ଚିକିତ୍ସାରେ ଅବହେଳା କରିଥିବା ନେଇ ଘରୋଇ ଡାକ୍ତରଖାନା ବିରୋଧରେ ଅଭିଯୋଗ ଆଣିଲେ ମହିଳା

ଭୁବନେଶ୍ୱର: ସହରର ଏକ ଘରୋଇ ଡାକ୍ତରଖାନା ବିରୋଧରେ ଜଣେ ମହିଳା ଚିକିତ୍ସାରେ ଅବହେଳାର ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ପୁଷ୍ପଲତା ନାୟକ ଆଠ ମାସ ପୂର୍ବରୁ ହାଇ-ଟେକ୍‌ ହସ୍ପିଟାଲରେ ତାଙ୍କର ସ୍ତ୍ରୀ ରୋଗ ପାଇଁ ଏକ ଅସ୍ତ୍ରୋପଚାର କରିଥିଲେ। ଏହି ଅସ୍ତ୍ରୋପଚାର ପରେ ବି ପୁଷ୍ପଲତାଙ୍କ ତଳ ପେଟରେ ଯନ୍ତ୍ରଣା ହେଉଥିଲା। ସେ ଏହି ଯନ୍ତ୍ରଣାକୁ ସାମାନ୍ୟ ଭାବି ଆଠମାସ ପର୍ଯ୍ୟନ୍ତ ଅଣଦେଖା କରି ରହି ଯାଇଥିଲେ। କିନ୍ତୁ ଯେତେବେଳେ ପୁଷ୍ପଲତାଙ୍କ ଏହି ଯନ୍ତ୍ରଣା ଅସହ୍ୟ ହେଲା ସେ ଭୁବନେଶ୍ୱରସ୍ଥିତ କର କ୍ଲିନିକକୁ ଆସି ଅନ୍ୟ ଜଣେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଏଠାରେ ଡାକ୍ତର ତାଙ୍କର ଚିକିତ୍ସା କରିବା ପରେ ତାଙ୍କ ମୂତ୍ରାଶୟରେ ଦୁଇ ଖଣ୍ଡ ଗଜ କନା ରହି ଯାଇଥିବା ଜାଣିବାକୁ ମିଳିଥିଲା। ଏହି କାରଣରୁ ଅସ୍ତ୍ରୋପଚାର ପରେ ବି ତାଙ୍କ ତଳି ପେଟରେ ଯନ୍ତ୍ରଣା ଲାଗି ରହିଥିଲା।

ଏହି ଘଟଣାକୁ ନେଇ ପୁଲିସରେ ଏଯାବତ କୌଣସି ଅଭିଯୋଗ ହୋଇ ନାହିଁ। କିନ୍ତୁ ପୁଷ୍ପଲତାଙ୍କ ଅସ୍ତ୍ରୋପଚାର କରିଥିବା ହାଇ-ଟେକ୍‌ ଡାକ୍ତରଙ୍କ ବିରୋଧରେ ଖୁବ୍‌ ଶୀଘ୍ର ପୁଲିସରେ ଅଭିଯୋଗ କରିବେ ବୋଲି ତାଙ୍କ ପୁଅ କହିଛନ୍ତି।

ସମ୍ବନ୍ଧିତ ଖବର