ପାରିବାରିକ ହିଂସାର ଭୂତାଣୁ ପାଇଁ ସମାନତାର ବିଶୋଧକ

ସ୍ନେହ ମିଶ୍ର

ସାରାବିଶ୍ବ କରୋନା ମହାମାରୀର ଆତଙ୍କରେ ଆତଙ୍କିତ। ଏକ କ୍ଷୁଦ୍ର ଭୂତାଣୁ ସାରାବିଶ୍ବ ପାଇଁ ଏକ ଚିନ୍ତାର ବିଷୟ ସାଜିଛି। ମଣିଷ ଜୀବନକୁ ବଂଚାଇବା ପାଇଁ ବିଶ୍ବ ସମୁଦାୟ ଆଜି ଲକ୍‌ଡାଉନ୍‌ ଭଳି ବ୍ୟବସ୍ଥାକୁ ଆବୋରି ନେବାପାଇଁ ବାଧ୍ୟ ହୋଇଛି। ଫଳରେ, ସମୟ ସହ ବାଜିମାରି ଅଣନିଃଶ୍ବାସୀ ହୋଇ ଦଉଡୁଥିବା ମଣିଷଟି ଆଜି ଘରଭିତରେ ନିଜକୁ ଆବଦ୍ଧ କରିଛି। କିନ୍ତୁ ବିଡମ୍ବନା ଯେ, ସେହି ଘରେ ହିଁ ମହିଳାମାନେ ହିଂସାର ବେଶୀ ସମ୍ମୁଖୀନ ହୋଇଥା’ ନ୍ତି। ମହିଳାଙ୍କ ପ୍ରତି ହିଂସା ଯାହାକି ଘରୋଇ ବା ପାରିବାରିକ ହିଂସା ମହାମାରୀଠାରୁ ମଧ୍ୟ ଭୟଙ୍କର! ଏହା କେବଳ ପୀଡ଼ିତା ନୁହଁ ବରଂ ଘରେ ରହିଥିବା ସମସ୍ତ ସଦସ୍ୟଙ୍କୁ ପ୍ରଭାବିତ କରିଥାଏ। ଏକ ପରିସଂଖ୍ୟାନ ଅନୁଯାୟୀ, ସାରା ବିଶ୍ବରେ ପ୍ରତି ତିନିଜଣଙ୍କରେ ଜଣେ ମହିଳା ପାରିବାରିକ ହିଂସାର ସମ୍ମୁଖୀନ ହୋଇଥା’ନ୍ତି। କେବଳ ମହିଳାମାନଙ୍କ ଉପରେ ‌େହଉଥିବା ହିଂସା ଦକ୍ଷିଣଏସିଆରୁ ୫୦ ନିୟୁତ ମହିଳାଙ୍କୁ ମୃତ୍ୟୁମୁଖକୁ ଠେଲିଦେଇଛି।

ଏହି ଘରୋଇ ବା ପାରିବାରିକ ହିଂସା ଏକ ପିତୃସତ୍ତା ବ୍ୟବସ୍ଥାରୁ ଉତ୍ପତ୍ତି ହୋଇଥାଏ। ପତୃସତ୍ତାର ବ୍ୟବସ୍ଥା ହେଉଛି, ପୁରୁଷମାନଙ୍କୁ ଅଧିକ କ୍ଷମତାସମ୍ପନ୍ନ କରିବା, ଲିଙ୍ଗଭିତ୍ତିକ ଶ୍ରମ ବିଭାଜନ ସୃଷ୍ଟି କରିବା ଓ ତଦନୁଯାୟୀ ଦାୟିତ୍ବ ବଣ୍ଟନ କରିବା ବା ଭୂମିକା ନିର୍ଦ୍ଧାରଣ କରିବା। ଏହାପଛରେ ପରିବାର ମାନସମ୍ମାନ ତଥା ପରମ୍ପରାର ବି ଏକ ଭୂମିକା ରହିଛି। ଯାହାକି, ଏକ ସାଧାରଣ ସମୟରେ ମହିଳାଟିଏ ପାଇଁ ଆହ୍ବାନ ସୃଷ୍ଟି କରିଥାଏ। ଆଉ ଲକ୍‌ଡାଉନ୍‌ ସମୟରେ ଏହାର ଜଟିଳତା ଆହୁରି ବଢିଯାଇଛି। ସାଧାରଣ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିରୁ ଦୂରେଇବା ପାଇଁ ବା ନିଜକୁ ରକ୍ଷାକରିବାପାଇଁ ବାହାରକୁ ପଳେଇଯିବାର ସୁଯୋଗ ରହିଥାଏ। ମାତ୍ର, ଲକ୍‌ଡାଉନ୍‌ ସମୟରେ ବାହାରକୁ ଯାଇହୋଇନଥିବାରୁ ହିଂସାର ମାତ୍ରା ବଢିବାର ସମ୍ଭାବନା ଅଧିକ ହୋଇଛି। କାରଣ ଲକ୍‌ଡାଉନ୍‌ ସମୟରେ ମଧ୍ୟ ବିରକ୍ତ ବୋଧ ହିଂସାର ସମ୍ଭାବନାକୁ ବଢାଇଦେଇଥାଏ।

ଏ କ୍ଷେତ୍ରରେ ଶ୍ରମଜୀବୀ ମହିଳାଙ୍କ ଅବସ୍ଥା ଅଧିକ ଦୁର୍ବିଷହ। ଘରୁକାମ କରିବାର ସୁଯୋଗ ଥିଲେ ମଧ୍ୟ ଘରେ ଏକ କର୍ମଜୀବୀର ଭୂମିକା ନୁହଁ ବରଂ ଏକ ଘରୋଇ ମହିଳାର ଭୂମିକାରେ ସମସ୍ତେ ତାଙ୍କୁ ଦେଖିଥାନ୍ତି। ଯାହାକି ମହିଳାଟିର କାର୍ଯ୍ୟଶୈଳୀରେ ଗଭୀର ପ୍ରଭାବ ପକାଇଥାଏ। ବିଶେଷକରି, ମଧ୍ୟବିତ୍ତ ପରିବାରରେ ମହିଳାଟିଏ ଘରର ସବୁ ସଦସ୍ୟଙ୍କର ଆବଶ୍ୟକତାକୁ ପୂରଣ କରିସାରିବାପରେ ହିଁ ପେଶାଗତ(ଅଫିସ୍‌) କାମ କରିବାପାଇଁ ସମୟ ବାହାର କରିଥାଏ। ଯାହାକି ତାଙ୍କ ପେସାଦାର ଭୂମିକାକୁ ପ୍ରଭାବିତ କରିଥାଏ। ତଥାପି, ଏହି ସମୟରେ ପାରିବ‌ାରିକ ହିଂସାର ଶିକାର ହୋଇଥା’ନ୍ତି ମହିଳା। ପିତୃସତ୍ତାର ବ୍ୟବସ୍ଥା ଏବଂ ଏହି ବ୍ୟବସ୍ଥାକୁ ଦୃଢ କରିବା ପାଇଁ ସାମାଜିକ ତଥା ପାରମ୍ପରିକ ପ୍ରଥା ଭଳି ସ୍ତମ୍ଭଗୁଡିକ ନ ହଟାଇବା ପର୍ଯ୍ୟନ୍ତ ମହିଳାମାନଙ୍କ ଉପରେ ହେଉଥିବା ହିଂସାର ସମୂଳ ବିନାଶ ସମ୍ଭବ ହେବନାହିଁ।

ଅନ୍ୟପକ୍ଷରେ, ହିଂସାର ଶିକାର ହେଉଥିଲେ ସୁଦ୍ଧା ସେ ଘରର ଏରୁଣ୍ଡିବନ୍ଧ ଡେଇଁ କୌଣସି ଅଭିଯୋଗ କରିପାରେନାହିଁ। ଏହା ବି କେତେଦୂର ସମ୍ଭବ, ତାହା ଆଲୋଚନା ର ବିଷୟ! ବହୁତ ସମୟରେ ହେଲ୍‌ପଲାଇନ୍‌ ଥିଲେ ମଧ୍ୟ ମହିଳାମାନେ ତାହାର ସୁଯୋଗ ନେଇପାରିନଥା’ନ୍ତି। ଏମିତିକି ବହୁତ ଜଣଙ୍କ ପାଖରେ ଫୋନ୍ ନଥାଏ ବା ସେମାନଙ୍କ ଅକ୍ତିଆାରରେ ମଧ୍ୟ ଫୋନ୍ ନଥାଏ। ତେଣୁ ଘର ଭିତରେ ରହି ପରିବାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ସମ୍ଭବ ହୋଇନଥାଏ। ବିଭିନ୍ନ ଦେଶର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ, ଲକ୍‌ଡାଉନ୍‌ ସମୟରେ ଘରୋଇ ହିଂସା ଘଟଣା କମ୍‌ ଥିଲା ଭଳି ବାହରକୁ ଦେଖାଯାଉଥିଲେ ମଧ୍ୟ ବାସ୍ତବରେ ତାହା ଠିକ୍‌ ନୁହେଁ। ଲକ୍‌ଡାଉନର‌ ପରବର୍ତ୍ତୀ ସମୟରେ ଚୀନ୍‌ରେ ଘରୋଇହିଂସା ମାମଲା ୩୦ପ୍ରତିଶତ ବୃଦ୍ଧି ପାଇଥିବା ଏକ ରିପୋର୍ଟରୁ ଜଣାଯାଏ। ଏହା ଅତ୍ୟନ୍ତ ଚିନ୍ତାଜନକ ହୋଇଥିବାରୁ ଜାତିସଂଘର ମହାସଚିବ ମଧ୍ୟ ଘରୋଇହିଂସାକୁ ରୋକିବାପାଇଁ ସମସ୍ତଙ୍କର ଉଦ୍ୟମ ଦରକାର ବୋଲି ଆହ୍ବାନ ଦେଇଛନ୍ତି। ଏବେ ଘରୋଇ ହିଂସାର ପ୍ରଭାବ ଓ ନିରବତାକୁ ଏହାର ଅନୁପସ୍ଥିତି ବୋଲି ଧରିବା ଏକ ବିରାଟ ବଡ ଭୁଲ୍ ହେବ। ମହିଳାମାନଙ୍କ ଉପରେ ହେଉଥିବା ଲିଙ୍ଗଭିତ୍ତିକ ହିଂସା ପିତୃସତ୍ତାର ଏକ ପ୍ରତିଫଳନ ମାତ୍ର। ତେଣୁ ଏହି ହିଂସାର ପ୍ରତିରୋଧ କରିବାକୁ ହେଲେ ପିତୃସତ୍ତାର ବ୍ୟବସ୍ଥା ଗୁଡିକୁ ପ୍ରତିହତ କରି ସମାନତାର ଅଧିକାରକୁ ବଳବତ୍ତର କରିବାକୁ ପଡିବ।
ଆଇନା, ଭୁବନେଶ୍ବର
ଫୋନ୍‌:୯୪୩୭୦୧୭୯୬୭

ସମ୍ବନ୍ଧିତ ଖବର