ରାଜ୍ୟବ୍ୟାପୀ ଦୀପାଲୋକ: ନିର୍ଦ୍ଧାରିତ ସମୟ ପୂର୍ବରୁ ଫୁଟିଛି ବାଣ

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଆଲୋକର ପର୍ବ ‘ଦୀପାବଳି’ ଗୁରୁବାର ପାଳନ ଜାରି ରହିଛି। ସଂଜ ନଇଁବା ପରେ ଘରେ ଗୃହିଣୀମାନେ ପରଂପରା ଅନୁଯାୟୀ ମାଟି ଦୀପରେ ତେଲ ସଳିତା ଦେଇ ଜାଳିଛନ୍ତି। ଘର ଗୁଡ଼ିକ ରଂଗୀନ ଏଲ୍‌ଇଡି ଲାଇଟରେ ସଜ୍ଜିକରଣ କରାଯାଇଛି। ଚାରିଆଡେ ଆଲୋକ ଦେଖାଯାଉଛି। ମହିଳାମାନେ ଘରେ ପରିବାରର ମଙ୍ଗଳ ପାଇଁ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ସେହିପରି ଦୋକାନୀ ଓ ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟିକ ପ୍ରତିଷ୍ଠାନରେ ପୂଜାର୍ଚ୍ଚନା କରିଛନ୍ତି। ଦୀପାବଳି ଅବସରରେ ବ୍ୟବସାୟୀମାନେ କର୍ମଚାରୀ, ଗ୍ରାହକ ଓ ଅନ୍ୟମାନଙ୍କୁ ମିଠେଇ ବାଣ୍ଟିଛନ୍ତି।

ଫଟୋ: ବିଭୂତି, ଭୁବନେଶ୍ବର

ତେବେ ‌ଦିପାବଳୀର ଅନ୍ୟତମ ଆକର୍ଷଣୀୟ କାର୍ଯ୍ୟକ୍ରମ ହେଉଛି ବାଣ ଫୁଟାଇବା ପରଂପରା। ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ତଥା ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ବାଣ ଫୁଟାଇବା ପାଇଁ ରାତି ୮ଟାରୁ ୧୦ ପର୍ଯ୍ୟନ୍ତ ୨ ଘଣ୍ଟା ପାଇଁ ଅନୁମତି ଥିଲେ ମଧ୍ୟ ଲୋକେ ଏହାକୁ ମାନି ନାହାନ୍ତି। ସଂଜ ନଇଁବା ପରେ ବାଣ ଫୁଟିବା ଆରମ୍ଭ ହୋଇଯାଇଛି। କେବଳ‌ ସେତିକି ନୁହେଁ, ସରକାର କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି‌ ଦେଇଥିଲେ ବି ଲୋକେ କିନ୍ତୁ ସାମ୍ନାରେ ଯାହା ମିଳିଲା, ତାକୁ ଘରକୁ ଆଣିଛନ୍ତି।

ଫଟୋ: ବିଭୂତି

ଗାଁ ଗଣ୍ଡାରେ ସେମିତିରେ ବି ସନ୍ଧ୍ୟା ସମୟରୁ ବାଣ ଫୁଟିଥିବା ବେଳେ ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର ଭଳି ବଡ଼ ସହରରେ ସଂଜ ନଇଁବା ପରେ ବାଣ ଫୁଟିଛି। ରାଜ୍ୟ ସରକାର ବାଣ ଫୁଟାଇବା ନେଇ ଅଳ୍ପ ଦିନ ପୂର୍ବରୁ ଅନୁମତି ଦେଇଥିବା ବେଳେ ବଜାରର ଚାହିଦା ଅନୁସାରେ ବାଣ ବିକ୍ରି ହୋଇପାରି ନାହିଁ। ଗତବର୍ଷ ବଳିପଡ଼ିଥିବା ଗଚ୍ଛିତ ବାଣ ଏବର୍ଷ ଚଢ଼ା ଦରରେ ବିକ୍ରି ହୋଇଥିବା ପରିଲକ୍ଷିତ ହୋଇଛି। ‌ଗତବର୍ଷ ଯେଉଁ ବାଣ ୧୫ଟଙ୍କାରେ ବିକ୍ରି ହେଉଥିଲା, ତାହା ଚଳିତ ବର୍ଷ ୪୦ରୁ ୫୦ ଟଙ୍କାରେ ବିକାଯାଇଛି।

ସମ୍ବନ୍ଧିତ ଖବର