ବସରେ ୧୧ କେଭି ବିଦ୍ୟୁତ ତାର ଲାଗି ୧୧ଜଣଙ୍କ ମୃତ୍ୟୁ ଘଟଣା : ଅଘଟଣ ଲାଗି ବସ୍ ଚାଳକ ସମ୍ପୂର୍ଣ୍ଣ ଦାୟୀ ବୋଲି ବିଧାନସଭାରେ କହିଲେ ମନ୍ତ୍ରୀ
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ମେନ୍ଦ୍ରାରାଜପୁରରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ବସ ଆସିବା ଫଳରେ ୧୧ ଜଣଙ୍କ ଜୀବନ ଚାଲିଯିବା ଘଟଣାରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ବସ୍ ଚାଳକ ସମ୍ପୂର୍ଣ ରୂପେ ଦାୟୀ ବୋଲି କହିଛନ୍ତି ମନ୍ତ୍ରୀ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାର ତଦନ୍ତ ରିପୋର୍ଟ ଅନୁଯାୟୀ, ବସଟି ନିୟମ ଭାଙ୍ଗି ଭୁଲ ରାସ୍ତାରେ ଯାଇଥିଲା, ଯେଉଁଥି ପାଇଁ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିପାଇଁ ବସର ପରିମିଟ ରଦ୍ଦ କରାଯିବା ସହ ଗାଡି ମାଲିକ ଓ ଡ୍ରାଇଭରଙ୍କ ନାଁରେ ଏତଲା ଦିଆଯାଇଛି । ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ନିୟମ ଭାଙ୍ଗିଥିବାରୁ ଚାଲାଣ ମଧ୍ୟ କଟାଯାଇଛି । ଡ୍ରାଇଭର ଦାୟିତ୍ୱହୀନ ଭାବେ ଗାଡି ଚଳାଉଥିବାରୁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି ।
ଏହାଛଡା ତଦନ୍ତରୁ ଜଣାପଡିଛି ଯେ, ୧୧ କେଭି ବିଦ୍ୟୁତ ତାର ଭୂମିଠାରୁ ୨୦ ଫୁଟ ଉଚ୍ଚରେ ରହିବା ନେଇ ନିୟମ ଥିବା ବେଳେ ଦୁର୍ଘଟଣାସ୍ଥଳରେ ଏହା ୧୨ ଫୁଟ ଉଚ୍ଚରେ ଥିଲା ଯାହା ଦୁର୍ଘଟଣାର ମୁଖ୍ୟକାରଣ । ଏହାଛଡା ବିଦ୍ୟୁତ ତାର ବସ୍ ସଂସ୍ପର୍ଶରେ ଆସିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ବସରୁ ତଳକୁ ଓହ୍ଲାଇବା ବେଳେ କରେଣ୍ଟ ଲାଗି ପ୍ରାଣ ହରାଇଥିବା ତଦନ୍ତ ରିପୋର୍ଟରୁ ଜଣାପଡିଛି ।
ଏହି ଘଟଣାର ତଦନ୍ତ କରାଯାଇ ସାଉଥକୋର କନିଷ୍ଠ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ଆହତମାନଙ୍କ ମାଗଣା ଚିକିତ୍ସା କରାଯିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସରକାରଙ୍କ ପକ୍ଷରୁ ଦିଅଯାଇଛି ।
ଗତ ୯ ତାରିଖରେ ନିବର୍ନ୍ଧ ଉତ୍ସବକୁ ଯାଉଥିବା ବସଟି ଗଞ୍ଜାମର ମେନ୍ଦ୍ରାରାଜପୁରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଏହି ଘଟଣାରେ ୧୧ ଜଣ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଥିଲା ଓ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଥିଲେ । ସେତେବେଳେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଖାସକରି ବିଦ୍ୟୁତ ବିଭାଗ ଉପରକୁ ଅଧିକାଂଶ ଲୋକ ଆଙ୍ଗୁଳି ଉଠାଇଥିଲେ ।