ଆଜି ଡ୍ରାଏ ରନ୍ : ରାଜ୍ୟରେ କରୋନା ଟିକାକରଣ ପ୍ରସ୍ତୁତି

ଭୁବନେଶ୍ବର : କରୋନା ଟିକାକରଣ ପାଇଁ ଆସନ୍ତାକାଲି ରାଜ୍ୟରେ ଡ୍ରାଏ ରନ୍ କରାଯିବ। ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ନେଇ ଡ୍ରାଏ ରନ୍ କରାଯିବ। ଏଥିପାଇଁ ସବୁ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଏ ସଂକ୍ରାନ୍ତୀୟ ଏସ୍‌ଓପି ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ଦେଶର ସବୁ ରାଜ୍ୟରେ କରୋନା ଟିକାକରଣ ନେଇ ଡ୍ରାଏ ରନ୍ କରିବା ଲାଗି କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଓଡ଼ିଶାରେ ମଧ୍ୟ ଡ୍ରାଏ ରନ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ କ୍ୟାପିଟାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ କୋ-ୱିନ୍ ୱେବ୍ ପୋର୍ଟାଲରେ ୟୁଜର୍‌ ଆଇଡି ପ୍ରସ୍ତୁତ କରାଯାଇଛି। ଡ୍ରାଏ ରନ୍ ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାଗା ଚିହ୍ନଟ କରାଯାଇଛି। ଏଥିପାଇଁ ୨୫ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ସାମିଲ କରାଯିବ। ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟର୍‌ଙ୍କୁ ମିଶାଇ ୫ ଜଣିଆ ଟିମ୍ ଉପସ୍ଥିତ ରହିବେ। ଟିକାକରଣ କେନ୍ଦ୍ରରେ ଗୋଟିଏ ପ୍ରତୀକ୍ଷାଳୟ, ଟିକାକରଣ ଗୃହ ଓ ଗୋଟିଏ ନିରୀକ୍ଷଣ ଗୃହ ରହିବ। ଟିକା ନେଉଥିବା ବ୍ୟକ୍ତିଙ୍କୁ ଅଧଘଣ୍ଟା ପାଇଁ ନିରୀକ୍ଷଣରେ ରଖାଯିବ। ଡ୍ରାଏ ରନ୍ ସମୟରେ କୋଭିଡ୍‌-୧୯ର ସମସ୍ତ ପ୍ରୋଟୋକଲ ପାଳନ କରିବା ଲାଗି ନିର୍ଦେଶ ଦିଆଯାଇଛି।

ଅପରପକ୍ଷରେ ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ କେଉଁମାନଙ୍କୁ ଟିକା ଦିଆଯିବ, ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ବୟସ୍କ ବ୍ୟକ୍ତିମାନଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩.୨ଲକ୍ଷଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଏହି ସଂଖ୍ୟାରେ ବୃଦ୍ଧି ହୋଇଛି। ଆହୁରି ୫ ହଜାର ସ୍ବାସ୍ଥ୍ୟକର୍ମୀ ଏହି ତାଲିକାରେ ସାମିଲ ହୋଇଛନ୍ତି। ଫଳରେ ତାଲିକା ଏବେ ୩.୭ ଲକ୍ଷକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର