ଶୁଖିଗଲା ଭଞ୍ଜନଗର ଜଳଭଣ୍ଡାର: ଗ୍ରୀଷ୍ମରେ ପିଇବା ପାଣି ସ୍ଥିତି ଉତ୍କଟ ଆଶଙ୍କା

ଭଞ୍ଜନଗର: ଜାନୁଆରିରେ ଜଳଭଣ୍ଡାରରେ ଅଛି ମାତ୍ର ୨୫ ପ୍ରତିଶତ ପାଣି। ଇଏ ହେଲା ଘୁମୁସରର ଜୀବନରେଖା ତଥା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାରର ବର୍ତ୍ତମାନ ସ୍ଥିତି। ଦୀର୍ଘଦିନ ଧରି ଆଶାନୁରୂପ ବର୍ଷା ନହେବା ଫଳରେ ଜଳଭଣ୍ଡାରର ଜଳସ୍ତର ଏଭଳି ଚିନ୍ତାଜନକ ଭାବେ ହ୍ରାସ ପାଇବାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି। ଗତ ଖରିଫ୍‌ ଚାଷ ବେଳେ ଅଳ୍ପ ବର୍ଷା କାରଣରୁ ଆବଶ୍ୟକତା ମେଣ୍ଟାଇବାକୁ ଏହି ଜଳଭଣ୍ଡାରରୁ ପାଣି ଛଡ଼ାଯାଇଥିଲା। ଏବେ ଏଥିରେ ମାତ୍ର ୨୫ ପ୍ରତିଶତ ପାଣି ଗଚ୍ଛିତ ରହିଛି। ଆଗକୁ ପର୍ଯ୍ୟାପ୍ତ ବର୍ଷା ଆବଶ୍ୟକତା ନମେଣ୍ଟାଇଲେ ଗ୍ରୀଷ୍ମ‌ରେ ସ୍ଥିତି ଉତ୍କଟ ‌ହେବା ନେଇ ଆଶଙ୍କା ଦେଖାଦେଇଛି।

ଭଞ୍ଜନଗର ସହରକୁ ଏହି ଜଳଭଣ୍ଡାରରୁ ଦୈନିକ ୩୫ ଲକ୍ଷ ଲିଟର ପିଇବା ପାଣି ଯୋଗାଣ ହେଉଛି। ଏଭଳି ପରିସ୍ଥିତି ଜାରି ରହିଲେ, ଆଗକୁ ଜଳସ୍ତର ଆହୁରି ହ୍ରାସ ପାଇବ। ବ୍ରିଟିସ୍ ଶାସନ ଅମଳରେ ମରୁଡ଼ି ମୁକାବିଲା ପାଇଁ ଏହି ଜଳଭଣ୍ଡାର ନିର୍ମାଣ ହୋଇଥିଲା। ଏଠାରୁ ସିଧାସଳଖ ୯୮୩ ହେକ୍ଟର୍ ଚାଷଜମିକୁ ଜଳସେଚନ କରାଯାଇପାରୁଛି। ଏଥିସହ ଏହାର ବିଭିନ୍ନ ଶାଖା କେନାଲ ଦେଇ ଅନେକ ହେକ୍ଟର୍ ଜମିକୁ ଜଳସେଚନ ସୁବିଧା କରାଯାଇଛି। ଋଷିକୁଲ୍ୟା ସିଷ୍ଟମ୍‌ରେ ବ୍ରହ୍ମପୁର ସହରକୁ ପାନୀୟ‌ଜଳ ଯୋଗାଣରେ ଏହା ମଧ୍ୟ ସହାୟକ ହେଉଛି। ପୂର୍ବରୁ ଏହି ଜଳଭଣ୍ଡାରର ଜଳଧାରଣ କ୍ଷମତା ୪୯୭୫ ହେକ୍ଟୋମିଟର ରହିଥିଲା। ୧୯୯୫ ମସିହାରେ ଡିଏସ୍‌ଏଆର୍‌ପି ଯୋଜନାରେ ଏହାର ହିଡ଼କୁ ଉଚ୍ଚା କରି ଜଳଧାରଣ କ୍ଷମତାକୁ ବଢ଼ାଯାଇଥିଲା। ବର୍ତ୍ତମାନ ଜଳଧାରଣ କ୍ଷମତା ୫୭୬୬ ‌ହେକ୍ଟୋମିଟର ରହିଛି। ଏହି ଜଳଭଣ୍ଡାର ଋଷିକୁଲ୍ୟା ଜଳସେଚନ ଯୋଜନାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଏହା
ଘୁମୁସର ଅଞ୍ଚଳର ଭାତହାଣ୍ଡି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଜାନୁଆରିରୁ ଜଳଭଣ୍ଡାରର ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ୭୦ ପ୍ରତିଶତରୁ ଅଧିକ ପାଣି ରହିବା କଥା। କିନ୍ତୁ ପ୍ରଥମ ଥର ପାଇଁ ଜଳଭଣ୍ଡାର ଶୁଖିଲା ଭଳି ସ୍ଥିତିକୁ ଚାଲିଯାଇଥିବା ପରିବେଶବିତ୍ କହିଛନ୍ତି। ଖରିଫ୍ ଧାନ ଭଳି ରବିଚାଷ ବି ପ୍ରଭାବିତ ହେବା ନେଇ ଆଶଙ୍କା ଦେଖାଦେଇଛି। ଏହି ଜଳଭଣ୍ଡାରରୁ ବାହାରୁଥିବା ପାଣି ମୁଖ୍ୟ କେନାଲ୍‌ରେ ୧୪୦.୬୮ ହେକ୍ଟର୍ ଚାଷଜମିକୁ ଜଳସେଚିତ କରୁଥିବା ବେଳେ ଭଞ୍ଜନଗର କ୍ଷୁଦ୍ର କେନାଲ୍‌ ଦେଇ ୨୫୮.୪୪ ହେକ୍ଟର୍, ବେଣାକୁନ୍ଦା ମାଇନର୍ ୨୬୨.୪୧ ହେକ୍ଟର ଓ ମନ୍ଦାର ମାଇନର୍ ୪୭୦ ହେକ୍ଟର ଚାଷଜମିକୁ ଜଳସେଚିତ କରୁଛି।

ଜଳଭଣ୍ଡାର ସହ କୌଣସି ନଦୀ କିମ୍ବା ନାଳକୁ ସିଧାସଳଖ ସଂଯୋଗ କରାଯାଇନି। ପାହାଡ଼ରୁ ପାଣି ଆସି କିଛି ପରିମାଣରେ ଏଠାରେ ଗଚ୍ଛିତ ହୋଇ ରହୁଛି। ଏଥିସହ ବଡ଼ନଦୀ ଉପରେ ସୋରିଷମୂଳି ଠାରେ ଏକ ବ୍ୟାରେଜ୍ ନିର୍ମାଣ କରି ସେଠାରୁ ୧୦.୩୦ କିମି ଲମ୍ବା କେନାଲ୍‌ ଦ୍ବାରା ୧୮.୦୪ କ୍ୟୁମେକ୍ ପାଣି ଏହି ଜଳଭଣ୍ଡାରରେ ପ୍ରବେଶ କରିବା ବ୍ୟବସ୍ଥା କରାଯାଇଛି। ଉକ୍ତ କେନାଲ୍‌ ଦ୍ବାରା ମଧ୍ୟ ୮୧୧ ହେକ୍ଟର୍ ଜମିକୁ ଜଳସେଚନ କରାଯାଇପାରୁଛି। ଏଥିସହ ଜଳଭଣ୍ଡାରୁ ଏକ୍‌ଜିଟ୍‌ କେନାଲ୍‌ରେ ସର୍ବାଧିକ ୧୭.୫୦ କ୍ୟୁମେକ୍ ଜଳ ନିଷ୍କାସନ କରିବା ବ୍ୟବସ୍ଥା ମଧ୍ୟ ସେହି ସମୟରେ ହୋଇଥିଲା। ଜଳଭଣ୍ଡାର ଅନ୍ୟ ଏକ ପାର୍ଶ୍ବରେ କିଛି ବର୍ଷ ତଳେ ଏକ ସ୍ପିଲ୍‌ୱେ ନିର୍ମାଣ କରାଯାଇଛି। ଏଥିରେ ୬ଟି ଗେଟ୍‌ ନିର୍ମାଣ କରାଯାଇଛି। ଜଳଭଣ୍ଡାରରେ ପାଣି ଭର୍ତ୍ତି ହେଲେ ଏହି ଗେଟ୍‌‌ ଦେଇ ସର୍ବାଧିକ ୪୭୯ କ୍ୟୁମେକ୍ ଜଳ ନିଷ୍କାସନ କରାଯାଇପାରୁଛି। ଏହା ରାଜକୁଣ୍ଡପଲ୍ଲୀ ଦେଇ ଲୋହରାଖଣ୍ଡି ନଦୀରେ ପଡ଼ିଛି।

ସମ୍ବନ୍ଧିତ ଖବର