ଷା ସମ୍ପର୍କରେ ନିୟମାବଳୀରେ କୁହାଯାଇଛି ଯେ ଶହେ ମାର୍କର ଲିଖିତ ପରୀକ୍ଷା ଦୁଇ ଘଣ୍ଟା ସମୟସୀମା ମଧ୍ୟରେ କରାଯିବ। ଏଥିରେ ପ୍ରତି ଭୁଲ୍‌ ଉତ୍ତର ପାଇଁ ୦.୨୫ ମାର୍କ କାଟି ଦିଆଯିବ। ପରୀକ୍ଷାର ୬୦% ପ୍ରଶ୍ନ ସେମାନଙ୍କ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ, ୨୫% ପ୍ରଶ୍ନ ପ୍ରାକ୍ଟିକାଲ୍‌ ସମ୍ପର୍କିତ, ୧୦% ପ୍ରଶ୍ନ ଏରିଥମେଟିକ୍ ଓ ୫% ପ୍ରଶ୍ନ ଇଂରାଜୀ(ହାଇସ୍କୁଲ୍‌ ଷ୍ଟାଣ୍ଡାର୍ଡର) ରହିବ। ସ୍କିମ୍ ଓ ସୋସାଇଟି ଅଧୀନରେ କାର୍ଯ୍ୟ କରୁଥିବା ଯେଉଁ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀଙ୍କ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ଠିକ୍ ଥିବ, ସେମାନଙ୍କ ଆବେଦନର ସର୍ବାଧିକ ବୟସ ସୀମାକୁ ୪୫ ବର୍ଷ ଧାର୍ଯ୍ୟ କରାଯାଇଛି।

ଓଡ଼ିଶା ଆୟୁର୍ବେଦିକ୍‌ ଭେଷଜ ପ୍ରବର୍ତ୍ତନ ସେବା କ୍ୟାଡର୍‌ରେ ମେଧାବୀ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ନିମନ୍ତେ ‘ଓଡ଼ିଶା ଆୟୁର୍ବେଦିକ୍‌ ଭେଷଜ ପ୍ରବର୍ତ୍ତନ ସେବା (ନିଯୁକ୍ତି ପଦ୍ଧତ୍ତି ‌ଓ ସେବା ସର୍ତ୍ତାବଳୀ) ନିୟମାବଳୀ,୨୦୨୦’ ପ୍ରସ୍ତୁତ କରାଯାଇଛି। ଏଥିରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। ଏହି ନିୟମାବଳୀ ଦ୍ବାରା ଭେଷଜ ନିରୀକ୍ଷକଙ୍କ ନିଯୁକ୍ତି, ପଦୋନ୍ନତି ଓ ଚାକିରି ସର୍ତ୍ତାବଳୀ ନିୟନ୍ତ୍ରିତ ହେବ। ନୂଆ ନିୟମ ଦ୍ବାରା ଭାରତୀୟ ଭେଷଜ ବ୍ୟବସ୍ଥାର ଗୁଣାବତ୍ତା ନିୟନ୍ତ୍ରଣ ପାଇଁ ପ୍ରବର୍ତ୍ତନ ପ୍ରକ୍ରିୟା ଦୃଢ଼ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।

ଓଡ଼ିଶା ଖଣି ଓ ଭୂତତ୍ତ୍ବ ସେବାର ଭୂତାତ୍ତ୍ବିକ ସର୍ବେକ୍ଷଣ ଓ ଅନୁସନ୍ଧାନ ଶାଖା ପାଇଁ କ୍ୟାଡର୍‌ ନିୟମକୁ ପରିବର୍ତ୍ତନ କରାଯାଇ ‘ଓଡ଼ିଶା ଭୂତାତ୍ତ୍ବିକ ସେବା କ୍ୟାଡର୍‌ ନିୟମ (ନିଯୁକ୍ତି ନିୟମ ଓ ସେବା ସର୍ତ୍ତାବଳୀ),୨୦୨୦ ଭାବେ ପ୍ରକାଶ କରାଯାଇଛି। ଏହାକୁ ଆଜି କ୍ୟାବିନେଟ୍‌ ସ୍ବୀକୃତି ମିଳିଛି। ପୂର୍ବରୁ ଥିବା ‘ଓଡ଼ିଶା ଖଣି ଓ ଭୂବିଜ୍ଞାନ ସେବା’ର ‘ଭୂତାତ୍ତ୍ବିକ ସର୍ବେକ୍ଷଣ ଓ ଅନୁସନ୍ଧାନ ଶାଖା’ ଏଣିକି ‘ଓଡ଼ିଶା ଭୂତାତ୍ତ୍ବିକ ସେବା’ ଭାବେ ପରିଚିତ ହେବ। ପ୍ରଶାସନିକ ବ୍ୟବସ୍ଥା ତଥା ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଥିବା ଭୂବିଜ୍ଞାନ ନି‌େର୍ଦ୍ଦଶାଳୟର ବୈଷୟିକ ମାନବ ସମ୍ବଳକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ୨୦୧୮ ମସିହା ଜୁନ୍ ମାସରେ ହୋଇଥିବା କ୍ୟାଡର୍‌ ପୁନର୍ଗଠନ ଦ୍ବାରା ସୃଷ୍ଟି ହେ‌ାଇଥିବା ପରବର୍ତ୍ତନଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି।

ଓଡ଼ିଶା କାରଖାନା ଓ ବାଷ୍ପିତ୍ର ନିରୀକ୍ଷଣ ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ,୧୯୮୪ରେ ସଂ‌େଶାଧନ ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହେ‌ାଇଛି। ଏହି ସଂଶୋଧନ ଦ୍ବାରା ମୂଳ ପଦବି ‘ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର୍‌ ଅଫ୍ ଫ୍ୟାକ୍ଟ୍ରିଜ୍‌ ଆଣ୍ଡ୍‌ ବୟଲର୍ସ’ର ପାହ୍ୟା ଗ୍ରୁପ୍‌-ବିରୁ ଗ୍ରୁପ୍‌-ଏକୁ ବୃଦ୍ଧି କରାଯାଇଛି।

ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଗ୍ରନ୍ଥଗାରିକ(ନିଯୁକ୍ତି ଓ ସେବାସର୍ତ୍ତ) ନିୟମାବଳୀ,୨୦୧୭ରେ ସଂଶୋଧନ ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି। ଏହା ଦ୍ବାରା ଗ୍ରନ୍ଥଗାରିକମାନଙ୍କ ପଦୋନ୍ନତି କ୍ଷେତ୍ରରେ ଯୋଗ୍ୟତା ମାନଦଣ୍ଡ ସଂଶୋଧନ କରାଯିବ।

ସମ୍ବନ୍ଧିତ ଖବର