ମରୁଡ଼ି ସ୍ଥିତି ଭୟାନକ: ଏଥର ଅଧା ବର୍ଷା ନାହିଁ, ଅଗଷ୍ଟରେ ୮୦ ପ୍ରତିଶତ ନିଅଣ୍ଟିଆ ବର୍ଷା

ଅନୁଗୁଳ : ଯେଉଁ ସମୟରେ ମୂଷଳ ଧାରାରେ ବର୍ଷିବା କଥା, ସେତେବେଳେ ଡହ ଡହ ଖରା। ଧାରା ଶ୍ରାବଣରେ ଶୁଖିଲା ପଡ଼ିଛି ଜମି। ସ୍ଥିତି ଏମିତି ଯେ କିଛି ପଞ୍ଚାୟତରେ ଇଞ୍ଚେ ବି ଆଗେଇନି ଚାଷ। ଆଉ ଆଗକୁ ହେବାର ବି ସାମାନ୍ୟତମ ସମ୍ଭାବନା ନାହିଁ। ଅନୁଗୁଳ, ବଅଁରପାଳ, ଛେଣ୍ଡିପଦା ବ୍ଲକରେ ତ ସ୍ଥିତି ସଂଗିନ। ଧାନ ବିଲ ଖେଳ ପଡ଼ିଆ ପରି ଦିଶୁଛି। ଚାଷର ଏଭଳି ସ୍ଥିତିରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏପଟେ ଧାନ ଚାଷ ଛାଡ଼ି ତୈଳବୀଜ ଚାଷ ଉପରେ ଗୁରୁତ୍ବ ଦେଇଛି କୃଷି ବିଭାଗ।

ବର୍ଷ ଆରମ୍ଭରୁ ଏଥର ବର୍ଷା ଧୋକା ଦେଇଛି। ଜୁନ୍‌ରୁ ଆଜି ପର୍ଯ୍ୟନ୍ତ କେବେ ବି ସ୍ବାଭାବିକ ବର୍ଷା ହୋଇନି। ଏହି ବର୍ଷ ୪୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ସରକାର କହିଛନ୍ତି। ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଭିତରେ ଅନୁଗୁଳ ରହିଛି। ରେକର୍ଡ ଅନୁସାରେ, ଅନୁଗୁଳ ଜିଲ୍ଲାରେ ଜୁନ୍ ମାସରେ ୩୫ ପ୍ରତିଶତ କମ୍ ବର୍ଷା ହୋଇଥିଲାବେଳେ ଜୁଲାଇରେ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷା ସତ୍ତ୍ବେ ଧାନ ତଳି ବଞ୍ଚିଥିଲା। କିନ୍ତୁ କାଳ ସାଜିଲା ଅଗଷ୍ଟ। ଅଗଷ୍ଟରେ ବର୍ଷା ତ ହେଲାନି, ଯାହା ତଳି ବି ବଂଚିଥିଲା ଟାଣ ଖରାରେ ସବୁଯାକ ମରିଗଲା। ଯେଉଁଠି ଖଣ୍ଡେ ଫାଳେ ଚାଷ ହୋଇଥିଲା ତାହା ଶୁଖିଗଲା। ସରକାରୀ ତଥ୍ୟ ଅନୁସାରେ, ଏହି ଅଗଷ୍ଟ ମାସରେ ଅନୁଗୁଳ ଜିଲ୍ଲାରେ ୩୫୭.୫ ମିମି ବର୍ଷା ହୋଇଥିଲା। ଏହାକୁ ସ୍ବାଭାବିକ ବର୍ଷା କୁହାଯାଉଥିଲାବେଳେ ପ୍ରକୃତରେ ଏହାଠାରୁ ଅଧିକ ବର୍ଷା ହୋଇଥାଏ। ଅଗଷ୍ଟରେ ଲଘୁଚାପ କାରଣରୁ ଭଲ ବର୍ଷା ହେଉଥିବାରୁ ଚାଷୀ ବି ଏହି ବର୍ଷାକୁ ଚାହିଁ ବସିଥିଲେ। ହେଲେ ଅଗଷ୍ଟରେ ଆଜି ପର୍ଯ୍ୟନ୍ତ ମାତ୍ର ୬୮.୭୩ ମିମି ବର୍ଷା ହୋଇଛି। ଏହା ସ୍ବାଭାବିକ ବର୍ଷାର ମାତ୍ର ୧୯ ପ୍ରତିଶତ। ଏପଟେ ଅଗଷ୍ଟର ଏହି ୨୩ ଦିନ ଭିତରେ ଅଧାରୁ ଅଧିକ ଦିନ ଟୋପାଏ ବି ବର୍ଷା ହୋଇନି। ସବୁଠାରୁ ଖରାପ ସ୍ଥିତି ସଦର ବ୍ଲକରେ। ଏଠାରେ ମାତ୍ର ୩୧.୪ ମିମି ବର୍ଷା ହୋଇଛି। ତାଳଚେରରେ ୩୩ ମିମି, କିଶୋନଗରରେ ୩୩.୮୦ ମିମି, ଆଠମଲ୍ଲିକରେ ୫୯.୮୦ ମିମି, ବଅଁରପାଳରେ ୬୧ ମିମି, କଣିହାଁରେ ୬୪ ମିମି ବର୍ଷା ରେକର୍ଡ କରାଯାଇଛି।

ଜୁନ, ଜୁଲାଇରେ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଅଗଷ୍ଟର ଖରା ଚାଷ କାର୍ଯ୍ୟକୁ ଗୁରୁତର ଭାବେ ପ୍ରଭାବିତ କରିଛି। ତେଣୁ ଆଗକୁ ମରୁଡ଼ି ସ୍ଥିତି ଭୟାନକ ହେବାକୁ ଯାଉଛି। ଖୋଦ୍ କୃଷି ବିଭାଗ ମଧ୍ୟ ଏହାକୁ ସ୍ବୀକାର କରିଛି। ଚାଷୀଙ୍କୁ ସୁବିଧା ହେଲା ପରି ବିକଳ୍ପ ବ୍ୟବସ୍ଥା ଚିନ୍ତା କରିଛି ବିଭାଗ। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅନୁଗୁଳ ସମେତ ଛେଣ୍ଡିପଦା, ବଅଁରପାଳ, ଆଠମଲ୍ଲିକ, କିଶୋରନଗର ଆଦି ଅଞ୍ଚଳରେ ମରୁଡ଼ି ସ୍ଥିତି ଜଳଜଳ। କେବଳ ପାଳଲହଡ଼ା ଓ କଣିହାଁରେ ଚାଷ କାମ ହୋଇଛି। ତାଳଚେରରେ ବି ସ୍ଥିତି ସାମାନ୍ୟ ଭଲ ଅଛି। କିନ୍ତୁ ଅନ୍ୟ ବ୍ଲକରେ ଅଣ ଜଳସେଚିତ ଜମିରେ ଆଉ ଚାଷ ହେବାର ନାହିଁ। ଏହାକୁ ଭରଣା କରିବା ପାଇଁ ତୈଳବୀଜ ଚାଷ ଉପରେ ଗୁରୁତ୍ବ ଦିଆଯାଇଛି। ଏଥିନେଇ ସରକାରଙ୍କ ସହ ପ୍ରାଥମିକ ପର୍ଯ୍ୟାୟରେ ଆଲୋଚନା ସରିଛି। ଖୁବଶୀଘ୍ର ମୁଗ, ବିରି, ରାଶି, ସୋରିଷ, ଚିନାବାଦାନ ବିହନ ଯୋଗାଇବା ଲାଗି ଅନୁରୋଧ କରିଛୁ। ଅଳ୍ପ ବର୍ଷାରେ ଏହା ଚାଷ ହୋଇପାରୁ ଥିବାରୁ ଏହା ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦେବରାଜ ମହାନ୍ତି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ଜିଲ୍ଲାର ୪ ଟି ବ୍ଲକରେ ଚାଷ ସ୍ଥିତି ସାଂଘାତିକ। ଆଗକୁ ବର୍ଷା ହେଲେ ବି ଏଠାରେ ସ୍ଥିତି ସୁଧୁରିବା ସମ୍ଭାବନା ନାହିଁ। କେବଳ ରବି ପାଇଁ ଚିନ୍ତା କରାଯାଇପାରେ। ଏପଟେ ଖରିଫରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ବିକଳ୍ପ ଚିନ୍ତା କରାଯାଉଛି।

ସମ୍ବନ୍ଧିତ ଖବର